ସୁନ୍ଦରଗଡରେ ହାଇଭୋଲଟେଜ ପ୍ରଚାର । ଭୋଟରଙ୍କୁ ମନେଇବାକୁ ମୈଦାନରେ ହେଭିୱେଟ 

119

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ସପ୍ତାହରେ ଭୋଟ ପଡିବ । ତେଣୁ ଭୋଟରଙ୍କ ମନଜିଣିବାକୁ ମୈଦାନକୁ ଓହ୍ଲାଇଛନ୍ତି ହେଭିୱେଟ ନେତା ଓ ଅଭିନେତା । ସେପଟେ ସିନେ ତାରକା ମଧ୍ୟ ପ୍ରାର୍ଥୀଙ୍କ ପ୍ରଚାର କରି ସମର୍ଥନ ଯୋଗାଡ କାମରେ ଲାଗିଯାଇଛନ୍ତି । ପ୍ରାର୍ଥୀଙ୍କ ପାଇଁ ମଇଦାନକୁ ଓଲ୍ଲାଇଛନ୍ତି ଷ୍ଟାର ପ୍ରଚାରକ । ସୁନ୍ଦରଗଡରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡିର ପ୍ରଚାରର ମଙ୍ଗ ଧରିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ । ବିଶ୍ରା ଅଞ୍ଚଳରେ ପ୍ରୀତିରଞ୍ଜନଙ୍କ ସହ ସାଂସଦ ଦିଲ୍ଲୀପ ତିର୍କୀ, ରାଉରକେଲା ବିଧାୟକ ଶାରଦା ନାୟକ ମଧ୍ୟ ଲୋକଙ୍କ ପାଖକୁ ଯାଇ ଭୋଟ ଦେବାକୁ ନିବେଦନ କରିଛନ୍ତି ।

ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ନିଜ ନିର୍ବାଚନ ମଣ୍ଡଳି ବଣାଇଁରେ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି । ପ୍ରଚାର ବେଳେ ଦଳୀୟ ପ୍ରାର୍ଥୀଙ୍କ ପ୍ଲାକାର୍ଡ ବାଣ୍ଟି ସମର୍ଥନ ଦେବାକୁ ଭୋଟରଙ୍କୁ ସାଂସଦ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି ।

ପ୍ରଚାର ମୈଦାନରେ ନେତା ଓ ଅଭିନେତା 

ଜୟପୁର ନିର୍ବାଚନ ମଣ୍ଡଳୀରେ ବୋରିଗୁମ୍ମା ବ୍ଳକରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଓଡିଆ ଚଳଚିତ୍ର ତାରକା ଅରିନ୍ଦମ ରାୟ । ସେପଟେ ବିଜେପି ଦଳ ପାଇଁ ଷ୍ଟାର ପ୍ରଚାରକ ସାଜିଛନ୍ତି ଅଶ୍ରୁୁମୋଚନ ମହାନ୍ତି । ବାଇକ ରାଲି ସହ ଗାଁ ଗାଁ ବୁଲୁଥିବା ବେଳେ କର୍ମୀ ଓ ନେତା ମଧ୍ୟ ଏହି ସୁଯୋଗକୁ ହାତ ଛଡ଼ା କରୁନାହାନ୍ତି । ସେହିପରି ଝାରସୁଗୁଡାର ତାଲପଟିଆ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଓଲିଉଡ ସିଙ୍ଗର ଅସୀମା ପଣ୍ଡା । ଓଲିଉଡ କଣ୍ଠଶିଳ୍ପୀଙ୍କୁ  ପାଖରୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା ।  ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନକୁ ମାତ୍ର ୪ ଦିନ ରହିଛି । ତେଣୁ ଭୋଟରଙ୍କୁ ମନେଇ ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରିବା ହେଭିୱେଟ ନେତା ଓ ଅଭିନେତା ମାରାଥନ ପ୍ରଚାର କରୁଛନ୍ତି ।