ଦିଲ୍ଲୀରେ ‘ବୁଲବୁଲ’ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସି ମାଧ୍ୟମରେ ମୁକାବିଲା ନେଇ ସମୀକ୍ଷା

ଓଡିଶା ଓ ପଶ୍ଚିମବଙ୍ଗର ଅଧିକାରୀଙ୍କ ସହ ଚାଲଛି ଆଲୋଚନା

796

କନକ ବ୍ୟୁରୋ: ଦିଲ୍ଲୀରେ ବାତ୍ୟା ‘ବୁଲବୁଲ’ ଚିନ୍ତା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସି ମାଧ୍ୟମରେ ମୁକାବିଲା ନେଇ ସମୀକ୍ଷା କରାଯାଉଛି । ଓଡିଶା, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବରର ଅଧିକାରୀଙ୍କ ସହ ଆଲୋଚନା ଚାଲଛି । ବୈଠକରେ ଗୃହ ସଚିବ ସଂଜୀବ ଚୋପ୍ରା, ଏସଆରସି ବିକେ ଜେନା ଓ ପାଣିପାଗ ନିର୍ଦ୍ଦେଶକ ଏଚଆର ବିଶ୍ୱାସ ଉପସ୍ଥିତ ଅଛନ୍ତି । କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେଉଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

 

ସେପଟେ, ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାର ରୁପ ନେଇଛି । ଆସନ୍ତା ୨୪ ଘଂଟା ଭିତରେ ଏହା ତୀବ୍ର ସାମୁଦ୍ରିକ ବାତ୍ୟାର ରୁପ ନେବ । ଏହା ଏବେ ଘଂଟା ପ୍ରତି ୫ କିଲୋମିଟର ବେଗରେ ଗତିକରି ବାଂଲାଦେଶ ଆଡକୁ ମୁହାଁଉଛି । ଏହାର ପ୍ରଭାବରେ ଓଡିଶାର କେତକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ବାତ୍ୟା କିମ୍ବା ପ୍ରବଳ ବର୍ଷାର ସମ୍ଭାବନା ଓଡିଶାକୁ ନାହିଁ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ପାରାଦୀପ ଠାରୁ ୭୭୦ କିଲୋମିଟରରେ ଦୂରରେ ଗଭୀର ଅବପାତଟି ଘନୀଭୁତ ହୋଇଛି ।

ସେହିପରି ଆଣ୍ଡାମାନର ମାୟା ବନ୍ଦରର ଦକ୍ଷିଣ -ପଶ୍ଚିମ ଦିଗରେ ୪୦୦ କିଲୋମିଟର ଦୂରରେ ରହିଛି । ପଶ୍ଚିମବଙ୍ଗର ସାଗର ଦୀପାଂଚଳ ଠାରୁ ବୁଲବୁଲ ୮୫୦ କିମି ଓ ବାଂଲାଦେଶର ଖେପୁପାରା ଠାରୁ ୯୧୦କିମି ଦୂରରେ ରହିଛି । ଏହାର ପ୍ରଭାବରେ ଆସନ୍ତାକାଲି ସଂଧ୍ୟାରୁ ଓଡିଶା ଉପକୂଳରେ ପାଗ ମେଘୁଆ ରହିବ ଓ ସ୍ଥାନେ ସ୍ଥାନେ ଘଂଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ତେବେ ବାତ୍ୟା କେଉଁଠି ମାଡ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି । ଏହାର ପ୍ରଭାବରେ ୧୦ ଓ ୧୧ ତାରିଖରେ ପଶ୍ଚିମବଙ୍ଗ ଉପକୂଳରେ ପ୍ରବଳ ବର୍ଷା ଲାଗି ରହିବ ।