କର୍ଣ୍ଣାଟକରେ ହାଇଭୋଲଟେଜ ଡ଼୍ରାମା ! କଂଗ୍ରେସର ଚେତାବନୀ, ସରକାର ଗଠନ ପାଇଁ ରାଜ୍ୟପାଳ କଂଗ୍ରେସ-ଜେଡ଼ିଏସକୁ ନ ଡାକିଲେ ରକ୍ତର ସଂର୍ଘଷ ହେବ

90

ଦିନ ଯେତିକି ବଢ଼ୁଛି କର୍ଣ୍ଣାଟକ ରାଜନୀତିର ପାରା ସେତିକି ଚଢ଼ୁଛି । କର୍ଣ୍ଣାଟକକୁ ଏବେ ଉଷ୍ମ କରିଛି ରାଜନୀତିର ତାତି । କର୍ଣ୍ଣାଟକରେ ଏବେ ଘଡ଼ିକେ ଘୋଡା ଛୁଟୁଛି । ଆଇ ଏଭଳି ସମୟରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବୟାନ କର୍ଣ୍ଣାଟକ ରାଜନୀତିର ପାଣିପାଗକୁ ଉଷ୍ମ କରିଛି । ଗୁଲାମ କହିଛନ୍ତି, ଏବେ ବିଜେପି ତାଙ୍କ ବିଧାୟକ ମାନଙ୍କୁ ଧମକ ଦେବା ଆରମ୍ଭ କରିଛି । ଏପରିକି କଂଗ୍ରେସ ବିଧାୟକଙ୍କ ଉପରେ ଚାପ ମଧ୍ୟ ପକାଯାଉଛି ।

ଏହାଛଡ଼ା ଆଜାଦ କହିଛନ୍ତି ରାଜ୍ୟପାଳ ଯଦି ସମ୍ବିଧାନ ଅନୁଯାୟୀ କାର୍ଯ୍ୟ ନ କରନ୍ତି କିମ୍ବା କଂଗ୍ରେସ ଓ ଜେଡ଼ିଏସ ମେଣ୍ଟକୁ ସରକାର ଗଠନ ପାଇଁ ଆମନ୍ତ୍ରଣ ନ କରନ୍ତି ତେବେ ଏଠାରେ ରକ୍ତର ସଂଘର୍ଷ ହେବ । ଏପରିକି କଂଗ୍ରେସକୁ ଭାଗ ଭାଗ କରିବା ପାଇଁ ବିଜେପି ଗୁଜବ ସୃଷ୍ଟି କରୁଛି । ଜେଡ଼ିଏସକୁ ସମର୍ଥନ ନେଇ କଂଗ୍ରେସ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି ବୋଲି ଯେଉଁ ଗୁଜବ ପ୍ରଚାର କରାଯାଉଛି ତାହା ସମ୍ପୂର୍ଣ୍ଣ ଭାବେ ମିଛ । ବାସ୍ତବରେ ବିଜେପି ବିଧାୟକ ମାନେ ଏବେ ଅସନ୍ତୁଷ୍ଟ ଅଛନ୍ତି ।

ଏଭଳି ସମୟରେ କଂଗ୍ରେସ ବିଧାୟକ ଉମରଗୌଡ଼ା କହିଛନ୍ତି, କଂଗ୍ରେସ ଛାଡ଼ିଲେ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦର ଅଫର ଦେଇଛି ବିଜେପି । ଯାହାକୁ ସେ ପାଦରେ ଆଡ଼େଇ ଦେଇଥିଲେ । ଆଜାଦ କହିଛନ୍ତି, କର୍ଣ୍ଣାଟକ ନିର୍ବାଚନରେ ବିଜେପି ବଡ଼ ପାର୍ଟି ଭାବେ ଉଭା ହୋଇଛି ସତ କିନ୍ତୁ ସରକାର ଗଢ଼ିବା ପାଇଁ ଆବଶ୍ୟକୀୟ ସଂଖ୍ୟା ନାହିଁ । ଏଭଳି ସ୍ଥଳେ ଜେଡ଼ିଏସ ଓ କଂଗ୍ରେସ ମେଣ୍ଟ ପାଖରେ ୧୧୭ଟି ଆସନ ରହିଛି । ତେଣୁ ରାଜ୍ୟପାଳ ପକ୍ଷପାତିତା କରିପାରିବେ ନାହିଁ । ଜଣେ ବ୍ୟକ୍ତି ରାଜ୍ୟପାଳ ହେବା ପରେ ନିଜର ସମସ୍ତ ପୁରୁଣା ସର୍ମ୍ପକ ଭୁଲିଯିବା ଆବଶ୍ୟକ ।