ପରିବା ଦର ଆକାଶ ଛୁଆଁ । ନିଜ ଅଞ୍ଚଳରେ ପନିପରିବା ଚାଷ ହେଉନଥିବାରୁ ବଢୁଛି ଦର, ଗ୍ରାହକ ଅଶାନ୍ତି ।

169

କନକ ବ୍ୟୁରୋ : ପରିବା ଦର ଆକାଶ ଛୁଆଁ । ପଡ଼ୋଶୀ ଯୋଗାଉଛନ୍ତି ଆମେ କିଣୁଛୁ । କାର୍ତ୍ତିକ ସରି ମାର୍ଗଶିର ମାସ ଆସିଲା, ତଥାପି ପନିପରିବା ଦର ତଳକୁ ଖସୁନି । ବଜାରକୁ ଯାଇ ପରିବା ଦର ପଚାରିଲେ ଲାଗୁଛି ଯେମିତି ଜଣେ ଆଉ ଜଣକୁ ଟକ୍କର ଦେଉଛି । ଯେଉଁ ଜିଲ୍ଳାର ପନିପରିବା ପଡ଼ୋଶୀ ଜିଲ୍ଳା ତଥା ପଡୋଶୀ ରାଜ୍ୟକୁ ଗାଡ଼ି ଗାଡ଼ି ହୋଇ ଯାଉଥିଲା ଏବେ ସେହି ଜିଲ୍ଲାକୁ ପଡ଼ୋଶୀ ଜିଲ୍ଳାରୁ ପରିବା ଆସୁଛି । ଆଉ ଅଧିକ ଦରକୁ ନେଇ ଚିନ୍ତାରେ ଉଭୟ କ୍ରେତା ଓ ବିକ୍ରେତା ।

ବଜାରରେ ପରିବା ପସରା ମେଲିଛି । ଦର କହି କହି ଦୋକାନୀ ଗ୍ରାହକଙ୍କୁ ଡାକୁଛନ୍ତି । ହେଲେ ବିକ୍ରି ହେଉନି, କାରଣ ପରିବାର ଆକାଶ ଛୁଆଁ ଦର ଧନୀ ଗରିବ ସବୁ ଗ୍ରାହକଙ୍କୁ ପ୍ରଭାବିତ କରିଛି । କୋରାପୁଟ ଜିଲ୍ଲା ଜୟପୁର ବଜାରରେ ଟମାଟୋ କିଲୋ ପିଛା ୮୦ ଟଙ୍କା ରହିଥିବା ବେଳେ ଫୁଲକୋବି, ବାଇଗଣ, ଭେଣ୍ଡି, ଲଙ୍କା, ଝୁଡଙ୍ଗ ଭଳି କଞ୍ଚା ପରିବା ଦର ୫୦ରୁ ୬୦ ଟଙ୍କା ରହିଛି । ଅଧିକ ଦରକୁ ନେଇ ଗ୍ରାହକ ଚିନ୍ତାରେ ଥିବା ବେଳେ ଦୋକାନୀ କହୁଛନ୍ତି ସ୍ଥାନୀୟ ଅଞ୍ଚଳରେ ପରିବା ଚାଷ ହେଉନଥିବାରୁ ବାହାରୁ ଆଣିବାକୁ ପଡୁଛି, ତେଣୁ ଦର ଅଧିକ ରହୁଛି ।

ପଡ଼ୋଶୀ ରାଜ୍ୟରେ ଆଧୁନିକ ପ୍ରଣାଳୀରେ ପନିପରିବା ଚାଷ ହେଉଛି । ହେଲେ ଓଡିଶାରେ ଚାଷୀଙ୍କୁ କୌଣସି ସୁବିଧା ସୁଯୋଗ ମିଳୁନଥିବାରୁ ଚାଷୀ ପନିପରିବା ଚାଷ କରୁନାହାନ୍ତି । ଯାହାର ପ୍ରଭାବ ବଜାରରେ ଦେଖିବାକୁ ମିଳୁଛି । କୋରାପୁଟ ଅଂଚଳରେ ବର୍ଷା ଦିନେ କେବଳ ଧାନ ହେଉଛି, କିନ୍ତୁ ସେହି ସମୟରେ ପଡୋଶୀ ରାଜ୍ୟରେ ପନିପରିବା ଚାଷ ହେଉଛି । ସେହି ଆଧୁନିକ ପ୍ରଣାଳୀରେ ଆମ ରାଜ୍ୟର ଚାଷୀଙ୍କୁ ଚାଷ କରିବାକୁ ପଡିବ ।

ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ପରିବା ବଜାରକୁ ଆସିଲେ ଦର ନିୟନ୍ତ୍ରିତ ହୋଇପାରିବ ବୋଲି କୁହାଯାଉଛି । ଚାଷ କରିବାକୁ ହେଲେ ୨ ଏକର ପନିପରିବା ଚାଷ ପାଇଁ ୩ ରୁ ୪ ଲକ୍ଷ ଖର୍ଚ୍ଚ ହେବ । ଏଥିପାଇଁ ବ୍ୟାଙ୍କ ଚାଷୀଙ୍କୁ ଆର୍ଥିକ ସହଯୋଗ କରୁନଥିବା ସହକାରୀ ଉଦ୍ୟାନ ନିର୍ଦ୍ଦେଶକ କହିଛନ୍ତି । କୋରାପୁଟ ଜିଲ୍ଳାରେ ପ୍ରତିବର୍ଷ ୩୫ ହଜାର ହେକ୍ଟର ଜମିରେ ପନିପରିବା ଚାଷ ହୁଏ କିନ୍ତୁ ବର୍ଷା ଦିନେ ତାହା ମାତ୍ର ୧୦ ହଜାର ହେକ୍ଟରକୁ ଚାଲି ଆସେ । ତେଣୁ ଓଡିଶା ବଜାରରେ ପଡୋଶୀ ରାଜ୍ୟର ପନିପରିବା ବିକ୍ରି ହୁଏ ।