ଲୋକମାନ୍ୟ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାର ହେବ ଉଚ୍ଚସ୍ତରୀୟ ତଦନ୍ତ । ଘଟଣାକୁ ଗୁରୁତ୍ୱର ସହ ନେଲେ ରେଳ ମନ୍ତ୍ରୀ, ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକଙ୍କୁ କୃତଜ୍ଞତା ଜଣାଇଲା ରେଳବାଇ ।

186

କନକ ବ୍ୟୁରୋ: କାହିଁକି ହେଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା? ଏନେଇ ହେବ ଉଚ୍ଚସ୍ତରୀୟ ତଦନ୍ତ । ଆଉ ଏହାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ବୋଲି କହିଛନ୍ତି ପୂର୍ବତଟ ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଜେ.ପି ମିଶ୍ର । ଏପରିକି ଏହା ସାମାନ୍ୟ ନୁହେଁ ବରଂ ବଡ ଧରଣର ଦୁର୍ଘଟଣା । ତେଣୁ କେଉଁ କାରଣ ପାଇଁ ଏ ଦୁର୍ଘଟଣା ହେଲା ଏହାର ପୁଙ୍ଖନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ଦୁର୍ଘଟଣା ସମୟରେ ଘନ କୁହୁଡ଼ି ଥିଲା କିନ୍ତୁ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହାର ଚିତ୍ର ସ୍ପଷ୍ଟ ହୋଇନାହିଁ । ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ପ୍ରକାର ତଦନ୍ତ କରାଯିବ । ପ୍ରଥମେ ଟ୍ରେନର ସ୍ପିଡୋ ମିଟରକୁ ଜବତ କରାଯିବ । କିନ୍ତୁ ପ୍ରଥମେ ଆମେ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛୁ । ଗୁରୁତର ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଏବଂ ଆଂଶିକ ଆହତ ଯାତ୍ରୀଙ୍କୁ କିଭଳି ତାଙ୍କ ଗନ୍ତବ୍ୟସ୍ଥଳରେ ପହଁଚାଯାଉଛି ।

ଏଠାରେ ଉଲ୍ଲେଖ ଥାଉ କି, ମୁମ୍ବାଇ – ଭୁବନେଶ୍ୱର ଲୋକମାନ୍ୟ ତିଲକ ଟର୍ମିନସ୍ ଏକ୍ସପ୍ରେସ ଲାଇନଚ୍ୟୁତ । କଟକର ଶାଳଗାଁ ନିର୍ଗୁଣ୍ଡି ନିଟକରେ ଏକ୍ସପ୍ରେସ ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନକୁ ପଛରୁ ଧକ୍କା ଦେବା ଯୋଗୁଁ ଏଲଟିଟିଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ୩୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ଜଣଙ୍କୁ ଏସସିବି ସ୍ଥାନାନ୍ତରିତ କରାଯାଇଛି । କଟକ ବଡ ମେଡିକାଲରେ ଭର୍ତି ହୋଇଥିବା ୧୦ଜଣଙ୍କ ମଧ୍ୟରେ ୫ଜଣ ପୁରୁଷ, ୩ଜଣ ମହିଳା ଓ ୨ଶିଶୁ ଅଛନ୍ତି ।

ସେପଟେ ହେଲ୍ପଲାଇନ ନମ୍ବର ଜାରି କରିଛି ରେଳ ବିଭାଗ । ୦୬୭୧-୧୦୭୨ ଓ ୦୬୭୪-୧୦୭୨ ନମ୍ବରରେ ଫୋନ କରି ଯାତ୍ରୀଙ୍କ ସମ୍ପର୍କରେ ସୂଚନା ପାଇପାରିବେ ସମ୍ପର୍କୀୟ । ଏହାସହ ୧୨୮୭୯ନମ୍ବର ମୁମ୍ବାଇ – ଭୁବନେଶ୍ୱର ଲୋକମାନ୍ୟ ତିଲକ ଟର୍ମିନସ୍ ଏକ୍ସପ୍ରେସ ଦୁର୍ଘଟଣା ଫଳରେ ୫ଟି ଟ୍ରେନର ଗତିପଥ ବଦଳାଯାଇଛି । କଟକ ଦେଇ ଆସୁଥିବା ଟ୍ରେନ ଗୁଡିକର ନରାଜ ଦେଇ ଯାତାୟତ କରୁଛି । ଭୁବନେଶ୍ୱର – ଏଲଟିଟି, ପୁରୀ – ରାଉରକେଲା ପାସେଂଜର ଟ୍ରେନ, ଦୁର୍ଗ – ପୁରୀ ଏକ୍ସପ୍ରେସ, ଧନବାଦ – ଭୁବନେଶ୍ୱର ରାଜ୍ୟରାଣୀ ଏକ୍ସପ୍ରେସ ଓ ତାଳଚେର ପୁରୀ ମେମୁ ଟ୍ରେନ ନରାଜର ଗତିପଥ ବଦଳା ଯାଇଛି ।