ସମୁଦ୍ରରେ ବଳ ଗୋଟାଉଛି ଲଘୁଚାପ । ୩ରେ ନେବ ବାତ୍ୟାର ରୂପ, ୪ରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଜୱାଦ୍’ ।

626

କନକ ବ୍ୟୁରୋ : ବଙ୍ଗୋପସାଗର ନିକଟରେ ଏବେ ବଳ ଗୋଟାଉଛି ଲଘୁଚାପ । ଆସନ୍ତାକାଲି ଏହା ଅବପାତର ରୂପ ନେବ, ଏହାପରେ ବାତ୍ୟା କେମିତି ଆସିବ ଓ କୁଆଡେ ଯିବ ସେନେଇ ସ୍ପଷ୍ଟ ସୂଚନା ମିଳିପାରିବ । ତେବେ ଭାରତୀୟ ପାଣିପାଗ ବିଭାଗର ଆକଳନ କହୁଛି, ବାତ୍ୟା ‘ଯୱାଦ’ ଗୁଲାବ ଠାରୁ ଅଧିକ ହେବ କିନ୍ତୁ ଫନି ଠାରୁ କମ୍ ପ୍ରଭାବୀ ରହିବ । ପବନର ବେଗ ୧୦୦ରୁ ୧୧୦ କିଲୋମିଟର ପର୍ଯନ୍ତ ଯାଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।

ସମୁଦ୍ରରେ ବଳ ଗୋଟାଉଛି ଲଘୁଚାପ । ୩ରେ ନେବ ବାତ୍ୟାର ରୂପ, ୪ରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଜୱାଦ୍’ । କେନ୍ଦ୍ରୀୟ ଆଣ୍ଡାମାନ ସାଗର ଏବଂ ତାର ପାଶ୍ୱ ର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଲଘୁଚାପ ସମୁଦ୍ର ଗର୍ଭରେ ଶକ୍ତି ସଂଗ୍ରହ କରି ଆଗକୁ ବଢ଼ୁଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଲଘୁଚାପଟି ୨ତାରିଖରେ ଅବପାତର ରୂପ ନେବ । ପରବର୍ତ୍ତୀ ୨୪ଘଣ୍ଟାରେ ଆହୁରି ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ । ଆଉ ୪ତାରିଖରେ ବଳ ଜୁଟାଇ ଭୀଷଣ ବାତ୍ୟାର ରୂପ ନେଇ, ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ମଧ୍ୟଭାଗରେ ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଛନ୍ତି ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

୨ତାରିଖରୁ ରାଜ୍ୟରେ ବଦଳିବ ପାଗ । ୩ ଓ ୪ରେ ପ୍ରବଳ ବର୍ଷା । ୧୦୦ରୁ ୧୧୦ କି.ମି. ବେଗରେ ବହିବ ପବନ । ବାତ୍ୟା ଜୱାଦ୍’ ୪ତାରିଖରେ ସ୍ଥଳଭାଗ ଛୁଇଁଲେ ବି ଏହାର ପ୍ରଭାବରେ ଗୁରୁବାରଠାରୁ ରାଜ୍ୟରେ ପାଗ ବଦଳିିଯିବ । ୩ ରୁ ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ ।

ସେହିପରି ୪ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ନୟାଗଡ଼ ଏବଂ ଯାଜପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ବାତ୍ୟା ସମୟରେ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏବଂ ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ହେବାର ସମ୍ଭାବନା ରହିଛି । ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିପାରେ । ଏସବୁକୁ ଦୃଷ୍ଟିରେ ରଖି ୧୧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବାତ୍ୟା ମୁକାବିଲା ପାଇଁ ସଜାଗ ସରକାର । ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ । ସମ୍ଭାବ୍ୟ ବାତ୍ୟାର ପ୍ରକୋପ କେତେ ରହିବ, ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ କିଭଳି ମୁକାବିଲା କରାଯିବ ଓ କ୍ଷତିର ପରିମାଣ ଯେତେ ସମ୍ଭବ କମ୍ ହେବ ସେଥିପାଇଁ ପ୍ରସ୍ତୁତି କରିଛନ୍ତି ସରକାର । ବାତ୍ୟା ମୁକାବିଲା ପାଇଁ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ପ୍ରଭାବିତ ହେବାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । କହିଛନ୍ତି,
– ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରଖ
– ତଳିଆ ଅଞ୍ଚଳ ଲୋକଙ୍କୁ ଆବଶ୍ୟକତା ଦେଖି ସ୍ଥାନାନ୍ତରିତ କର
– ଅଗ୍ନିଶମ ବାହିନୀ, ଓଡ୍ରାଫ, ଏନଡିଆରଏଫକୁ ସଜାଗ ରଖ
-୨୦୦ଟି ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ
– ଉପକୂଳ ସହିତ ନୟାଗଡ ଓ ମୟୂରଭଞ୍ଜକୁ ଆଲର୍ଟ ରହିବାକୁ କୁହାଯାଇଛି