ରାଜଧାନୀରେ ପୋଲିସ ଦମ୍ପତ୍ତିଙ୍କ ହାଇଡ୍ରାମା : ପୋଲିସ ସ୍ୱାମୀ ନାଁରେ ପରକୀୟା ପ୍ରୀତି ଅଭିଯୋଗ ଆଣିଲେ ପତ୍ନୀ

କହିଲେ ପର ନାରୀ ପାଇଁ ସ୍ୱାମୀ ମତେ ଛାଡପତ୍ର ଦେବାକୁ ଚାହୁଁଛନ୍ତି

132

କନକ ବ୍ୟୁରୋ : ଅସହ୍ୟ ହେଲାଣି ପରକୀୟା ପ୍ରୀତି । ବିବାହ ପରେ ଅନ୍ୟ ନାରୀ ସହ ସମ୍ପର୍କ ପରିବାର ଉଜାଡ଼ିଲାଣି । ପ୍ରତ୍ୟେକ ଦିନ ଏ ନେଇ ଥାନାରେ ମାମଲା ହେଉଥିବା ବେଳେ ପରକୀୟାକୁ ନେଇ ଆଜି ଜଣେ ପୁଲିସ ଦମ୍ପତିଙ୍କ ଘରକଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି । ପରକୀୟାପ୍ରୀତିକୁ ନେଇ ଭୁବନେଶ୍ୱରରେ ପୋଲିସ ଦମ୍ପତି ହାତାହାତି ହୋଇଛନ୍ତି । ଏ ନେଇ ଏୟାରଫିଲ୍ଡ ଥାନାରେ ପରସ୍ପର ବିରୋଧର ଅଭିଯୋଗ କରିଛନ୍ତି ପତିପତ୍ନୀ । ଖବର ଅନୁସାରେ, ଅମରେଶ ସାହୁ ଆଳିରେ କନଷ୍ଟେବଳ ଭାବେ କାମ କରୁଥିବାବେଳେ ତାଙ୍କ ପତ୍ନୀ ଭଗବତୀ ନାୟକ ଭୁବନେଶ୍ୱର କମିଶନରେଟ ପୋଲିସରେ କାର୍ଯ୍ୟରତ ଅଛନ୍ତି । ଉଭୟେ ପରସ୍ପରଠାରୁ ୧୦ବର୍ଷ ହେଲା ଅଲଗା ରହୁଛନ୍ତି ।

ପର ନାରୀ ସହ ସମ୍ପର୍କ ସନ୍ଦେହ କରି କନେଷ୍ଟବଳ ସ୍ତ୍ରୀ ତାଙ୍କ କନେଷ୍ଟବଳ ସ୍ବାମୀଙ୍କ ସହ ମୁହାଁମୁହିଁ ହୋଇଥିବାବେଳେ ରାସ୍ତା ମଝିରେ ଉଭୟ ଗଡ଼ାଗଡ଼ି ହେବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । କ୍ରୋଧ ସମ୍ବରଣ କରି ନ ପାରି ସ୍ତ୍ରୀ ସ୍ବାମୀଙ୍କ ଗାଡ଼ି କାଚ ଭାଙ୍ଗି ଦେଇଥିବାବେଳେ ସ୍ବାମୀଙ୍କ ସହ ଯେଉଁ ମହିଳାଙ୍କ ସଂପର୍କ ନେଇ ସନ୍ଦେହ କରୁଛନ୍ତି ତାଙ୍କ ସ୍କୁଟି ମଧ୍ୟ ଭାଙ୍ଗି ଦେଇଛନ୍ତି । ବୁଧବାର ସକାଳେ ଏଭଳି ଏକ ଘଟଣା ଏୟାରଫିଲ୍ଡ ଥାନା ଅଞ୍ଚଳରେ ଘଟିଥିବାବେଳେ ମାମଲା ଥାନାକୁ ଯାଇଛି । ଉଭୟ ପକ୍ଷରୁ ଦାଖଲ ହୋଇଥିବା ଏତଲାକୁ ଆଧାର କରି ପୁଲିସ ତଦନ୍ତ କରୁଛି ।

ପୁଲିସଠାରୁ ମିଳିଥିବା ସୂଚନା‌ ଅନୁଯାୟୀ, ଯାଜପୁରର ଅମରେଶ ସାହୁ କେନ୍ଦ୍ରାପଡ଼ା ଆଳି ଥାନାରେ କନେଷ୍ଟବଳ ଥିବାବେଳେ ତାଙ୍କ ପତ୍ନୀ ଭଗବତୀ ନାୟକ କମିସନରେଟ ପୁଲିସର ବଡ଼ଗଡ଼ ଥାନାରେ କନେଷ୍ଟବଳ ଅଛନ୍ତି । ଉଭୟ ଏକାଠି ପୁଲିସରେ ଚାକିରି କଲାବେଳେ ୨୦୦୮ ମସିହାରେ ପ୍ରେମ ବିବାହ କରିଥିଲେ । ପରେ ସେମାନଙ୍କର ଏକ ଝିଅ ମଧ୍ୟ ଜନ୍ମ ହୋଇଥିଲା । ଏହା ପରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା । ସ୍ଥିତି ଏଭଳି ହୋଇଥିଲା ଯେ ପରିବାର କୋର୍ଟରେ ଛାଡ଼ପତ୍ର ମାମଲା ରୁଜୁ ହୋଇଥିଲା । ମାମଲା ଏବେ ବି କୋର୍ଟରେ ବିଚାରାଧୀନ ଥିବାବେଳେ ଦୀର୍ଘ ୭ ବର୍ଷ ହେବ ଉଭୟ ଅଲଗା ରହୁଛନ୍ତି ।

ଇତିମଧ୍ୟରେ ସ୍ବାମୀ ଆଉ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ । ପତ୍ନୀଙ୍କ ପାଖରେ ଏ ନେଇ ଖବର ଥିଲେ ମଧ୍ୟ ପ୍ରମାଣ ନ ଥିଲା। ଏଣୁ ସେ ପ୍ରମାଣକୁ ଅପେକ୍ଷା କରିଥିଲେ । ଏୟାରଫିଲ୍ଡ ଥାନା ଅଞ୍ଚଳରେ ରହୁଥିବା ଅମରେଶଙ୍କ ଭାଇଙ୍କ ଘରେ ତାଙ୍କ ସ୍ବାମୀ ସମ୍ପୃକ୍ତ ମହିଳାଙ୍କ ସହ ଅଛନ୍ତି ବୋଲି ଆଜି ସକାଳେ ଖବର ପାଇବା ପରେ ସେ ସିଧା ଯାଇ ସେଠାରେ ପହଞ୍ଚିଥିଲେ । ପରନାରୀ ସହ ନିଜ ସ୍ବାମୀକୁ ଦେଖି ସେ ରାଗରେ ନାଲି ପଡ଼ି ଯାଇଥିଲେ । ଫଳରେ ସେଠାରେ ତୁମୁଳକାଣ୍ଡ ହୋଇଥିଲା । ଦୁହେଁ ରାସ୍ତା ଉପରେ ଗଡ଼ାଗଡ଼ି ହୋଇଥିଲେ ।

ସ୍ବାମୀ ଅମ‌‌ରେଶଙ୍କ ଅଭିଯୋଗ ମୁତାବକ, ଛାଡ଼ପତ୍ର ମାମଲା ୧୨ ବର୍ଷ ହେଲା ବିଚାରାଧୀନ ଅଛି । ଭଗବତୀ ବଡ଼ଗଡ଼ ବାସଭବନରେ ପଶି ମା’ ଓ ଘରକୁ ଆସିଥିବା ଜଣେ ଅତିଥିଙ୍କୁ ଆକ୍ରମଣ କରିଥିଲେ। ଏଣୁ ପତ୍ନୀଙ୍କ ବିରୋଧରେ ସେ ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ପତ୍ନୀ ଭଗବତୀଙ୍କ ଅଭିଯୋଗ ମୁତାବକ, ମୁଁ ଏଭଳି କାଣ୍ଡ କରିନାହିଁ । ବରଂ ସ୍ବାମୀଙ୍କ ସହ ଅନ୍ୟ ଯୁବତୀଙ୍କୁ ଦେଖି ମୁଁ ପ୍ରତିବାଦ କରିବାରୁ ସ୍ବାମୀ ମୋତେ ମାଡ଼ ମାରି ସମ୍ପୃକ୍ତ ଯୁବତୀଙ୍କୁ ନେଇ ପଳାଇଛନ୍ତି । ଉଭୟ ପକ୍ଷରୁ ହୋଇଥିବା ଏତଲାକୁ ଆଧାର କରି ପୁଲିସ ତଦନ୍ତ କରୁଛି ।

Comments are closed.