କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ଚର୍ଚ୍ଚା ଭିତରେ ସୋମବାର ଦିଲ୍ଲୀରେ ବସିଥିଲା ମନ୍ତ୍ରୀ ପରିଷଦ ବୈଠକ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିିଥିବା ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି । ସେପଟେ ଏକଥା ମଧ୍ୟ ଚର୍ଚ୍ଚା ହେଉଛି କିଛି ଦିନ ମଧ୍ୟରେ ମୋଦୀ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ହୋଇପାରେ । କ୍ୟାବିନେଟ ସଂପ୍ରସାରଣରେ ନୂଆ ଚେହେରାଙ୍କୁ ସାମିଲ କରାଯିବ ଓ କିଛି ପୁରୁଣା ଚେହେରାଙ୍କୁ ବିଦା କରାଯାଇପାରେ । ଏହି ଚର୍ଚ୍ଚା ଭିତରେ ମନ୍ତ୍ରୀ ପରିଷଦ ବୈଠକ ବସିଛି ଚର୍ଚ୍ଚା ହେଉଛି ୨୦୨୪ରେ ଯେଉଁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେସବୁ ରାଜ୍ୟକୁ ବିଜେପି ଫୋକସରେ ରଖିଛି । ଏଭଳି ପରିସ୍ଥିତିରେ ମୋଦୀ କ୍ୟାବିନେଟରେ ଏହି ରାଜ୍ୟଗୁଡିକର ପ୍ରତିନିଧିତ୍ୱ ବୃଦ୍ଧି କରିବାକୁ ବିଜେପି ରୋଡମ୍ୟାପ ପ୍ରସ୍ତୁତ କରୁଛି ।

Advertisment

ବିଜେପିର ତାଲିକାରେ ସବୁଠୁ ଆଗରେ ରହିଛି ମଧ୍ୟପ୍ରଦେଶ । ଆଗକୁ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ତେଣୁ ମଧ୍ୟପ୍ରଦେଶର କିଛି ନେତାଙ୍କୁ କ୍ୟାବିନଟରେ ସ୍ଥାନ ମଳିପାରେ । ମଧ୍ୟପ୍ରଦେଶ ସହ ତେଲେଙ୍ଗାନା, ରାଜସ୍ଥାନ ଓ ଛତିଶଗଡ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନକୁ ଆଖିରେ ରଖି ରଣନୀତି ପ୍ରସ୍ତୁତ କରୁଛି ବିଜେପି । ତେବେ ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ଅସ୍ଥିରତା ଭିତରେ ଏନସିପି ଦୁଇ ଫାଳ ହୋଇଛି ଓ ପ୍ରଫୁଲ ପଟେଲଙ୍କୁ ମୋଦୀଙ୍କ ଟିମରେ ସ୍ଥାନ ମିିଳିବା ନେଇ ଖୁବ ଚର୍ଚ୍ଚା ଚାଲିଛି ।

ଶେଷ ଥର ପାଇଁ ୨୦୨୧ ମନ୍ତ୍ରୀମଣ୍ଡଳ ଅଦଳବଦଳ ଓ ସଂପ୍ରସାରଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ସେସମୟରେ ୩୬ଜଣ ନୂଆ ଚେହେରାଙ୍କୁ ମୋଦୀଙ୍କ ଟିମରେ ସ୍ଥାନ ମିଳିଥିଲା ଓ ୧୨ଜଣଙ୍କୁ ବାଦ ଦିଆଯାଇଥିଲା ।

ଏଥରକ ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରଖିବା ପାଇଁ କିଛି କ୍ୟାବିନେଟ ମନ୍ତ୍ରୀଙ୍କୁ ସଂଗଠନର ଦାୟିତ୍ୱ ଦିଆଯାଇପାରେ ଓ ସଂଗଠନରେ ଥିବା କିଛି ପ୍ରମୁଖ ଚେହେରାଙ୍କୁ ସରକାରରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି ।ଚଳିତବର୍ଷ ୨ୟ ଥର ପାଇଁ ବସିଥିଲା ମନ୍ତ୍ରୀ ପରିଷଦ ବୈଠକ । ବିଭିନ୍ନ ମନ୍ତ୍ରାଳୟ ନିଜ କାମ ବାବଦରେ ବିବରଣୀ ଦେଇଥିଲେ । ତେବେ ଏଥରକ ବୈଠକରେ ୨୦୨୪ ନିର୍ବାଚନ ଉପରେ ଅଧିକ ଫୋକସ କରାଯାଇ ଆଲୋଚନା କରାଯାଇଛି । ସୋମବାର ବସିଥିବା ମନ୍ତ୍ରୀପରିଷଦ ବୈଠକରେ ଅଧ୍ୟକ୍ଷତା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ବୈଠକ ସଫଳ ହୋଇଥିବା କହି ମନ୍ତ୍ରୀମାନଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ।