ପଞ୍ଚାୟତ ପଲିଟିକ୍ସରେ ଉଚ୍ଚ ଶିକ୍ଷିତା ଯୁବତୀ: ଚାକିରି ଛାଡି ରାଜନୀତିରେ ପାଦଦେଲେ ଆଦିବାସୀ ଝିଅ

140

କନକ ବ୍ୟୁରୋ: ଚାକିରିରୁ ଇସ୍ତଫା ଦେଇ ଗାଁ ରାଜନୀତିରେ ପାଦ ଥାପିଛନ୍ତି ଉଚ୍ଚ ଶିକ୍ଷିତା ଆଦିବାସୀ ଝିଅ । ଆଦିବାସୀ ବହୁଳ ରାୟଗଡା ଜିଲ୍ଲାର ଦୁଇ ପାଠୁଆ ପାର୍ଥୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରାମାନାଗୁଡା “ ଖ “ ଜୋନ ଓ କାଶୀପୁର ଖ’ ଜୋନର ଉଚ୍ଚ ଶିକ୍ଷିତ ପ୍ରାର୍ଥୀଙ୍କୁ ନେଇ ପଂଚାୟତ ପଲିଟିକ୍ସି ଚାଲିଛି ।

ପଂଚାୟଚ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ଆଦିବାସୀ ଉଚ୍ଚ ଶିକ୍ଷିତ ଯୁବତୀ ସସ୍ମିତା ଗମାଙ୍ଗ । ଚାକିରିରୁ ଇସ୍ତଫା ଦେଇ ରାୟଗଡା ଜିଲ୍ଲା ରାମାନାଗୁଡା “ଖ“ ଜୋନରୁ ଜିଲ୍ଲା ପରିଷଦ ପାର୍ଥୀ ହୋଇଛନ୍ତି ସସ୍ମିତା । ୨୦୧୫ରେ ଗୁଣୁପୁର ସ୍ଥିତ ଗାୟତ୍ରୀ ବୈଷୟିକ ବିଦ୍ୟାଳୟରୁ ମାଷ୍ଟର ଇନ କମ୍ପୁଟର ଆପ୍ଲିକେସେନ ଡିଗ୍ରୀ ହାସଲ କରିବା ପରେ ଭୁବନେଶ୍ୱରରେ ଚାକିରି କରୁଥିଲେ । ସେଥିରେ ନିଜର ବିକାଶ ହେଲା କିନ୍ତୁ ନିଜ ସମ୍ପ୍ରଦାୟ, ଅଂଚଳ ପାଇଁ କିଛି କରିପାରିଲେ ନାହିଁ । ତେଣୁ ଚାକିରି ଛାଡି ରାଜନୀତିରେ ପାଦ ଦେଇଥିବା କୁହନ୍ତି ସସ୍ମିତା ।

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ରାୟଗଡାର ଆଉ ଏକ ଚର୍ଚ୍ଚିତ ଚେହେରା, ୨୪ ବର୍ଷିୟ ରିଙ୍କି ନାୟକ । ଉକ୍ରଳ ବିଶ୍ୱ ବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ, ପରେ ୟ୍ୟୁନିଭରସିଟି ଲ’ କଲେଜରୁ ଏଲ୍ଏଲ୍ବି ଡିଗ୍ରୀ ହାସଲ କରିଛନ୍ତି । ବର୍ତମାନ ବର୍ତମାନ ହ୍ୟୁମନ ରାଇଟ୍ସରେ ଏଲ୍ଏଲ୍ଏମ ପାଠ ପଢୁଥିବା ଉଚ୍ଚ ଶିକ୍ଷିତ ଯୁବତୀ ରିଙ୍କି ସ୍ୱାଧିନ ପ୍ରାର୍ଥୀ ଭାବେ ପଂଚାୟତ ପଲିଟିକ୍ସକୁ ଓହ୍ଲାଇଛନ୍ତି । ଏକ ଅନୁନ୍ନତ ଅଂଚଳ ଭାବେ ପରିଚିତ କାଶିପୁର ଖ ଜୋନର୍ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ରିଙ୍କି ।

ରାୟଗଡା ଜିଲ୍ଲାର ଅନେକ ଅଂଚଳରେ ଆଜି ବି ଲୋକଙ୍କୁ ମୌଳିକ ସୁବିଧା ମିଳିପାରୁନାହିଁ । ଶିକ୍ଷା, ବିଜୁଳି ,ରାସ୍ତାଘାଟ ଓ ସ୍ୱାସ୍ଥ୍ୟ ସେବା ଭଳି ସମସ୍ୟା ରହିଛି । ଅନେକ ସମୟରେ ଏହି ଜିଲ୍ଲାର ବିଭିନ୍ନ ସ୍ଥାନରେ ରୋଗୀ ଖଟିଆରେ ବୁହାହେବା ଚିତ୍ର ସାମ୍ନାକୁ ଆସେ । ଏସବୁ ଭିତରେ ଚଳିତ ପଂଚାୟତ ନିର୍ବାଚନରେ ପାଠୁଆ ପ୍ରାର୍ଥୀଙ୍କ ପ୍ରବେଶ କିଛି ନୂଆ ହେବାର ଆଶା ସଂଚାର କରିଛି ।