କନକ ବ୍ୟୁରୋ: ନିଟ୍ ପରୀକ୍ଷାକୁ ନେଇ ବିବାଦ ଭିତରେ ୟୁଜିସି-ନେଟ୍ ପରୀକ୍ଷା ବାତିଲ କରାଯାଇଛି । ପରୀକ୍ଷା ହେବାର ଦିନକ ପରେ ଅନିୟମିତା ଯୋଗୁ ପରୀକ୍ଷାକୁ ରଦ୍ଦ କରଯାଇଛି । ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଅସନ୍ତୋଷ ବଢିବାରେ ଲାଗିଛି । ବିରୋଧୀ ବିଜେପିକୁ ଘେରିବା ସହ ମୋଦୀଙ୍କୁ କଡା ସମାଲୋଚନା କରିଛନ୍ତି । ଦେଶର ୩୧୭ ସହରର ୧୨୦୫ କେନ୍ଦ୍ରରେ ୟୁଜିସି-ନେଟ ପରୀକ୍ଷାର ଆୟୋଜନ କରାଯାଇଥିଲା । ୧୧ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ ।

Advertisment

ପରୀକ୍ଷାର ସ୍ୱଚ୍ଛତା ଉପରେ ପ୍ରଶ୍ନ
‘ୟୁଜିସି-ନେଟ୍’ ପରେ ‘ନିଟ୍’ ରଦ୍ଦ ଦାବି

ବିଶ୍ୱବିଦ୍ୟାଳୟ ଓ କଲେଜରେ ସହକାରୀ ପ୍ରଫେସର ପଦବି ଏବଂ ଜୁନିୟର ରିସର୍ଚ୍ଚ ଫେଲୋସିପ୍ (ଜେଆରଏଫ) ପାଇଁ ହୋଇଥିବା ୟୁଜିସି-ନେଟ୍ ପରୀକ୍ଷା ରଦ୍ଦ ପରେ ଡାକ୍ତରୀ ପଢିବା ପାଇଁ ହୋଇଥିବା ନିଟ୍ ପରୀକ୍ଷା ରଦ୍ଦ କରିବାକୁ ଦାବି ଉଠିଛି । ୟୁଜିସି-ନେଟ୍ ପରୀକ୍ଷାରେ ଅନିୟମିତତା ନେଇ ସୂଚନା ମିଳିବା ପରେ ଏହାକୁ ରଦ୍ଦ କରିବା ସହ ଘଟଣାର ତଦନ୍ତଭାର ସିବିଆଇକୁ ଦିଆଯାଇଛି । ହେଲେ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ବିରୋଧୀ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପିୟଙ୍କା ଗାନ୍ଧୀ, ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ।

ସେପଟେ ୟୁଜିସି-ନେଟ୍ ପରୀକ୍ଷା ରଦ୍ଦ ପରେ ଦେଶରେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପଦର୍ଶନ କରିଛନ୍ତି । ଉଭୟ ୟୁଜିସି-ନେଟ୍ ଏବଂ ନିଟ୍ ପରୀକ୍ଷା ଦାୟିତ୍ୱରେ ଥିବା ନ୍ୟାସନାଲ ଟେକ୍ସଟିଙ୍ଗ ଏଜେନ୍ସି (ଏନଟିଏ) ଉପରେ ପ୍ରଶ୍ନ ଉଠିଛି । ଏନଟିଏର ଦାୟିତ୍ୱହୀନତା ପାଇଁ ଏଭଳି ଘଟୁଛି ନା ଏହା ପଛରେ କିଛି ବଡ଼ ଷଡଯନ୍ତ୍ର ଅଛି ତାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ପ୍ରଶ୍ନ ଘେରରେ ଥିବା ଏନଟିଏକୁ ବ୍ୟାନ କରିବାକୁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିକୁ ଅନୁରୋଧ କରିଛନ୍ତି ଏନଏସୟୁଆଇ ସଭାପତି ବରୁଣ ଚୌଧୁରୀ । କଂଗ୍ରେସ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଯାହାର ଜବାବ ରଖିଛି ବିଜେପି ।

ତେବେ ନିଟ୍, ୟୁଜିସି- ନେଟ ଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିଥିବା ବେଳେ ମେଧାବୀ ଛାତ୍ରଛାତ୍ରୀମାନେ ସେମାନଙ୍କର ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କୁ କଡା ଦଣ୍ଡ ଦେବାକୁ ସବୁଠି ଦାବି ଉଠିଛି ।