୫୦ ଦିନର ଘମାଘୋଟ ଲଢ଼େଇ ଶେଷ : ମେ’ ୨୩ରେ ନିର୍ଣ୍ଣୟ ହେବ, ଭୋଟରଙ୍କ ମନ ଜିଣିଲା କିଏ? କିଏ ବାଜିମାତ୍ କଲା, ଆଉ କିଏ ମାରିଲା ଚିତପଟାଙ୍ଗ୍

ବିଜେଡି ପାଇଁ ଏକା ଏକା ଲଢ଼ିଲେ ନବୀନ, ବିଜେପି ପକ୍ଷରୁ ଗର୍ଜିଲେ ‌ମୋଦୀ, ଶାହ, କେନ୍ଦ୍ରମନ୍ତ୍ରୀ, ରାହୁଲଙ୍କୁ ନେଇ କେନ୍ଦ୍ର-ରାଜ୍ୟକୁ ଘେରିଲା କଂଗ୍ରେସ

108

କନକ ବ୍ୟୁରୋ: ପାଖାପାଖି ୫୦ ଦିନର ଘମାଘୋଟ ନିର୍ବାଚନ ପ୍ରଚାରରେ ପୂର୍ଣ୍ଣଛେଦ ପଡିଛି। ଓଡ଼ିଶା ବିଧାନସଭା ଦଖଲ ଲାଗି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପି ସମେତ ବାମଦଳ ଆଦି ଏହି ପ୍ରକ୍ରିୟାରେ ଭାଗ ନେଇ ନିଜ ସପକ୍ଷରେ ଘମାଘୋଟ ପ୍ରଚାର କରିଥିଲେ। ୨୧ ଲୋକସଭା ଆସନ ମଧ୍ୟରୁ କିଏ କେତେ ଅଧିକ ଆସନ ପାଇବେ, ସେ ନେଇ ପ୍ରଚାର ପ୍ରକ୍ରିୟାରେ ଆରୋପ ପ୍ରତ୍ୟାରୋପ, ଅଭିଯୋଗ ପ୍ରତି ଅଭିଯୋଗର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଯାଇଥିଲେ ନେତା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଥିଲା, ଗତ ପାଞ୍ଚ ବର୍ଷ ଧରି କେହି କାହା ବିରୋଧରେ ସିଧାସଳଖ ଅଭିଯୋଗ କରୁନଥିଲେ ହେଁ ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟରେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଏଥିରୁ ବାଦ୍ ପଡିନଥିଲେ।

ଏପ୍ରିଲ ୧୧ ତାରିଖରେ ମତଦାନ ଆରମ୍ଭ ହୋଇଥିଲା। ପରେ ୧୮ ଓ ୨୩ ତାରିଖ ପରେ ଚତୁର୍ଥ ତଥା ଓଡ଼ିଶା ପାଇଁ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ ତାରିଖ ହେବ। ଏହା ପରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଵାଲଙ୍କ ଦେହାନ୍ତ କାରଣରୁ କେବଳ ପାଟକୁରା ବିଧାନସଭା ଆସନ ଲାଗି ଆସନ୍ତା ୧୯ ତାରିଖ ଦିନ ମତଦାନ କରାଯିବ। ମେ’ ୨୩ ତାରିଖରେ ନିର୍ଣ୍ଣୟ ହେବ, ଭୋଟରଙ୍କ ମନ ଜିଣିଲା କିଏ? କିଏ ବାଜିମାତ୍ କଲା, ଆଉ କିଏ ମାରିଲା ଚିତପଟାଙ୍ଗ୍। କିଏ ଦିଲ୍ଲୀରେ ଯାଇ ଓଡ଼ିଶା କଥା କହିବେ ଓ ଆଉ କିଏ ବିଧାନସଭାରେ ରାଜ୍ୟର ବିକାଶର ଚିତ୍ର ଆଙ୍କିବେ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ଏଥର ନିର୍ବାଚନର ଗରମ ଅନ୍ୟ ଚାରିଟି ନିର୍ବାଚନକୁ ଟପିଯାଇଛି। ଚାରି ଚାରି ଥର ଶାସନ କ୍ଷମତାରେ ଥିବା ବିଜେଡିକୁ ବେଦଖଲ କରିବା ଲାଗି ବିଜେପି ଓ କଂଗ୍ରେସ ପଣ କରିଥିଲେ। କେନ୍ଦ୍ରରେ ସରକାର ଗଠନ ପାଇଁ ଅଧିକରୁ ଅଧିକ ଲୋକସବା ଆସନ ଜିତିବା ସେମାନଙ୍କର ଲକ୍ଷ୍ୟ ଥିଲା। ସେହିଭଳି ପଞ୍ଚମ ଥର କ୍ଷମତା ଦଖଲ ଲାଗି ବିଜେଡି ପଣ କରିଛି ଓ ଅଧିକ ଲୋକସଭା ସଦସ୍ୟଙ୍କୁ ପଠାଇ ରାଜ୍ୟ ସ୍ବାର୍ଥ ଉପରେ ବଡ଼ ମୂଲଚାଲ କରିବା ଲାଗି ସଂଗ୍ରାମ ଜୋରଦାର କରିଛି। ଏହି ନିର୍ବାଚନରେ ନେତାମାନେ ଯେଉଁଭଳି ଦଳ ବଦଳାଇଲେ, ତାହା ଗତ ଦିନର ସବୁ ରେକର୍ଡକୁ ଅତିକ୍ରମ କରିଦେଇଛି। ସେହିଭଳି କ୍ଷମତା ଡୋରି ଧରିବା ଲାଗି ହାଇଭୋଲଟେଜ୍ ପ୍ରଚାର ବି ସବୁ େରକର୍ଡକୁ େଡଇଁଛି। ମୁଖ୍ୟମନ୍ତ୍ରୀଙ୍କୁ ଘେରିବା ଲାଗି ବିରୋଧୀ କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ପ୍ରତିଜବାବ ଦେବାରେ ବିଜେଡି ପଛଘୁଞ୍ଚା ବି ଦେଇନାହିଁ।

ଓଡ଼ିଶାରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମାତ୍ର ଥରୁଟିଏ ନିର୍ବାଚନ ପ୍ରଚାରକୁ ଆସିଛନ୍ତି। ବାଲେଶ୍ବରରେ ତାଙ୍କର ଏହି ସଭା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଅତ୍ୟନ୍ତ ମହତ୍ବ ରଖେ। ହେଲେ ଏହା ପୂର୍ବରୁ ସେ ଚାରିଥର ଓଡ଼ିଶା ଗସ୍ତ କରି ରାଜ୍ୟର ବିଜେଡି ସରକାର ଓ କେନ୍ଦ୍ରର ମୋଦୀ ସରକାର ବିରୋଧରେ ଯୁଦ୍ଧ ଡାକରା ଦେଇଥିଲେ। କେବଳ ରାହୁଲ ନୁହେଁ, କଂଗ୍ରେସ ଦଳରୁ ତାରକା ପ୍ରଚାରକ ଭାବେ ଓଡ଼ିଶା ପ୍ରଭାରୀ ଟି.ଏସ୍.ସିଂହଦେଓ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମନବୀ ଆଜାଦ୍, ଉତ୍ତର ପ୍ରଦେଶ କଂଗ୍ରେସ କମିଟି ସଭାପତି ରାଜ୍ ବବ୍ବର, ଅଖିଳ ଭାରତ କଂଗ୍ରେସ ମହିଳା ସଭାନେତ୍ରୀ ସୁସ୍ମିତା ଦେବ୍, ଶର୍ମିଷ୍ଠା ମୁଖାର୍ଜୀ ପ୍ରମୁଖ ରାଜ୍ୟରେ ଦଳୀୟ ପ୍ରଚାରରେ ଅଂଶଗ୍ରହଣ କରିଥିଲେ। ରାଜ୍ୟର କଂଗ୍ରେସର ଛାମୁଆ ନେତାମାନେ ମଧ୍ୟ ପ୍ରଚାର ମଇଦାନରେ ଉଭୟ କେନ୍ଦ୍ର ଓ ରାଜ୍ୟ ବିରୋଧରେ ଗର୍ଜନ ତର୍ଜନ କରିଥିଲେ।

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା ପରେ ବିଜେପିର ସର୍ବାଧିକ ହେଭିୱେଟ୍ ନେତା ଓଡ଼ିଶା ଆସିଥିଲେ। ଦଳର ଦୁଇ ଶୀର୍ଷ ନେତୃତ୍ବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ଥର ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ୬ଥର ଓଡ଼ିଶା ଆସି ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ଏହା ବାଦ୍ ଆହୁରି ବହୁ କେନ୍ଦ୍ର ମନ୍ତ୍ରୀ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମଧ୍ୟ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅଭିଯାନରେ ସାମିଲ୍ ହୋଇଥିଲେ। ମୋଦୀ ମାର୍ଚ୍ଚ ୨୯ ତାରିଖରେ ଜୟପୁର, ଏପ୍ରିଲ୍ ୨ ତାରିଖରେ ଭବାନୀପାଟଣା, ୬ ତାରିଖରେ ସୋନପୁର ଓ ସୁନ୍ଦରଗଡ଼, ୧୬ ତାରିଖରେ ସମ୍ବଲପୁର ଓ ଭୁବନେଶ୍ବର ଏବଂ ୨୩ ତାରିଖରେ କେନ୍ଦ୍ରାପଡ଼ା ଓ ବାଲେଶ୍ବରରେ ନିର୍ବାଚନୀ ସଭାକୁ ଉଦ୍ବୋଧନ ଦେଇଛନ୍ତି। ଏହା ସହ ଭୁବନେଶ୍ବରରେ ଏକ ମେଗା ରୋଡ୍ ସୋ’ ବି କରିଛନ୍ତି। ନିର୍ବାଚନ ଘୋଷଣା ହେବାର ଦୁଇ ମାସ ଆଗରୁ ମୋଦୀ ତିନି ଥର ଓଡ଼ିଶା ଆସି ଦଳୀୟ ସମାବେଶକୁ ଉଦ୍ବୋଧନ ଦେଇଥିଲେ।

ମୋଦୀଙ୍କ ପରେ ଚର୍ଚ୍ଚାରେ ରହିଥିଲା ଅମିତ ଶାହଙ୍କ ଗସ୍ତ। ସେ ୧ ତାରିଖରେ ଗଜପତି ଓ ନବରଙ୍ଗପୁର, ୭ ତାରିଖରେ ଗଞ୍ଜାମ ଓ ବରଗଡ଼, ୯ ତାରିଖରେ ପୁରୀ, ୧୨ ତାରିଖରେ କେନ୍ଦୁଝର, ୧୭ ତାରିଖରେ ଢେଙ୍କାନାଳ ଓ କଟକ ଏବଂ ୨୭ ତାରିଖରେ ମୟୂରଭଞ୍ଜ ଓ ଯାଜପୁର ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ଗସ୍ତ ସମୟରେ ପୁରୀ ଓ କଟକରେ ରୋଡ୍ ସୋ’ ବି କରିଛନ୍ତି। ଶ୍ରୀ ଶାହ ନିର୍ବାଚନ ସମୟରେ ଭୁବନେଶ୍ବରରେ ବିଜେପିର ସଂକଳ୍ପପତ୍ରକୁ ଉନ୍ମୋଚନ କରିଥିଲେ।

ମୋଦୀ ଓ ଶାହଙ୍କ ବାଦ୍ ବିଜେପିର ହେଭିୱେଟ୍ ନେତା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଓ କେଶବ ପ୍ରସାଦ ମୌର‌୍ୟ୍ୟ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ପିୟୂଷ ଗୋଏଲ୍, ଉମାଭାରତୀ, ନୀତିନ ଗଡ଼କରୀ, ମୁଖତାର ଆବାସ ନକ୍ବୀ, ରାଧାମୋହନ ସିଂହ, ଜୟନ୍ତ ସିହ୍ନା ଓ ମନୋଜ ସିହ୍ନା ପ୍ରମୁଖ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଞ୍ଚଳ ଗସ୍ତ କରି ବିଜେପି ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି। ଏହା ସହ ଅଭିନେତ୍ରୀ ତଥା ସାଂସଦ ରୁପା ଗାଙ୍ଗୁଲି, ଅଭିନେତା ତଥା ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ଏବଂ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବ ମଧ୍ୟ ବିଜେପିର ପ୍ରଚାର ନିମନ୍ତେ ଓଡ଼ିଶା ଆସିଥିଲେ। ସ୍ବାଭାବିକ ଭାବେ ଓଡ଼ିଶାର ଦୁଇ େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ବି ମାରାଥନ୍ ସଭା କରି କଂଗ୍ରେସକୁ କମ୍ ଓ ବିଜେଡିକୁ ନିର୍ଘାତ ସମାଲୋଚନା କରିଥିଲେ। ବିଜେପି ଡିଜିଟାଲ ମିଡିଆ ଓ ସୋସିଆଲ ମିଡିଆକୁ ଭରପୂର ବ୍ୟବହାର କରିଥିଲା।

ବିଜେଡି ନିର୍ବାଚନ ପ୍ରଚାର ମଙ୍ଗ ଧରିବା ଲାଗି ଦୁଇଟି ପର୍ଯ୍ୟାୟରେ ୪୦ ଲେଖାଏଁ ନେତାଙ୍କ ନାଁ ଦେଇଥିଲା ଦଳ। ଏଥିରେ ଦଳର ବରିଷ୍ଠ େନତା ଥିଲେ, ଚଳଚ୍ଚିତ୍ର ତାରକା ବି। ହେଲେ ନିର୍ବାଚନ ପ୍ରକ୍ରିୟାରେ ଏମାନଙ୍କର କୌଣସି ଆକର୍ଷଣ ଉପଲବ୍ଧ କରିପାରିଲେ ନାହିଁ ଭୋଟର। ଗୋଟିଏ ଧାଡିରେ କହିଲେ, ଏକା ଏକା ଲଢିଲେ ନବୀନ। ନୟାଗ଼଼ଡ ଜିଲ୍ଲାରୁ ନିର୍ବାଚନ ପ୍ରଚାର କରି ପାଖାପାଖି ୧୫୦ ସଭା କରିଛନ୍ତି। ୧୦୦୦ କିଲୋମିଟରରୁ ଅଧିକ ରୋଡ୍ ସୋ କରି ଭୋଟରଙ୍କ ପାଖେ ପହଞ୍ଚିବାକୁ ଚେଷ୍ଟା କରିଛନ୍ତି।

ନବୀନ କିନ୍ତୁ ଏଥର ପୂର୍ବବର୍ଷ ମାନଙ୍କ ଭଳି ପ୍ରଚାର ପ୍ରକ୍ରିୟାରେ ନେତାଙ୍କ ନାଁ ନେଇନଥିଲେ ସତ କିନ୍ତୁ କେନ୍ଦ୍ରକୁ ସମାଲୋଚନା କରିବା ଲାଗି କୌଣସି ସୁଯୋଗ ହାତଛଡ଼ା କରିନଥିଲେ। ବୈଜୟନ୍ତଙ୍କ ନାଁ ନ ଧରି ତାଙ୍କୁ ବିଶ୍ବାସ ଘାତକ େବାଲି ବର୍ଣ୍ଣନା କରିଥିଲେ। ଧର୍ମେନ୍ଦ୍ରଙ୍କୁ ଓଡ଼ିଶା ବିରୋଧୀ ବୋଲି ଚିତ୍ରିତ କରିଥିଲେ ଓ ପ୍ରଧାନମନ୍ତ୍ରୀଙ୍କୁ ବି। ମୁଖ୍ୟମନ୍ତ୍ରୀଙ୍କ ଏହି ତୋଫାନୀ ପ୍ରଚାରରେ ଆକ୍ରମଣାତ୍ମକ ଆଭିମୁଖ୍ୟ ରାଜ୍ୟ ରାଜନୀତି ଓ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଥିଲା।

କୌତୂହଳର କଥା ହେଲା, ବିଜେଡିର ନିର୍ବାଚନର ପ୍ରଚାର ତରିକା ବଦଳିଥିଲା। ପ୍ରମୁଖ ଛାପା ଗଣମାଧ୍ୟମ ପ୍ରଥମ ପୃଷ୍ଠାକୁ ଦଖଲରେ ରଖି ଦଳ ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିବା ସହିତ ନିଜ କଥା କହିଥିଲା ଭୋଟରଙ୍କୁ। କେବଳ ସେତିକି ନୁହେଁ, ପୋଷ୍ଟର, ଲିଫଲେଟ୍, ପତାକା ଆଦି ସହିତ ନୂଆକରି ଡିଜିଟାଲ ବ୍ୟବସ୍ଥାରେ ଭୋଟରଙ୍କ ପାଖେ ପହଞ୍ଚିଥିଲେ ନବୀନ। କେବଳ ସେତିକି ନୁହେଁ, ହେଲିକପ୍ଟର ସହିତ ଏକ ବସ ଯୋଗେ ରୋଡ୍ ସୋ’ କରିଥିଲେ ମୁଖ୍ୟମନ୍ତ୍ରୀ। ମଝିରେ ମଝିରେ ଉଠି ଲୋକଙ୍କୁ ସମ୍ବୋଧିତ କରିଥିଲେ। ସୋସିଆଲ ମିଡିଆକୁ ବି ଭରପୂର ବ୍ୟବହାର କରିଥିଲା ବିଜେଡି।