ବିନା ଶିକ୍ଷକରେ ୨୦୧୨ରୁ ଚାଲିଛି ଉଚ୍ଚ ବିଦ୍ୟାଳୟ । ଅନ୍ୟ ସ୍କୁଲରୁ ଡେପୁଟେସନରେ ଆସି ସପ୍ତାହକୁ ୩ ଦିନ ପାଠ ପଢାଉଛନ୍ତି ଶିକ୍ଷକ ।

59

କନକ ବ୍ୟୁରୋ: ବିଚିତ୍ର ଶିକ୍ଷା ବ୍ୟବସ୍ଥା, ହାଇସ୍କୁଲରେ ପାଠ ପଢାଉଛନ୍ତି ପ୍ରାଇମେରୀ ଶିକ୍ଷକ । ୨୦୧୨ ମସିହାରୁ ନୋଡାଲ ଉ.ପ୍ରା ବିଦ୍ୟାଳୟକୁ ସରକାରୀ ଅପଗ୍ରେଡେଡ୍ ହାଇସ୍କୁଲର ମାନ୍ୟତା ପାଇଛି । ହାଇସ୍କୁଲର ମାନ୍ୟତା ପାଇବା ପରେ ନବମ ଓ ଦଶମ ଶ୍ରେଣୀରେ ପାଠପଢା ହେଉଛି । ଏହାରି ଭିତରେ ୮ଟି ବ୍ୟାଚର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ସାରିଲେଣି । କିନ୍ତୁ ହାଇସ୍କୁଲରେ ପଢାଇବା ପାଇଁ ଏଯାଏଁ ଜଣେ ବି ହାଇସ୍କୁଲ ଶିକ୍ଷକଙ୍କୁ ନିଯୁକ୍ତି ମିଳିନାହିଁ । ଶିକ୍ଷାର ଉନ୍ନତୀକରଣ ଦିଗରେ ସରକାର ଫୋକସ କରୁଥିବା ବେଳେ ବିନା ଶିକ୍ଷକରେ ଚାଲିଛି ହାଇସ୍କୁଲ ।

କେନ୍ଦ୍ରାପଡା ସାତଭାୟାବାସୀଙ୍କୁ ବଗପାଟିଆରେ ଥଇଥାନ କରି ବଗପାଟିଆର ପଞ୍ଚୁବରାହୀ ନୋଡାଲ ଉପ୍ରା ବିଦ୍ୟାଳୟକୁ ୨୦୧୨ରୁ ଏହାକୁ ଉଚ୍ଚ ବିଦ୍ୟାଳୟର ମାନ୍ୟତା ଦେଇଛନ୍ତି ସରକାର । ୨୦୧୨ରୁ ୨୦୨୦ ଭିତରେ ୮ଟି ବ୍ୟାଚ୍ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ସାରିଛନ୍ତି । ହେଲେ ଏଯାଏଁ ବିଦ୍ୟାଳୟରେ ଜଣେ ବି ହାଇସ୍କୁଲ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ । ଅନ୍ୟ ସ୍କୁଲର ୨ ଜଣ ଶିକ୍ଷକ ସପ୍ତାହକୁ ୩ଦିନ ଡେପୁଟେସନରେ ଆସି ପଢାଉଛନ୍ତି । ବାକି ୩ ଦିନ ଛାତ୍ରଛାତ୍ରୀ ନିଜେ ପଢୁଛନ୍ତି । ତେଣୁ ବର୍ଷ କର ପାଠ୍ୟକ୍ରମ ସରୁନଥିବା ବେଳେ ପିଲାମାନେ କେମିତି ମାଟ୍ରିକ ପରୀକ୍ଷା ଦେବେ ବୋଲି ଅଭିଯୋଗ କରିଛନ୍ତି ।

ପ୍ରାଥମିକ ବିଦ୍ୟାଳୟ ପାଇଁ ନିଯୁକ୍ତି ପାଇଥିବା ୯ ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ବି ଟ୍ରେଣ୍ଡ ବିଇଡି ଶିକ୍ଷକ ନଥିବାରୁ ସେମାନେ ହାଇସ୍କୁଲ ପିଲାଙ୍କୁ ପଢାଇ ପାରୁନଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ଶିକ୍ଷାର ବିକାଶ ପାଇଁ ଡିଣ୍ଡିମ ପିଟୁଥିବା ସରକାର ବଗପାଟିଆକୁ ମଡେଲ ଭିଲେଜ କରିବାକୁ ଘୋଷଣା କରିଛନ୍ତି । ଏଠାରେ ଉଚ୍ଚ ବିଦ୍ୟାଳୟ ଖୋଲି ଦେଇ କୌଣସି ଶିକ୍ଷକ ନିଯୁକ୍ତି ନଦେବା ଅଞ୍ଚଳବାସୀଙ୍କୁ ବିସ୍ମିତ କରିଛି । ସରକାର ଏହି ଅପଗ୍ରେଡେଡ ହାଇସ୍କୁଲ ପାଇଁ ସମସ୍ତ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଦିଅନ୍ତୁ ନଚେତ ଆନ୍ଦୋଳନକୁ ଓହ୍ଲାଇବ ବୋଲି ପଞ୍ଚାୟତବାସୀ ଓ ଅଭିଭାବକ ଚେତାବନୀ ଦେଇଛନ୍ତି ।