ଆସନ୍ତାକାଲି ବିଜେପୁର ମୈଦାନରେ ମେଗା ସୋ’ ! ମୁଖ୍ୟମନ୍ତ୍ରୀ ବନାମ କେନ୍ଦ୍ରମନ୍ତ୍ରୀ । ଭୁବନେଶ୍ୱରରୁ ନବୀନ, ଦିଲ୍ଲୀରୁ ଆସିବେ ସ୍ମୃତି

42

କନକ ବ୍ୟୁରୋ :ଆସନ୍ତାକାଲି ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ସମ୍ମାନ ବାଜିରେ ଲାଗିଥିବା ବେଳେ ପ୍ରଥମ ଥର ପାଇଁ ନିର୍ବାଚନୀ କ୍ୟାମ୍ପେନରେ ଯାଇ ରାତ୍ରିଯାପନ କରିବେ ନବୀନ । ସେପଟେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଆସନ୍ତାକାଲି ପ୍ରଚାର ଲଢେଇକୁ ଓହ୍ଲାଇବେ । ପ୍ରଚାର ମୈଦାନରେ ସାମ୍ନାସାମ୍ନି ହେବେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରପାଲିରୁ କୁମ୍ଭାରୀ ଯାଏଁ ଏକ ମେଗା ରୋଡ୍ ସୋ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବରପାଲିରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ଘନଘନ ନେତା ଓ ଅଭିନେତାଙ୍କ ପ୍ରଚାର ଭିତରେ ବିଜେପୁର ମୈଦାନରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଓହ୍ଲାଉଥିବା ବେଳେ ଦିଲ୍ଲୀରୁ ମୋଦିଙ୍କ ମନ୍ତ୍ରୀ ଧରି ଆସୁଛନ୍ତି ସ୍କୃତି ଇରାନୀ ।

ଦୀର୍ଘ ୧୭ ବର୍ଷ ଧରି କ୍ଷମତାରେ ଥିବା ନବୀନ ସରକାର ପାଇଁ ବିଜେପୁର ସମ୍ମାନର ପ୍ରଶ୍ନ ବୋଲି କୁହାଯାଉଥିବା ବେଳେ ବିଜେପି ପଂଚାୟତ ନିର୍ବାଚନର ସଫଳତାକୁ ବଜାୟ ରଖିବା ଏକ ବଡ ଚ୍ୟାଲେଂଜ୍ । ଆଉ ଏହି ସମ୍ମାନରେ ଲଢ଼େଇରେ ପ୍ରଚାରର ମଙ୍ଗ ଧରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ମୁଖ୍ୟମନ୍ତ୍ରୀଙ୍କୁ ଟକ୍କର ଦେବା ପାଇଁ ବିଜେପି ମୈଦାନକୁ ଓହ୍ଲାଇଛି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ।

ମାଳ ମାଳ ନେତା ଓ ଅଭିନେତାଙ୍କ ପ୍ରଚାର ଭିତରେ ମଙ୍ଗଳବାର ବିଜେପୁରରେ ଗଡିବ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଗାଡ଼ି । ଦୀଘ ୪ ମାସ ଧରି ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ କରିଥିବା କ୍ଷେତ୍ରରେ ଚୁଡ଼ାନ୍ତ ସ୍ପର୍ଶ ଦେବା ସହ ୬ କିଲୋମିଟର ଧରି ରୋଡ୍ ସୋ କରିବେ ନବୀନ । ଆଉ ମୁଖ୍ୟମନ୍ତ୍ରୀଙ୍କ ଏହି ରୋଡ୍ ସୋ’କୁ ଟକ୍କର ଦେବା ପାଇଁ ଦିଲ୍ଲୀରୁ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଯିଏ ବରପାଲିରେ ଏକ ଜନସଭା ଜରିଆରେ ବଖାଣିବେ ମୋଦିଙ୍କ ମନ୍ତ୍ର । ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ଯିଏ ୧୭ ବର୍ଷ ଧରି ଓଡ଼ିଶାର ଶାସନ ଗାଦିରେ ଅଛନ୍ତି । ଆଉ ଜଣେ ଛୋଟ ପରଦାର ଅଭିନେତ୍ରୀରୁ ମୋଦି କ୍ୟାବିନେଟର ଜଣେ ଦକ୍ଷ ମନ୍ତ୍ରୀ ।

ସାଧାରଣତଃ ଯାହା ଦେଖିବାକୁ ମିଳେନି, ତାହା ଦେଖିବାକୁ ଯାଉଛି ବିଜେପୁରରେ । ଉପ-ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ବରଗଡ଼ରେ ରାତ୍ରୀ ଯାପନ କରିବେ । ଆଉ ବୁଧବାର ଦିନ ବିଜେପୁର ଏବଂ ବରପାଲିରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ଯେଉଁ ଦିନ କେନ୍ଦ୍ରମନ୍ତ୍ରୀ ରାମ କ୍ରିପାଲ ଯାଦବଙ୍କ ସହ ପ୍ରଚାର ଲଢ଼େଇରେ ସାମ୍ନା ସାମ୍ନି ହେବ ।
ଆଉ ଏସବୁ ଭିତରେ ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତ ପୂର୍ବରୁ ନିର୍ବାଚନ କମିଶନ ପାଖରେ ଫେରାଦ୍ ହୋଇଛି ଭାରତୀୟ ଜନତା ପାର୍ଟି । ବିଜେପି ଆଶଙ୍କା କରୁଛି- ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଆଚରଣବିଧି ଉଲଂଘନ ହୋଇପାରେ । ସରକାରୀ ଖର୍ଚ୍ଚରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ଅଭିଯୋଗ କରିଛି । ବିଜେଡି- ବିଜେପିର ଏହି ଛକାପଂଝା ଭିତରେ ଉପ-ନିର୍ବାଚନ ଜିତିବା ପାଇଁ ବିଜେପୁରରେ ଦେଖିବାକୁ ମିଳୁଛି ଏକ ବଡ ରାଜନୈତିକ ପ୍ରତିନ୍ଦ୍ୱନ୍ଦିତା । ଆଉ ଆସନ୍ତା ୨୮ ତାରିଖରେ ହିଁ ଜଣାପଡ଼ିବ ଏହି ପ୍ରତିଦ୍ୱନ୍ଦିତାର ଫଳ କ’ଣ ହେବାକୁ ଯାଉଛି ।