ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ।

270

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ଭିଡିଓ କନଫରେନ୍ସିଂ ଜରିଆରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଚାଲିଛି ଉଚ୍ଚସ୍ତରୀୟ ବୈଠକ । ତେବେ ଏହି ବୈଠକରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକର ଜିଲ୍ଲାପାଳ ଉପସ୍ଥିତ ରହିଛନ୍ତି । ଏହା ସହ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।

ସେପଟେ ଆହୁରି ସକ୍ରିୟ ହେଉଛି ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ । କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ପହଞ୍ଚିଛି ଲଘୁଚାପ । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ୨ ତାରିଖରେ ଅବପାତର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି । ପ୍ରଭାବରେ କାଲିଠୁ ଓଡିଶାର ବଦଳିବ ପାଗ । ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ । ୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

୧୧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ନୟାଗଡ଼ ଏବଂ ଯାଜପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସର୍ତକତା ଜାରି କରାଯାଇଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିପାରେ । ବାତ୍ୟା ସମୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଂଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବ । ଏଥିପାଇଁ କାଲିସୁଦ୍ଧା କୂଳକୁ ଫେରିଆସିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।