ବିଜେଡି ସୁପ୍ରିମୋଙ୍କ ହାଇଟେକ୍ ପ୍ରଚାର । ଅତ୍ୟାଧୁନିକ ଛାତ ଖୋଲା ବସରୁ ଲୋକଙ୍କୁ ଦେଲେ ଉଦବୋଧନ, ଜାଣନ୍ତୁ ଏହି ହାଇଟେକ ବସରେ କଣ ରହିଛି ସୁବିଧା ।

1,234

କନକ ବ୍ୟୁରୋ : ହାଇଟେକ ବସରେ ହାଇଟେକ ପ୍ରଚାର । ନିଜ ଜିଲ୍ଲାରୁ ବିଜେଡି ସୁପ୍ରିମୋ ଆଜି ଠାରୁ ମାରାଥନ ପ୍ରଚାର ଆରମ୍ଭ କରିଥିବା ବେଳେ ହାଇଟେକ ବସରେ ରୋଡ ସୋ’ କରିଛନ୍ତି । ଲୋକଙ୍କ ସହ ସିଧାସଳଖ ଯୋଡି ହେବା ପାଇଁ ଏବେ ଏହି ଅତ୍ୟାଧୁନିକ ବସ ବିଜେଡି ସୁପ୍ରିମୋଙ୍କ ପାଇଁ ବଡ ବ୍ରହ୍ମାସ୍ତ୍ର ଭାବେ ଉଭା ହୋଇଛି । ହାଇଟେକ ପ୍ରଚାର ପାଇଁ ଏଭଳି ଫଣ୍ଡା ଆପଣାଇଛି ବିଜେଡି ।

କନିଷିରେ ସାଧାରଣ ସଭା ପରେ ଏହି ବସ ଯୋଗେ ରୋଡ ସୋ’ କରିଛନ୍ତି ବିଜେଡି ସୁପ୍ରିମୋ । ରୋଡ ସୋ’ ସମୟରେ ମଝିରେ ମଝିରେ ଜନଗହଳିପୂର୍ଣ୍ଣ ସ୍ଥାନରେ ରହି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ନବୀନ । ବସର କ୍ୟାବିନରେ ଥିବା ଷ୍ଟେଜ ୫ ଫୁଟ ଉପରକୁ ଉଠିବା ପରେ ସେହିଠାରୁ ଛିଡା ହୋଇ ଲୋକଙ୍କୁ ଉଦବୋଧନ ଦେଇଛନ୍ତି ନବୀନ । ଏହାଦ୍ୱାରା କମ ସମୟ ମଧ୍ୟରେ ପ୍ରତ୍ୟେକ ନିବାର୍ଚନମଣ୍ଡଳୀରେ ପହଞ୍ଚିବାକୁ ଯୋଜନା କରିଛନ୍ତି ନବୀନ । ମୋବାଇଲ ଭ୍ୟାନ ଆକାରର ଏହି ବସଟିକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟର ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଚଳିତଥର ବିଜେଡି ସୁପ୍ରିମୋ ପ୍ରଚାରର ମଙ୍ଗ ଧରିଥିବା ବେଳେ ପୂରା ରାଜ୍ୟରେ ମାରାଥନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ମାରାଥନ ପ୍ରଚାରକୁ ସହଜ କରିବା ପାଇଁ ସ୍ୱତନ୍ତ୍ର ବସ ଆଣିଛି ବିଜେଡି ।

ପୂର୍ବ ନିର୍ବାଚନ ଗୁଡିକରେ ବିଜେଡି ସୁପ୍ରିମୋ କାରରେ ରୋଡ ସୋ’ କରୁଥିବା ବେଳେ ଚଳିତ ଥର ପ୍ରଥମ ଥର ପାଇଁ ବସରେ ବୁଲି ପୂରା ରାଜ୍ୟରେ ପ୍ରଚାର କରିବେ ନବୀନ । ଆଉ ଏଥିପାଇଁ ଏକ ସ୍ୱତନ୍ତ୍ର ବସ ଡିଜାଇନ କରାଯାଇଛି ଏହି ସ୍ୱତନ୍ତ୍ର ବସରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ବଡ ବଡ ଏଲଇଡି ସାଙ୍ଗକୁ ସମ୍ପୂର୍ଣ୍ଣ ବସଟିକୁ ଶୀତ ତାପ ନିୟନ୍ତ୍ରିତ କରାଯାଇଛି । ଏହାଛଡା ପ୍ରଚାର ସମୟରେ ବିଜେଡି ସୁପ୍ରିମୋ ଲୋକଙ୍କ ସହ ଯେପରି ସିଧାସଳଖ ସଂସ୍ପର୍ଶରେ ଆସିପାରିବେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି । ବସ ମଧ୍ୟରେ ଥିବା କ୍ୟାବିନକୁ ସଭାମଞ୍ଚର ରୂପ ଦିଆଯାଇଛି ।ସୁପ୍ରିମୋ ଚାହିଁଲେ ବସ ମଧ୍ୟରୁ ଲୋକଙ୍କ ଉଦବୋଧନ ଦେଇପାରିବେ । ଏପରିକି ଆବଶ୍ୟକସ୍ଥଳେ ଦଳୀୟ ବୈଠକ ମଧ୍ୟ ବସ ମଧ୍ୟରେ କରାଯାଇପାରିବ । ଏଭଳି ହାଇଟେକ ବ୍ୟବସ୍ଥା ଏହି ବସ ମଧ୍ୟରେ ରହିଛି ।

ଏହାଛଡା ବସଟିରେ ନବୀନ ସରକାରଙ୍କ ବିକାଶର ଛାପ ଦେଖିବାକୁ ମିଳିଛି । ହକି ବିଶ୍ୱକପର ଆୟୋଜନ ଠାରୁ ଆରମ୍ଭ କରି ଗତ ୫ ବର୍ଷ ମଧ୍ୟରେ ହୋଇଥିବା ବିକାଶମୂଳକ କାର‌୍ୟ୍ୟର ଛାପ ବସରେ ଦେଖିବାକୁ ମିଳିଛି । ନବୀନ ଏହା ମଧ୍ୟରେ ପ୍ରଚାର ମୈଦାନକୁ ଓହ୍ଲାଇ ସାରିଥିବା ବେଳେ ଆଗାମୀ ପ୍ରଚାର ସମୟରେ ଏହି ବସରେ ବିଜେଡି ସୁପ୍ରିମୋଙ୍କୁ ଦେଖିବାକୁ ମିଳିବ । ସମୟ ବଦଳିବା ସହ ବଦଳିଛି, ପ୍ରଚାର କରିବାର ଶୈଳୀ । ବେଶ ସହଜରେ କିଭଳି ଲୋକଙ୍କ ପାଖରେ ପହଞ୍ଚି ହେବ ସେଥିପାଇଁ ଏଭଳି ହାଇଟେକ ବ୍ୟବସ୍ଥା ଆରମ୍ଭ ହୋଇଛି । ଆଉ ଏଭଳି ହାଇଟେକ ଫର୍ମୁଲାକୁ ଆପଣାଇ ନେଇଛନ୍ତି ବିଜେଡି ସୁପ୍ରିମୋ ।