ପଞ୍ଚାୟତ ଲଢେଇରେ ହାଇପ୍ରୋଫାଇଲ ପ୍ରାର୍ଥୀ । ଗଞ୍ଜାମ ଗାଁ ରାଜନୀତିରେ ଶିଳ୍ପପତି ଓ ବ୍ୟବସାୟୀ

189

କନକ ବ୍ୟୁରୋ: ପଞ୍ଚାୟତ ରାଜନୀତିରେ ହାଇପ୍ରୋଫାଇଲ ପ୍ରାର୍ଥୀ । ଜୋରଦାର ହେବ ଗଞ୍ଜାମ ହିଞ୍ଜିଳି ବ୍ଲକ ସାରୁ ପଞ୍ଚାୟତରେ ଲଢେଇ । କାରଣ ଗାଁ ରାଜନୀତିରେ ମୁହାଁମୁହିଁ ହୋଇଛନ୍ତି ଶିଳ୍ପପତି, ବ୍ୟବସାୟୀ ଓ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ସାରୁ ପଞ୍ଚାୟତରେ ଏଥର ଘମାଘୋଟ ଲଢେଇ ଦେଖିବାକୁ ମିଳିବ । କାରଣ ଏଠାରେ ଗାଁ ରାଜନୀତିରେ ମୁକାବିଲା କରୁଛନ୍ତି ଶିଳ୍ପପତି, ବ୍ୟବସାୟୀ ଓ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ । ଚର୍ଚ୍ଚାର ଆଗରେ ରହିଛନ୍ତି ସରପଞ୍ଚ ପ୍ରାର୍ଥୀ ନିଳାଞ୍ଚଳ ସାହୁ । କାରଣ ମୁମ୍ବାଇରେ ଦୀପକ ପ୍ଲାଷ୍ଟୋ ନାଁରେ ଏକ କାରଖାନା କରିଛନ୍ତି ନିଳାଞ୍ଚଳ । ଯେଉଁଥିରେ ତାଙ୍କରି ଗାଁରୁ ଶତାଧିକ ଲୋକ କାମ କରନ୍ତି । ମୁମ୍ବାଇ କାରଖାନାରେ ୫ଶହରୁ ଅଧିକ ଲୋକଙ୍କୁ ରୋଜଗାର ଦେଇଛନ୍ତି । ଏବେ ସେ ନିର୍ବାଚନକୁ ଓହ୍ଲାଇଥିବାବେଳେ ଗାଁ ଗାଁରେ ବୁଲି ନିଜ ପାଇଁ ଭୋଟ୍ ମାଗୁଛନ୍ତି ।

ସେହିଭଳି ଆଉ ଜଣେ ଚର୍ଚ୍ଚିତ ପ୍ରାର୍ଥୀ ଉମାଚରଣ ସାହୁ । ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବାବେଳେ ବର୍ତ୍ତମାନ ସେ ୬୭ ନମ୍ବର ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ । ଏହି ଅଞ୍ଚଳରୁ ଅଧିକାଂଶ ଲୋକ ମହାରାଷ୍ଟ୍ରରେ ଯାଇ କାମ କରନ୍ତି । ଏବେ ନିର୍ବାଚନ ସମୟରେ ଭୋଜିଭାତ ଚାଲିଥିବାବେଳେ ଗାଁକୁ ଫେରନ୍ତି । ତେଣୁ ଏଭଳି ଭୋଟରଙ୍କ ସମର୍ଥନ ହାସଲ ପାଇଁ ଏହି ହାଇପ୍ରୋଫାଇଲ ପ୍ରାର୍ଥୀମାନେ ଏବେ ପୁଳା ପୁଳା ଟଙ୍କା ଅଜାଡି ଦେଉଛନ୍ତି ।

ଭୋଟରଙ୍କ ପାଦ ଛୁଇଁଲେ ପ୍ରାର୍ଥୀ

ମତଦାନ ପାଖେଇ ଆସୁଥିବାବେଳେ କେନ୍ଦ୍ରାପଡା ମହାକାଳପଡା ୨୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ଉଷ୍ମ ହୋଇଛି ନିର୍ବାଚନୀ ପାଣିପାଗ । ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ଅନୁରାଧା ସ୍ୱାଇଁ ଯଦୁପୁର ଏବଂ ମଶାକଣି ଗାଁରେ ଘରଘର ବୁଲି ଭୋଟ୍ ମାଗୁଛନ୍ତି । ଗତ ନିର୍ବାଚନରେ ବିଜେପି ଏହି ଜୋନଟି ହାତେଇ ଥିବାବେଳେ ଏଥର ଛଡାଇ ଆଣିବାକୁ ଉଦ୍ୟମ କରୁଛି ବିଜେଡି । ସେଥିପାଇଁ ବରିଷ୍ଠ ଭୋଟର ଓ ଗରୁଜନଙ୍କ ପାଦ ଛୁଇଁ ନମସ୍କାର କରିବା ସହ ସମର୍ଥନ ପାଇଁ ଆଶୀର୍ବାଦ ମାଗୁଛନ୍ତି ।

ଭୋଟରଙ୍କ ଆଶୀର୍ବାଦ ମିଳିଲେ ୫ ବର୍ଷ ପାଇଁ ଗାଁ ରାଜନୀତିରେ ସ୍ଥାନ ପକ୍କା । ଆଉ ସେଥିପାଇଁ କେଉଁଠି ଭୋଟରଙ୍କୁ ଭୋଜି ଭାତରେ ଆପ୍ୟାୟିତ କରି ସମର୍ଥନ ହାସଲର ଉଦ୍ୟମ ଚଳାଇଛନ୍ତି ହାଇପ୍ରୋଫାଇଲ ପ୍ରାର୍ଥୀ । ତ ଆଉ କେଉଁଠି ବିଜୟ ସମ୍ଭାବନା ନେଇ ଭୋଟରଙ୍କ ଗୋଡତଳେ ପ୍ରାର୍ଥୀ ପଡୁଥିବା ଦେଖିବାକୁ ମିଳିଛି ।