ଆଫଗାନିସ୍ତାନ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ, ଗୃହ, ରକ୍ଷା,ଅର୍ଥ ମନ୍ତ୍ରୀଙ୍କ ସହ ଏନଏସଏ ସାମିଲ

322

କନକ ବ୍ୟୁରୋ : ଆଫଗାନିସ୍ତାନର ସ୍ଥିତି ଏବେ ଭାରତ ପାଇଁ ଚିନ୍ତା ବଢାଇଛି । ସେଠାକାର ସ୍ଥିତି ଉପରେ ସମୀକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଜାତୀୟ ସୁରକ୍ଷା ପରିଷଦର ପରାମର୍ଶଦାତା ଅଜିତ ଡୋଭାଲ ବି ସାମିଲ ଅଛନ୍ତି । ସୂଚନା ମୁତାବକ ଆଫଗାନିସ୍ତାନର ସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀ ଲଗାତର ଭାବେ ଶୀର୍ଷ ଅଧିକାରୀମାନଙ୍କ ସଂପର୍କରେ ରହିଛନ୍ତି । ଗତକାଲି ମଧ୍ୟରାତ୍ର ଯାଏଁ ପ୍ରଧାନମନ୍ତ୍ରୀ ସେଠିକାର ସ୍ଥିତି ନେଇ ଶୀର୍ଷ ଅଧିକାରୀଙ୍କ ସହ ଫୋନରେ ବାର୍ତ୍ତାଳାପ ଜାରି ରଖିଥିଲେ । କାବୁଲରୁ ବିମାନ ଉଡାଣ ଭରିବା ନେଇ ତାଙ୍କୁ ସୂଚନା ଦିଆଯିବା ପରେ ଜାମନଗରରେ ଯାତ୍ରୀମାନଙ୍କ ଖାଇବା ପିଇବା ବନ୍ଦୋବସ୍ତ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

କହିରଖୁ କି କାବୁଲରେ ଥିବା ଭାରତୀୟ ରାଜଦୂତ ଏବଂ ଦୂତାବାସ କର୍ମଚାରୀଙ୍କ ସମେତ ୧୨୦ ଜଣ ଯାତ୍ରୀଙ୍କୁ ନେଇ ଭାରତୀୟ ବାୟୁସେନାର ଏକ ବିମାନ ଆଫଗାନିସ୍ତାନରୁ ବାହାରି ମଙ୍ଗଳବାର ଗୁଜୁରାଟର ଜାମନଗର ଠାରେ ପହଂଚିଥିଲା ।

ସୂଚନା ଥାଉକି ଆଫଗାନିସ୍ତାନର ରାଜଧାନୀ କାବୁଲକୁ ତାଲିବାନ ଦଖଲ କରିବା ପରେ ସେଠାରେ ଉପୁଜିଥିବା ସ୍ଥିତିକୁ ନେଇ ଲୋକଙ୍କୁ ସେଠାରୁ ବାହାର କରି ଭାରତୀୟ ବାୟୁସେନାର ଏକ ବିମାନ ସେଠାରୁ ଉଡାଣ ଆରମ୍ଭ କରିଥିଲା । ଏନେଇ ଆଫଗାନିସ୍ତାନରେ ଭାରତୀୟ ରାଜଦୂତ ରୂଦେନ୍ଦ୍ର ଟଣ୍ଡନ କହିଛନ୍ତି କି, କାବୁଲର ସ୍ଥତି ଏବେ ବହୁତ ଜଟିଳ ଓ ଅସ୍ୱଭାବିକ ରହିଛି । ବ୍ୟବସାୟୀକ ଉଡାଣ ବନ୍ଦ ହେବା ପରେ ବାକି ଲୋକଙ୍କୁ ସେଠାରୁ ଉଦ୍ଧାର କରାଯିବ ।