କନକ ବ୍ୟୁରୋ : ରାଜଧାନୀରୁ ଯୁବକକୁ ଅପହରଣ ନାଟକରେ ଯବନିକା ପକାଇଛି କମିସନରେଟ ପୁଲିସ । ଦୀର୍ଘ ୩୬ ଘଣ୍ଟାର ଅପରେସନ ପରେ ଯୁବକଙ୍କୁ ଅପହରଣକାରୀଙ୍କ କବଳରୁ ପୁଲିସ ସୁରକ୍ଷିତ ଉଦ୍ଧାର କରିଛି । ସେପଟେ ଯୁବକଙ୍କ ମୁଣ୍ଡଜାମିନ ରଖି ପରିବାର ଲୋକଙ୍କୁ ୩୦ଲକ୍ଷ ଟଙ୍କା ବଟି ମାଗୁଥିବା ଦୁର୍ବୃତ ଗିରଫ ହୋଇଛନ୍ତି । ରାଜଧାନୀରୁ ଇଶାନ ଅଗ୍ରୱାଲଙ୍କ ଏହି ଅପହରଣ ଓ ଉଦ୍ଧାର କାହାଣୀ କୌଣସି ବଲିଉଡ ଫିଲ୍ମ ଠାରୁ କମ ନୁହେଁ ।

Advertisment

ରାଜଧାନୀରେ ହାଇପ୍ରୋଫାଇଲ ଅପହରଣ । ସିନେମା ଷ୍ଟାଇଲରେ ଉଠାଇନେଲେ ଅପହରଣକାରୀ । ତାରିଖ- ୩୧ ଜାନୁଆରୀ, ସମୟ- ସନ୍ଧ୍ୟା ୭ଟା । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ପାଖକୁ ଫୋନ କଲ ଆସିଥିଲା, ଲକ୍ଷ୍ମୀସାଗର ଅଞ୍ଚଳରେ ଯୁବକ ଇଶାନ ଅଗ୍ରୱାଲଙ୍କ କିଡନାପ ହୋଇଛି । ଜୀବନ ବଦଳରେ ପରିବାର ଲୋକଙ୍କୁ ମାଗୁଛନ୍ତି ୩୦ ଲକ୍ଷ ଟଙ୍କା । ଟଙ୍କା ନଦେଲେ ହତ୍ୟା କରିବାକୁ ବି ଧମକ ଦିଆଯାଇଥିଲା । ଆଉ ଏହାପରେ ଆରମ୍ଭ ହୋଇଥିଲା କମିଶନରେଟ ପୁଲିସର ଅପରେଶନ । ସ୍ପେଶାଲ ସ୍କ୍ୱାଡ ଓ କମିଶନରେଟ ପୁଲିସର କିଛି ଅଧିକାରୀଙ୍କୁ ନେଇ ଗଠନ ହୋଇଥିଲା ୪ଟି ଟିମ୍ ।

ବିଭିନ୍ନ ସୂତ୍ର ଆଧାରରେ ପ୍ରଥମେ ଖବର ସଂଗ୍ରହ କରିଥିଲା ଏହି ଟିମ୍ । ଭଏସ ଆନାଲିସିସି, ଟେକ୍ନିନାଲ ଆନାଲିସିସ ଓ ପୁରୁଣା କ୍ରାଇମ ରେକର୍ଡ ଓ ଲୋକେସନ ଟ୍ରାକିଂ ମାଧ୍ୟମରେ ଏହି ଟିମକୁ ମିଳିଥିଲା କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍ । ଏହାପରେ ଟିମ୍ ଅପହରଣକାରୀଙ୍କୁ ଠାବ କରିବା ସହ ଇଶାନ ଅଗ୍ରୱାଲଙ୍କୁ ଠାବ କରିବାକୁ ବାହାରିଯାଇଥିଲା । ପାଖାପାଖି ୮ ଶହ କିଲୋମିଟର ବୁଲିଥିଲା ଟିମ୍ । ଖୋର୍ଦ୍ଧା, ବ୍ରହ୍ମପୁର, ନୟାଗଡ ଅଞ୍ଚଳରେ ଅପହରଣକାରୀଙ୍କୁ ତନ୍ନ ତନ୍ନ ଖୋଜିଥିଲା ଟିମ୍ ।

ଏକ ଗାଡି ଉପରେ ସନ୍ଦେହ ହେବାରୁ ସାଧା ପୋଷାକରେ ୨ଜଣ ପୁଲିସ ଅଧିକାରୀ ବାଇକରେ କାରକୁ ଫଲୋ କରୁଥିବା ସହ ଲାଇଭ ଭିଡିଓ ମାଧ୍ୟମରେ କିଛି ଦୂରରେ ଥିବା ଅନ୍ୟ ପୁଲିସ ଅଧିକାରୀଙ୍କୁ ସେହି ଦୃଶ୍ୟ ଦେଖାଉଥିଲେ । ୩୬ ଘଣ୍ଟାର ଅପରେସନ ପରେ ସୁନାଖଳାର ଏକ ଜଙ୍ଗଲ ଭିତରେ ଯେତେବେଳେ ଜଣାପଡିଥିଲା ଗାଡି ଭିତରେ ଅପହରଣକାରୀ ଓ ଇଶାନ ଅଛନ୍ତି, ପୁଲିସର ଆଉ ଏକ ଟିମ୍ ୨ ଅପହରଣକାରୀଙ୍କୁ ଘେରିଯାଇ ମାଡିବସିଥିଲେ । ଏହା ପରେ ପରେ ଆଉ ୨ ଜଣଙ୍କୁ କାବୁ କରିଛି ପୁଲିସ ।

ଇଶାନ ଅଗ୍ରୱାଲଙ୍କ କିଡନାପ କାହାଣୀ କୌଣସି ଫିଲ୍ମ ଷ୍ଟାଇଲରୁ କମ ନଥିଲା । ୩୧ ତାରିଖ ସନ୍ଧ୍ୟାବେଳେ ଇଶାନ ଅଗ୍ରୱାଲ ଚାଲି ଚାଲି ଯାଉଥିବାବେଳେ ଅପହରଣକାରୀ ତାଙ୍କୁ ଡାକି ଗାଡି ଭିତରକୁ ଟାଣିନେଇଥିଲେ । ପରେ ମୁହଁରେ କପଡା ବାନ୍ଧି ତାଙ୍କୁ ଅପହରଣ କରିନେଇଥିଲେ । ଏହାପରେ ତାଙ୍କୁ ପାଖାପାଖି ୭ ଶହ କିଲୋମିଟର ଧରି ବିଭିନ୍ନ ସ୍ଥାନକୁ ନେଇଥିଲେ ।

ପୁଲିସ ଭଳି ଅପହରଣକାରୀମାନେ ବି ନିଜ ପ୍ଲାନକୁ କାର୍ଯ୍ୟକାରୀ କରିବା ଓ ପୁଲିସକୁ ଚକମା ଦେବାକୁ ବିଭିନ୍ନ ପନ୍ଥା ଆପଣାଇଥିଲେ ।
- ଅପହରଣକାରୀ ନିଜ ସୁରକ୍ଷା ପାଇଁ ୩ଟି ଟିମ୍ ଗଠନ କରିଥିଲେ
- ସବୁ ସମୟରେ ପରସ୍ପରଠାରୁ ୨୦ରୁ ୩୦ କିମି ଦୂରତାରେ ରହୁଥିଲେ ।
- ଅପହରଣକାରୀ ସିଧାସଳଖ ଇଶାନଙ୍କ ବାପାଙ୍କୁ ଫୋନ କରୁନଥିଲେ
- ଧରାପଡିଯିବା ଭୟରେ ଅନ୍ୟ ଟିମ୍ ଜରିଆରେ ଇଶାନଙ୍କ ବାପାଙ୍କୁ ଫୋନ କରାଯାଉଥିଲା
- ଫଳରେ ଫୋନକୁ ଟ୍ରାକ୍ କରିବାରେ ସମସ୍ୟା ଉପୁଜିଥିଲା

କେବଳ ଏହି ଗୋଟିଏ ଅପହରଣ ଘଟଣା ନୁହେଁ, ଜାନୁଆରୀ ୩ ତାରିଖରେ ବି ଏହି ଅପହରଣକାରୀମାନେ ରାଜଧାନୀର ଜଣେ ବ୍ୟବସାୟୀଙ୍କୁ ଠିକ୍ ସମାନ ଢଙ୍ଗରେ କିଡନାପ୍ କରିଥିଲେ । ହେଲେ ଉପସ୍ଥିତ ବୁଦ୍ଧି ଖଟାଇ ସମ୍ପୃକ୍ତ ବ୍ୟବସାୟୀ ଖସିଆସିଥିଲେ । ହେଲେ ଅପହରଣକାରୀମାନେ ଖସି ପଳାଇଯିବାରେ ସକ୍ଷମ ହୋଇଥିଲେ ।