ସରକାରୀ ନିୟମରେ ହେବନି ପରିବର୍ତ୍ତନ । ମୂର୍ତ୍ତି ଉଚ୍ଚତା ବୃଦ୍ଧି ଆବେଦନକୁ ଖାରଜ କଲେ ହାଇକୋର୍ଟ ।

206

କନକ ବ୍ୟୁରୋ : ମୂର୍ତ୍ତି ଉଚ୍ଚତା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ମୂର୍ତ୍ତି ଉଚ୍ଚତାକୁ ନେଇ ସରକାରୀ ନିୟମରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ । ଆବେଦନକାରୀଙ୍କ ପକ୍ଷରୁ ଯେଉଁ ଯୁକ୍ତି ରଖାଯାଇଥିଲା ତାହା ସନ୍ତୋଷଜନକ ନୁହେଁ । ଗତକାଲି ମାମଲାର ଶୁଣାଣି କରି ଉଚ୍ଚତା କମିଲେ କ’ଣ ସମସ୍ୟା ଉପୁଜିବ ବୋଲି ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ ହାଇକୋର୍ଟ । ଆବେଦନକାରୀଙ୍କ ଓକିଲ କହିଛନ୍ତି, ସମସ୍ୟାର କଥା ନୁହେଁ, ଏହା ହେଉଛି ଭାବାବେଗର କଥା । ଏପଟେ ସରକାରୀ ଓକିଲ ଯୁକ୍ତି ବାଢ଼ିଥିଲେ ଯେ ଏହି ନିୟମ କେବଳ କଟକ ପାଇଁ ହୋଇନାହିଁ, ନିୟମ ହୋଇଛି ସାରା ଓଡ଼ିଶା ପାଇଁ । ତେଣୁ ନିୟମ ପରିବର୍ତ୍ତନ ହେଲେ ପୂରା ଓଡ଼ିଶା ପାଇଁ ନିୟମ ପରିବର୍ତ୍ତନ କରିବାକୁ ପଡିବ । ଏହାସହ ସରକାର ଏବେ ରାଜ୍ୟର କୋଭିଡ ସ୍ଥିତିକୁ ନେଇ ଏଭଳି ନିଷ୍ପତ୍ତି ନେଇଛନ୍ତି । ଦୁଇପକ୍ଷଙ୍କ ଯୁକ୍ତି ଶୁଣିବା ପରେ ମୂତ୍ତି ଉଚ୍ଚତା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି । ଆଉ ଏହାସହ ମୂର୍ତ୍ତି ଉଚ୍ଚତା ସେହି ୪ ଫୁଟରେ ରହିବ ବୋଲି ସ୍ପଷ୍ଟ ହୋଇଛି ।

ଏସଆରସିଙ୍କ ପାର୍ବଣ କଟକଣା ବିଜ୍ଞପ୍ତି ଅନୁଯାୟୀ,  ମୂର୍ତ୍ତିର ଉଚ୍ଚତା ୪ ଫୁଟ ଭିତରେ ରହିବାକୁ ଥିବା ବେଳେ ମଣ୍ଡପ ୩ ପଟୁ ପରଦାରେ ଆବଦ୍ଧ ରହିବ । ଭକ୍ତ ମାନେ ମା’ଙ୍କ ଦର୍ଶନ କରିପାରିବେ ନାହିଁ । କେବଳ ନୀତିକାନ୍ତିରେ ପୂଜା ଶେଷ ହେବ ବୋଲି କଟକଣା ରହିଥିଲା । ଆଉ ଏଭଳି କଟକଣା ବିରୋଧରେ କଟକର ବିଭିନ୍ନ ପୂଜା କମିଟି ପ୍ରତିବାଦ କରିଥିଲେ । ବର୍ଷାରେ ଓଦା ହୋଇ ମୂର୍ତ୍ତି କଟକଣାକୁ ହଟାଇବାକୁ ପ୍ରଶାସନ ଓ ସରକାରଙ୍କୁ ଅନୁରୋଧ କରିଥିଲେ । ଏପରିକି ପରବର୍ତ୍ତୀ ସମୟରେ ବିଭିନ୍ନ ପୂଜା କମିଟିର ସଦସ୍ୟଙ୍କ ସହ ସରକାର ଏହି ମୂର୍ତ୍ତି ବିବାଦକୁ ନେଇ ଆଲୋଚନା କରିଥିଲେ । ଲାଗୁଥିଲା ଆଲୋଚନା ପରେ ସରକାର ପାର୍ବଣ କଟକଣାକୁ କିଛି ମାତ୍ରାରେ କୋହଳ  କରିବେ  । କିନ୍ତୁ କେରଳର ଓନାମ ପର୍ବ ଓ ମୁମ୍ବାଇର ଗଣେଶ ପୂଜାର ଉଦାହରଣ ଦେଇ ସରକାର ପୂର୍ବ ପାର୍ବଣ କଟକଣାକୁ ବଳବତ୍ତର ରଖିଥିଲେ । ଯାହାକୁ ନେଇ ଏବେ ପ୍ରତିବାଦର ସ୍ୱର ଉଠିଥିଲା ଏବଂ ମୂତ୍ତି ଉଚ୍ଚତା ବୃଦ୍ଧି କରିବାକୁ  ହାଇକୋର୍ଟରେ ଆବେଦନ କରିଥିଲା କଟକ ବାଲୁବଜାର ପୂଜା କମିଟି । ଆଉ କୋର୍ଟଙ୍କ ନିଷ୍ପତ୍ତି ପରେ ମୂର୍ତ୍ତି ଉଚ୍ଚତାକୁ ନେଇ ଲାଗିରହିଥିବା ନ୍ୟାୟିକ ଲଢେଇରେ ପୂର୍ଣ୍ଣଚ୍ଛେଦ ପଡିଛି ।