କନକ ବ୍ୟୁରୋ: ପଂଚାୟତ ନିର୍ବାଚନରେ ହାଇପ୍ରୋଫାଇଲ ପ୍ରଚାର । ମଇଦାନକୁ ଓହ୍ଲାଇଲେ ବିଜେପି ସାଂସଦ ଅପରାଜିତା, ମନ୍ତ୍ରୀ ଅରୁଣ ସାହୁ ଓ ପ୍ରମିଳା ବିଷୋୟୀ । ଗାଁ ଗାଁରେ ବଢ଼ିଲାଣି ନିର୍ବାଚନୀ ଉଷ୍ମତା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିପଡିଛନ୍ତି ନେତା ମନ୍ତ୍ରୀ । ନିଜ ନିଜ ଉଦ୍ୟମରେ କିପରି ଭୋଟ ବ୍ୟାଙ୍କକୁ ହାତେଇବେ ଲାଗିପଡିଛନ୍ତି । ୱାର୍ଡ ସଭ୍ୟ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ପ୍ରାର୍ଥୀ ଭୋଟରଙ୍କୁ ମନେଇବାକୁ ଲାଗି ପଡ଼ିଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଖୋର୍ଦ୍ଧା ଜିଲ୍ଲାର ବୋଲଗଡରେ ଗାଁ ଦାଣ୍ଡରେ ଅପରାଜିତା ଚାଲି ଚାଲି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କୁ ମନାଉଥିବା ଦେଖିବାକୁ ମିଳିଛି । ନିର୍ବାଚନ ପ୍ରଚାର ସମୟରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଅପରାଜିିତା କହିଛନ୍ତି ରାଜ୍ୟରେ ଚାଲିଥିବା ଦୁର୍ନୀତି ନେଇ ଜନସାଧାରଣ ଅତିଷ୍ଠ ହୋଇ ପରିବର୍ତନ ଚାହିଁଲେଣି ।
ଏହାସହ ପଂଚାୟତ ନିର୍ବାଚନ ପ୍ରଚାରରେ ଲାଗି ପଡିପଡିଛନ୍ତି ମନ୍ତ୍ରୀ, ବିଧାୟକ ଓ ରାଜନେତା । ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି । ନୟାଗଡ଼ରେ ନିଜ ନିର୍ବାଚନ ମଣ୍ଡଳୀରେ ମନ୍ତ୍ର୍ରୀ ଅରୁଣ ସାହୁ ଜୋରଦାର ପ୍ରଚାର କରୁଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀର ୧୪ ଏବଂ ୧୫ ନମ୍ବର ଜୋନରେ ବାଇକ ରାଲି କରିବା ସହ ପଚାର କରୁଛନ୍ତି ମନ୍ତ୍ରୀ ଅରୁଣ ସାହୁ । ନୟାଗଡ଼ର ଇକିରି, ଜହ୍ନିପଦା, ବାଉଁସିଆପଡା ପଂଚାୟତରେ ଘର ଘର ବୁଲି ମନ୍ତ୍ରୀ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।
ସେହିପରି ଗଂଜାମ ଜିଲ୍ଲାର ସାନଖେମୁଣ୍ଡିରେ ପଂଚାୟତ ନିର୍ବାଚନ କଂଗ୍ରେସ ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଗଞ୍ଜାମରେ ୧୩ ବିଧାନସଭା ଆସନ ମଧ୍ୟରୁ ସାନଖେମୁଣ୍ଡି ଆସନ କଂଗ୍ରେସ କବଜାରେ ରହିଛି । ଏଠାରେ ରମେଶ ଜେନା ବିଧାୟକ ଅଛନ୍ତି । ସେ ଗଂଜାମ ଜିଲ୍ଲା କଂଗ୍ରେସ ସଭାପତି ବି ଅଛନ୍ତି । ତେଣୁ ରମେଶଙ୍କ ଗଡରେ ଜିତିବା ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇଛି । ସାନଖେମୁଣ୍ଡିରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ନେତା । ପଂଚାୟତ ନିର୍ବାଚନ ପାଇଁ ବିଜେଡିର ଜିଲ୍ଲା ନେତା ସାନଖେମୁଣ୍ଡିରେ ପ୍ରଚାର କରିଛନ୍ତି । ଏଥିରେ ସାମିଲ ହୋଇଥିଲେ ବିଧାୟକ ଅନନ୍ତ ଜେନା, ଆସ୍କା ସାଂସଦ ପ୍ରମିଳା ବିଷୋୟୀ । ଅନନ୍ତ ଜେନା ବାଇକରେ ବୁଲି ବୁଲି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।