ଭାରତ-ପାକିସ୍ତାନ ମ୍ୟାଚ ପାଇଁ କାଉଣ୍ଟଡାଉନ ଆରମ୍ଭ ହେଲା, କ୍ରିକେଟପ୍ରେମୀଙ୍କ ହାର୍ଟବିଟ ବଢିଲା । ପୂରା ବିଶ୍ୱ ଦେଖିବେ ହାଇଭୋଲଟେଜ ମ୍ୟାଚ, ଆପଣଙ୍କ ମତରେ ଜିତିବ କିଏ ?

39

କନକ ବ୍ୟୁରୋ : ଏସିଆ କପରେ ଭାରତ-ପାକିସ୍ତାନ ମହାମୁକାବିଲା ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । କୋଟି କୋଟି କ୍ରିକେଟପ୍ରେମୀ ଏହି ହାଇଭୋଲଟେଜ ମ୍ୟାଚ ଦେଖିବା ପାଇଁ ଚାତକ ପରି ଚାହିଁ ରହିଛନ୍ତି । କାରଣ ଚାମ୍ପିୟନ୍ସ ଟ୍ରଫି ପରେ ଭାରତ-ପାକିସ୍ତାନ ମଧ୍ୟରେ କୌଣସି ମୁକାବିଲା ଦେଖିବାକୁ ମିଳିନାହିଁ । ଆଉ ଏଭଳି ସ୍ଥିତିରେ ଭାରତ-ପାକିସ୍ତାନ ମ୍ୟାଚ ପାଇଁ ଦର୍ଶକଙ୍କ ହାର୍ଟବିଟ ବଢି ବଢି ଚାଲିଛି । ଏସବୁ ଭିତରେ ଆସନ୍ତାକାଲି ସନ୍ଧ୍ୟା ୫ଟାକୁ ଅପେକ୍ଷା କରିଛନ୍ତି ପୂରା ବିଶ୍ୱର କ୍ରିକେଟପ୍ରେମୀ । ଯେତେବେଳେ ଦୁବାଇର ଅର୍ନ୍ତଜାତୀୟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଆଉ ସବୁଠୁ ବଡ କଥା ହେଉଛି ଏହି ଟୁଣ୍ଣାମେଣ୍ଟରେ ଭାରତ ପ୍ରମୁଖ ଟାଇଟଲ ଦାବିଦାର ରହିଛି । ଗୋଟିଏ ପଟେ ବାଂଲାଦେଶ ଓ ଆଫଗାନିସ୍ତାନ ନିକଟରୁ ପରାସ୍ତ ହୋଇ ଶ୍ରୀଲଙ୍କା ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିବା ବେଳେ ଏବେ ସମସ୍ତଙ୍କର ନଜର ରହିଛି ଭାରତ ଓ ପାକିସ୍ତାନର ମ୍ୟାଚ ଉପରେ ।

ଏସିଆ କପରେ ଭାରତ :
ଏସିଆ କପର ପୂର୍ବ ରେକର୍ଡ ଉପରେ ଯଦି ନଜର ପକାଇବା ତେବେ ଟାଇଟଲର ପ୍ରମୁଖ ଦାବିଦାର ରହିଛି ଭାରତ । ଏପରିକି ରେକର୍ଡ ମଧ୍ୟ ଟିମ୍ ଇଣ୍ଡିଆ ସପକ୍ଷରେ ରହିଛି । ୧୯୮୪ ମସିହାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସର୍ବାଧିକ ୬ଥର ଟାଇଟଲ ହାସଲ କରିଛି । ଏପରିକି ୨୦୧୬ ଏସିଆ କପ ଫାଇନାଲରେ ବାଂଲାଦେଶକୁ ମାତ୍ ଦେଇ ଡିଫେଣ୍ଡିଂ ଚାମ୍ପିୟନ ଭାବେ ଚଳିତ ଟୁର୍ଣ୍ଣାମଣ୍ଟେରେ ଖେଳିବାକୁ ଯାଉଛି ଭାରତ । ୧୯୮୪ରେ ଏସିଆ କପର ପ୍ରଥମ ସିଜିନରେ ବିଜୟୀ ହୋଇ ନିଜର ଅଭିଯାନ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ । ଆଉ ଏହାପରେ ୧୯୮୮, ୧୯୯୦/୯୧,୧୯୯୫,୨୦୧୦ ଓ ୨୦୧୬ରେ ଟାଇଟଲ ହାତେଇଛି ଭାରତ । ତେବେ ୨୦୧୬ରେ ଏସିଆ କପ ଟୁର୍ଣ୍ଣାମେଣ୍ଟ ପ୍ରଥମ ଥର ପାଇଁ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯାଇଥିଲା । ଆଉ ଏହି ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଟାଇଟଲ ହାତେଇଥିଲା ଧୋନୀ ବାହିନୀ । ତେବେ

ପାକିସ୍ତାନ ବିପକ୍ଷରେ ଭାରତର ରେକର୍ଡ :
ଏସିଆ କପରେ ପାକିସ୍ତାନ ବିପକ୍ଷରେ ଭାରତର ଜବରଦସ୍ତ ରେକର୍ଡ ରହିଛି । ଭାରତ ପାକିସ୍ତାନ ଠାରୁ ଗୋଟିଏ ପାଦ ଆଗରେ ରହିଛି । ଏସିଆ କପରେ ଭାରତ ପାକିସ୍ତାନ ମୋଟ ୧୨ଟି ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଭାରତର ପଲ୍ଲା ଭାରି ରହିଛି । ଭାରତ ମୋଟ ୬ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ପାକିସ୍ତାନ ୫ଟି ମ୍ୟାଚରେ ବିଜୟୀ ହୋଇଛି । ଏହାଛଡା ଗୋଟିଏ ମ୍ୟାଚରେ କୌଣସି ଫଳାଫଳ ମିଳିନାହିଁ । ସେହିଭଳି ପାକିସ୍ତାନ ଏସିଆ କପରେ ମୋଟ ୨ ଥର ବିଜୟୀ ହୋଇଛି । ୨୦୦୦ ଓ ୨୦୧୨ ମସିହାରେ ଦୁଇ ଥର ଟାଇଟଲ ହାତେଇଛି ପାକିସ୍ତାନ । ତେବେ ଏସବୁ ଭିତରେ ଏସିଆ କପ ଟୁର୍ଣ୍ଣାମେଣ୍ଟର ୧୩ଟି ସଂସ୍କରଣ ଶେଷ ହୋଇଥିଲେ ମଧ୍ୟ ଏଯାବତ ଫାଇନାଲରେ ଭାରତ-ପାକିସ୍ତାନ ମଧ୍ୟରେ କେବେ ଟାଇଟଲ ପାଇଁ ଟକ୍କର ହୋଇନାହିଁ ।

ଏସିଆ କପର ଇତିହାସ :
୧୯୮୪ ମସିହାରୁ ଆରମ୍ଭ ହୋଇଥିଲା ଏସିଆ କପ ଟୁର୍ଣ୍ଣାମେଣ୍ଟ । ଏହା ମଧ୍ୟରେ ଏସିଆ କପର ୧୩ଟି ସଂସ୍କରଣ ଶେଷ ହୋଇଛି । ଯେଉଁଥିରେ ଭାରତ ସର୍ବାଧିକ ୬ଟି ସିଜନରେ ବିଜୟୀ ହୋଇଥିବା ବେଳେ ଶ୍ରୀଲଙ୍କା ୫ ଥର ଓ ପାକିସ୍ତାନ ୨ ଥର ବାଜିମାତ କରିଛି । ୧୩ଟି ସଂସ୍କରଣ ମଧ୍ୟରୁ ଭାରତ ୧୯୮୬ ମସିହାରେ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିଲା । ତେବେ ସବୁଠୁ ମଜାଦାର କଥା ହେଉଛି ୟୁଏଇ ଯେବେ ଏସିଆ କପର ଆୟୋଜନ କରିଛି ଭାରତ ସେହି ସିଜନରେ ଚାମ୍ପିୟନ ହୋଇଛି । ତେଣୁ ଚଳିତ ଥର ୟୁଏଇ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଥିବାରୁ ଭାରତ ଏଥିରେ ଫେଭରିଟ ରହିଛି ।