ଆଜି ବି ଚାଲିପାରିଲାନି ବିଧାନସଭା । ଗୃହ ଭିତରେ ଘଣ୍ଟ ବାଡେଇ, ଗଙ୍ଗାପାଣି ଛିଞ୍ଚି କଂଗ୍ରେସ କଲା ପ୍ରତିବାଦ ।

149

କନକ ବ୍ୟୁରୋ :୪ଦିନ ହୋଇଗଲା, ହେଲେ ଘଣ୍ଟାଏ ବି ଚାଲିପାରିଲାନି ବିଧାନସଭା । ମମିତା ହତ୍ୟା ପ୍ରସଙ୍ଗରେ ନିଜ ଜିଦରେ ଅଟଳ ଥିବା ବିରୋଧୀ ଗୃହକୁ ଅଚଳ କରିଦେଇଛନ୍ତି । ବିଧାନସଭା ଆରମ୍ଭ ହେଉ ହେଉ ବାଚସ୍ପତିଙ୍କୁ ଗୃହକୁ ମୁଲତବୀ କରିବାକୁ ପଡୁଛି । ଆଉ ଆଜି ଗୃହ ଭିତରେ ଦେଖିବାକୁ ମିଳିଥିବା ଚିତ୍ର, ରୋଚକ ସ୍ଥିତି ସୃଷ୍ଟି କରିଥିଲା । ପୂରୋହିତ ବେଶରେ ଆସି ବିଧାୟକ ତାରା ବାହିନୀପତି, ଗଙ୍ଗାଜଳ ଛିଞ୍ଚି, ଗୃହକୁ ପବିତ୍ର କରିବାକୁ ଚେଷ୍ଟା କରିଥିଲେ ।

ଚତୁର୍ଥ ଦିନରେ ବି ଅଚଳ ବିଧାନସଭା । ଗୃହ ଚାଲିଲା ମାତ୍ର ୪ ମିନିଟ୍ । ଗୃହ ଆରମ୍ଭରୁ ହଟ୍ଟଗୋଳ, ନାରାବାଜି । ପୂଜକ ବେଶରେ ଆଜି ବିଧାନସଭାକୁ ଆସିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବିଧାନସଭା ଗୃହ ମଧ୍ୟରେ ବାଚସ୍ପତିଙ୍କ ପୋଡିୟମକୁ ପବିତ୍ର କରିବାକୁ ସିଞ୍ଚନ କରିଥିଲେ ପବିତ୍ର ତୁଳସୀ ଓ ଗଙ୍ଗାଜଳ । ଆଉ ଘଣ୍ଟ ବଜାଇ ଏହାକୁ ସମର୍ଥନ କରିଥିଲେ ଅନ୍ୟ କଂଗ୍ରେସ ବିଧାୟକ ।

ମମିତା ମେହେର ହତ୍ୟାକାଣ୍ଡ ଘଟଣା ପରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦେବା ବଦଳରେ ଗୃହକାର୍ଯ୍ୟରେ ଯୋଗ ଦେବା ଯୋଗୁ ପବିତ୍ର ବିଧାନସଭା ଅପବିତ୍ର ହୋଇଥିବା କହି କଂଗ୍ରେସ କରିଛି ପ୍ରତିବାଦ । ପୂର୍ବରୁ ଗୋବର ପାଣି ଛିଞ୍ଚି ବିଧାନସଭାକୁ ପବିତ୍ର କରିବାକୁ ଉଦ୍ୟମ କରିଥିବା ବିଜେପି ମଧ୍ୟ ଗୃହ ବାହାରେ ଦିବ୍ୟଶଙ୍କରଙ୍କ ବିରୋଧରେ କରିଛି ଜୋରଦାର ବିରୋଧ ।

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ ବିରୋଧୀଙ୍କ ହଙ୍ଗାମା ଯୋଗୁ ଶନିବାର ମଧ୍ୟ ଚାଲିପାରିନାହିଁ ଗୃହ । ବାଚସ୍ପତି ସୋମବାର ପର୍ଯ୍ୟନ୍ତ ବିଧାନସଭା ମୁଲତବି ରଖିଛନ୍ତି । ଏପଟେ ବିରୋଧୀଙ୍କ ପ୍ରତିବାଦକୁ କେବଳ ଡ୍ରାମା ବୋଲି କହିଛି ବିଜେଡି ।

ଶୀତ ଅଧିବେଶନ ଆରମ୍ଭରୁ ମମିତା ହତ୍ୟା ତାତିରେ ଜଳୁଛି ବିଧାନସଭା । କ୍ରମାଗତ ଭାବରେ ଚତୁର୍ଥ ଦିନ ପାଇଁ ବନ୍ଦ ରହିଛି ଗୃହକାର୍ଯ୍ୟ । କିନ୍ତୁ ବାଚସ୍ପତି ସର୍ବଦଳୀୟ ବୈଠକ ନ ଡାକିବାକୁ ନେଇ ଉଠିଛି ପ୍ରଶ୍ନ । ଅଧିବେଶନ ପାଇଁ ଦୈନିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି, ହେଲେ ଗୃହକୁ ସ୍ୱାଭାବିକ କରାଯିବା ପାଇଁ ରହିଥିବା ପାରମ୍ପାରିକ ନିୟମ ମଧ୍ୟ ପାଳନ ହେଉନି ବୋଲି ଅଭିଯୋଗ ହେଉଛି । ଏବେ ପ୍ରଶ୍ନ ଉଠୁଛି,

– କେବେ ସ୍ୱାଭାବିକ ହେବ ବିଧାନସଭା ?
– ଏଭଳି ଦିନ ଗଡି ଚାଲୁଥିବ, ହଟ୍ଟଗୋଳ ଜାରି ରହୁଥିବ କି ?
– ସରକାର ବିରୋଧୀ ନିଜ ଜିଦରେ ଅଟଳ ରହୁଥିବାରୁ ଆଗକୁ କଣ ହେବ ?
– ସର୍ବଦଳୀୟ ବୈଠକ ଡାକି ବିବାଦ ସାରିବାକୁ ବାଚସ୍ପତି ପଦକ୍ଷେପ ନେବେ କି ?
– ଧାର୍ଯ୍ୟ ସମୟର ଯଥେଷ୍ଟ ପୂର୍ବରୁ ଗୃହ ବନ୍ଦ ହୋଇଯିବ କି ?

ଏଭଳି କିଛି ପ୍ରଶ୍ନକୁ ନେଇ ଚର୍ଚ୍ଚା ଉଠିଥିବା ବେଳେ ଶୀତ ଅଧିବେଶନର ୪ ଦିନରେ ଗୃହ ମାତ୍ର ୬୦ ମିନିଟ୍ ବି ଚାଲିପାରିନି । ସେପଟେ ବାଚସ୍ପତି ସର୍ବଦଳୀୟ ବୈଠକ ନଡାକି ଗୃହକୁ ମୁଲତବୀ କରିଚାଲିବାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।