ବିଧାନସଭାରେ ହାଇଭୋଲଟେଜ୍ ଡ୍ରାମା । ଭିତରେ ଓ ବାହାରେ ଶାସକ ବନାମ ବିରୋଧୀ। ଷଷ୍ଠ ଦିନରେ ବି ଗୃହ ଅଚଳ

79

କନକ ବ୍ୟୁରୋ: ଏଥର ବିଧାନସଭାରେ ଯେଉଁ ଘଟଣା ସବୁ ଦେଖିବାକୁ ମିଳୁଛି ତାହା ବୋଧ ହୁଏ, ଆଗରୁ କେବେ ଘଟିନଥିଲା । ଲାଗୁଥିଲା ସବୁ ରାଜନୈତିକ ଦଳ ମିଶି ବିଧାନସଭା ବନ୍ଦ କରିବା ପାଇଁ ଲାଗିପଡିଛନ୍ତି । ବିଜେପି ସଦସ୍ୟମାନେ ଘଣ୍ଟ ବାଡଉଥିଲେ, କଂଗ୍ରେସ ପ୍ଲାକାର୍ଡ ଦେଖାଉଥିଲା ଏବଂ ବିଜେଡି ସଦସ୍ୟମାନେ ଗୃହରେ ଗଙ୍ଗାପାଣି ଛିଞ୍ଚୁଥିଲେ । ସମସ୍ତଙ୍କର ଦାବି ଅଲଗା ଅଲଗା ଥିଲା କିନ୍ତୁ ପରିଣାମ ଗୋଟିଏ ଥିଲା ଆଉ ଶେଷରେ ବିଧାନସଭା ମୁଲତବୀ ହେଉଥିଲା ।

ସୋମବାର ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ ଫେଲ ମାରିବା ପରେ ବିରୋଧୀ ମଙ୍ଗଳବାର ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି । ୧୦ଟା ୩୦ରେ ଗୃହ ଆରମ୍ଭ ହେବା ମାତ୍ରେ ଘଣ୍ଟପିଟି ଓ ବ୍ୟାନର ଦେଖାଇ ଗୃହଭିତରେ ପ୍ରତିବାଦ କରିଥିଲା ପ୍ରମୁଖ ବିରୋଧୀ ଦଳ ବିଜେପି । କଂଗ୍ରେସ ମଧ୍ୟ ଗୃହରେ ସମାନ ଆଭିମୁଖ୍ୟ ରଖିଥିଲା । ପ୍ଲାକାର୍ଡ ଦେଖାଇ ବିଧାୟକ ଗୃହ ଭିତରେ ବିରୋଧ ପ୍ରଦର୍ଶନ କରିଥିଲେ । ଆଉ ଏହାକୁ କାଉଣ୍ଟର କରିବାକୁ ବିଜେଡି ମଧ୍ୟ ଗୃହରେ ଗଙ୍ଗାଜଳ ପାଣି ଛିଞ୍ଚିଥିଲା । ବିରୋଧୀଙ୍କୁ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ ବୋଲି ଶାସକ ଦଳ ସଦସ୍ୟ କହିଥିଲେ । ଏହାସହ ଶାସକ ଦଳ କେନ୍ଦ୍ର ଅବହେଳା ପ୍ରସଙ୍ଗ ବି ଉଠାଇଥିଲେ ।

  • ବିଧାନସଭା ବାହାରେ ଶାସକ-ବିରୋଧୀ ମୁହାଁମୁହିଁ
  • ଶାସକ ଦଳର ପ୍ରସଙ୍ଗ କେନ୍ଦ୍ରୀୟ ଅବହେଳା
  • ଜଗନ୍ନାଥଙ୍କ ଫଟୋ ଧରି ବିଜେପିର ଧାରଣା

କେବଳ ଗୃହ ଭିତରେ ନୁହେଁ ବାହାରେ ବି ହାଇଡ୍ରାମା ଦେଖିବାକୁ ମିଳିଛି । ଗାନ୍ଧିମୂର୍ତ୍ତି ତଳେ ବିଜେଡି ବିଧାୟକ କେନ୍ଦ୍ର ଅବହେଳା ପ୍ରସଙ୍ଗ ଓ ବିରୋଧୀଙ୍କୁ ସଦବୁଦ୍ଧି ଉଦୟ ଦେଉ ବୋଲି କହି ପ୍ରତିବାଦ କରିଛନ୍ତି । ସେହିଭଳି ବିଜେପି ବିଧାୟକ ଜଗନ୍ନାଥଙ୍କ ଫଟୋ ଧରି ଗୃହ ବାହାରେ ଧାରଣାରେ ବସିଥିଲେ । ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ କଂଗ୍ରେସ ବିଧାୟକମାନେ ବି ବିଧାନସଭା ଚାରିପଟେ ପରିକ୍ରମା କରିଥିଲେ ।

ଶାସକ ଓ ବିରୋଧୀ ନିଜ ନିଜ ଜିଦରେ ଅଟଳ ରହିବା ଯୋଗୁଁ ୬ ଦିନ ହେଲା ଚାଲିପାରୁନି ବିଧାନସଭା । ମଙ୍ଗଳବାର ଅତିରିକ୍ତି ଖର୍ଚ ଦାବି ଉପରେ ଆଲୋଚନା ହେବାର ଥିଲା, ତାହା ବି ହୋଇପାରିନାହିଁ । ୬ ଦିନ ଭିତରେ ଗୃହ କାର୍ଯ୍ୟ ମାତ୍ର ୭୦ ମିନିଟି ବି ଚାଲିପାରିନାହିଁ । ଏଭଳି ସ୍ଥିତି ଆଉ କେତେ ଦିନ ଲାଗି ରହିବ ସେନେଇ ଉଠିଛି ପ୍ରଶ୍ନ ।