କନକ ବ୍ୟୁରୋ : ବିଧାନସଭାରେ ଗତକାଲିର ହାଇଡ୍ରାମାକୁ ନେଇ କଂଗ୍ରେସକୁ ଆକ୍ଷେପ କରିଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଏହି ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ରାଜ୍ୟରେ ବିଜେପି-ବିଜେଡି ଏକାଠି ଥିବା କହିଛନ୍ତି ତାରା । କେନ୍ଦ୍ରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଥିବା ଅଜୟ ମିଶ୍ରଙ୍କ ପୁଅ ଚାଷୀଙ୍କ ଉପରେ ଗାଡି ଚଢାଇଦେବା ଘଟଣାରେ ଗିରଫ ହୋଇ ଜେଲରେ ଅଛନ୍ତି । ତାଙ୍କ ଇସ୍ତଫା ନେଇ ଦାବି ଉଠୁଥିବାବେଳେ କୌଣସି ପଦକ୍ଷେପ ନେଉନାହାନ୍ତି ମୋଦୀ ସରକାର ।
ସମାନ ଢଙ୍ଗରେ ମମିତା ମେହେର ପ୍ରସଙ୍ଗରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ବହିଷ୍କାର ଓ ଗିରଫଦାରି ଦାବି ହେଉଛି । ଅଭିଯୋଗ ସତ୍ୱେ ମନ୍ତ୍ରୀ ବିଧାନସଭା ଆସୁଥିବାରୁ ବିଧାନସଭାକୁ ପବିତ୍ର କରିବା ପାଇଁ ସେ ଗୃହରେ ଗଙ୍ଗାଜଳ ଛିଂଚିଥିଲେ ବୋଲି ସଫେଇ ରଖିଛନ୍ତି । କିନ୍ତୁ ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ତାଙ୍କୁ ଆକ୍ଷେପ କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ତାରା । ବିଜେପି ବିରୋଧରେ ସମାନ ଅଭିଯୋଗ ଥିବାରୁ ବିଧାନସଭାରେ ଦଳର ପ୍ରତିବାଦ କରିବାର ନୈତିକ ଅଧିକାର ନଥିବା କହିଛନ୍ତି କଂଗ୍ରେସ ବିଧାୟକ । ଏପରିକି ଅଜୟ ମିଶ୍ରଙ୍କ ଇସ୍ତଫା କଥା ବିଜେଡି କାହିଁକି ଉଠାଉ ନାହିଁ ବୋଲି ସେ ପ୍ରଶ୍ନ କରି, ବିଜେଡି-ବିଜେପି ସଂପର୍କକୁ ସମାଲୋଚନା କରିଛନ୍ତି ।