୧୦ ବର୍ଷର ରେକର୍ଡ ଭାଙ୍ଗିଲା ଅନୁଗୁଳ ତାତି । ୪ ଦିନ ହେଲା ଅସମ୍ଭାଳ ଗରମ । ପାଣିପାଗ ନିର୍ଦ୍ଦେଶକ କହିଲେ, ଆହୁରି ୨୪ ଘଂଟା ତାତିରୁ ନିସ୍ତାର ନାହିଁ ।

135

କନକ ବ୍ୟୁରୋ: ଓଡ଼ିଶାର ଉତ୍ତପ୍ତ ସହର ହୋଇଛି ଅନୁଗୁଳ । ଗତକାଲି ଅର୍ଥାତ ରବିବାର ସହରର ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ଼ କରାଯାଇଛି, ଯାହାକି ରାଜ୍ୟର ସବୁଠୁ ଅଧିକ ତାପମାତ୍ରା। କେବଳ ଏତିକି ନୁହେଁ, ରବିବାର ଅନୁଗୁଳ ସହରର ତାପମାତ୍ରା ଗତ ୧୦ ବର୍ଷର ରେକର୍ଡ ଭାଙ୍ଗି ଦେଇଛି । ୨୦୧୧ ରୁ ୨୦୨୦ ମସିହା ପର୍ଯ୍ୟନ୍ତ ଫେବୃୟାରୀ ମାସରେ ଅନୁଗୁଳ ସହରରେ ଏତେ ଅଧିକ ତାପମାତ୍ରା କେବେ ରେକର୍ଡ଼ କରାଯାଇ ନ ଥିଲା । ତେବେ ମାର୍ଚ୍ଚ ଆରମ୍ଭରୁ ଅସହ୍ୟ ଖରା ଅନୁଗୁଳବାସୀଙ୍କୁ ଅସହ୍ୟ କରଦେଇଥିବା ବେଳେ ଆଗକୁ କେଉଁଭଳି ଭାବେ ଜୀବନ ଅତିବାହିତ କରିବେ ସେ ନେଇ ଚିନ୍ତାରେ ସହରବାସୀ ।

ସହରରେ ବଢୁଥିବା ତାତିକୁ ନେଇ ଚିନ୍ତାରେ ଅନୁଗୁଳବାସୀ । କାରଣ ରାଜ୍ୟର ଉତ୍ତପ୍ତ ସହର ଅନୁଗୁଳରେ ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ୩-୪ ଦିନ ହେବ ତାତି ଅସମ୍ଭାଳ ହୋଇପଥିବାବେଳେ ୪୦ ଡିଗ୍ରୀ ଉପରେ ପାରଦ ରହୁଛି । ଫଳରେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଶିଳ୍ପନଗରୀର ଶ୍ରମିକ ଶ୍ରେଣୀର ଲୋକେ ପେଟପାଟଣା ପାଇଁ ବିଭିନ୍ନ କଳ କାରଖାନା ଓ ଖଣି ଖାଦାନରେ କାମ କରୁଛନ୍ତି । ଆଉ ଏଭଳି ସ୍ଥିତିରେ ଶ୍ରମିକଙ୍କ ହିତ ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଅନୁଗୁଳରେ ଅନେକ ଶିଳ୍ପାନଷ୍ଠାନ ରହିଛି, ତେଣୁ ତାତି ଉପରେ ପ୍ରଶାସନ ନଜର ରଖିବା ନିହାତି ଜରୁରୀ ବୋଲି କୁହାଯାଉଛି । ଶିଳ୍ପାନୁଷ୍ଠାନରେ କାମ କରୁଥିବା ଶ୍ରମିକଙ୍କ ପାଇଁ ପ୍ରଶାସନ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ସହରାଂଚଳରେ ଜଳଛତ୍ରର ବ୍ୟବସ୍ଥା କରାଯାଉ । ଏହାସହ ଗ୍ରାମାଂଚଳରେ ରହିଥିବା ଜଳ ସମସ୍ୟା ମଧ୍ୟ ଖରା ଭୀଷଣ ହେବା ଆଗରୁ ସମାଧାନ କରିବାକୁ ଅନୁଗୁଳ ବାସିନ୍ଦା ଦାବି କରିଛନ୍ତି । ସେପଟେ ଆଂଚଳକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ କହିଛନ୍ତି ଅନୁଗୁଳରେ ସର୍ବାଧିକ ତାତି ରେକର୍ଡ କରାଯାଇଛି ଏବଂ ଆଗକୁ ବି ତାତି ବଢିବାର ସମ୍ଭାବନା ରହିଛି ।