ସକ୍ରିୟ ହେଲା ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ । ୪୮ ଘଂଟା ଧରି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ଅରେଂଜ୍ ଓ ୧୫ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି

5,156

କନକ ବ୍ୟୁରୋ : ପଶ୍ଚିମ କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ । ବିଶେଷ କରି ଉତର ଓ ଉପକୂଳ ଓଡିଶାରେ ବର୍ଷାର ପରିମାଣ ଅଧିକ ରହିବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୫ଟି ଜିଲ୍ଲାକୁ ଅରେଂଜ୍ ୱାର୍ଣ୍ଣିଂ ଜାରି ହୋଇଛି । ସମ୍ଭାବ୍ୟ ଅତିପ୍ରବଳ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ୨୪ ଓ ୨୫ ତାରିଖ ଲାଗି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଘୂର୍ଣ୍ଣିବଳୟ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳ ଯାଏ ଲମ୍ବିଛି । ତେଣୁ ଗତକାଲିଠାରୁ ବର୍ଷାର ପରିମାଣ ବଢିଛି । ଆଜି ମୟୂରଭଂଜ, କେଉଁଝର , ଯାଜପୁର, ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିସହ ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଓ ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ସୁନ୍ଦରଗଡ, କେନ୍ଦୁଝର, ମୟୂରଭଂଜ, ଝାରସୁଗୁଡା, ସମ୍ବଲପୁର, ନୂଆପଡା, ନବରଙ୍ଗପୁର ଓ ବରଗଡରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ୨୬ ତାରିଖରେ ସୁନ୍ଦରଗଡ, କେନ୍ଦୁଝର, ଓ ଗଜପତିରେ ବର୍ଷା ହେବ ।