ଫସିଗଲେ ଆଇଆଇସି, ଖସିଗଲେ ବଡ଼ବଡ଼ିଆ ! ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ମାମଲା ନକରିବାକୁ କିଏ ପକାଉଥିଲା ଚାପ ?

833

କନକ ବ୍ୟୁରୋ: ଆନନ୍ଦ ଟପୋ ମୃତ୍ୟୁ ମାମଲାରେ ଇନଫୋସିଟି ଥାନା ଅଧିକାରୀ ସମିତା ମିଶ୍ରଙ୍କୁ ହାଇକୋର୍ଟ ଭର୍ତ୍ସନା କରିବା ପରେ ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚର୍ଚ୍ଚା ହେଉଛି, ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ମାମଲା ରୁଜୁ ନକରିବା ପାଇଁ ଆଇଆଇସିଙ୍କ ଉପରେ ବଡ ବଡ ଅଧିକାରୀ ଚାପ ପକାଇଥିଲେ । ପୂର୍ବରୁ ମଧ୍ୟ ଆନନ୍ଦଙ୍କ ବାପା ଏହି ଅଭିଯୋଗ ଆଣିଥିଲେ । ଏବେ ପ୍ରଶ୍ନ ଉଠୁଛି,

– ଆଇଆଇସି କଣ ଏକାଏକା ଏତେ ବଡ ନିଷ୍ପତ୍ତି ନେଇଯାଇଥିଲେ?
– ନା ଆଇଆଇସିଙ୍କ ଉପରେ କେହି ଚାପ ପକାଇଥିଲେ?
– ଡିସିପି ଓ ପୁଲିସ କମିଶନର କାହିଁକି ହସ୍ତକ୍ଷେପ କରିନଥିଲେ?
– ବୀରେନ୍ଦ୍ରଙ୍କ ବିରୋଧରେ ଏତଲା ଗ୍ରହଣ ନକରିବାକୁ କେହି କହିଥିଲେ କି?

ଆଉ ଏବେ ଯେତେବେଳେ ହାଇକୋର୍ଟ ଡିସିପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସେତେବେଳେ ତଦନ୍ତ ଉପରେ ସମ୍ପୂର୍ଣ୍ଣ ଆସ୍ଥା ରଖି ପାରି ନାହାଁନ୍ତି ଆନନ୍ଦଙ୍କ ବାପା । ତଦନ୍ତ ଅନିୟମିତତା ଅଭିଯୋଗରେ ଇନଫୋସିଟି ଥାନା ଅଧିକାରୀ ସମିତା ମିଶ୍ରଙ୍କୁ ଭର୍ତ୍ସନା କରିଥିଲେ ହାଇକୋର୍ଟ । ବର୍ଷେ ଯାଏଁ ଥାନା ଅଧିକାରୀଙ୍କୁ ଫିଲ୍ଡ ପୋଷ୍ଟିଂ ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ତାଙ୍କୁ ବର୍ଷେ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ପୋଲିସ ଏକାଡେମିରେ ଟ୍ରେନିଂରେ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହାଇକୋର୍ଟ ଆଇଆଇସିଙ୍କୁ ଭର୍ତ୍ସନା କରିବା ପରେ ପୁଲିସର କାର୍ଯ୍ୟକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ କାନ୍ଦି କାନ୍ଦି ନିଜର ଅସହାୟତା ପ୍ରକାଶ କରିବା ସହ ସେ କେମିତି ନ୍ୟାୟ ପାଇଁ ଦଉଡି ଦଉଡି ନିରାଶ ହୋଇଥିଲେ ସେ କଥା କହିଛନ୍ତି ଆନନ୍ଦଙ୍କ ବାପା ।

ଗତ ଜୁନ୍ ମାସରେ ଭୁବନେଶ୍ୱରର ପଟିଆ ଅଂଚଳର ଏକ ଫ୍ଲାଟରୁ ସନ୍ଦେହ ଜନକ ଅବସ୍ଥାରେ ଆନନ୍ଦ ଟପ୍ପୋଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ଆନନ୍ଦଙ୍କ ମୃତ ଦେହ ମିଳିବା ପରେ ତାଙ୍କ ବାପା ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । କିନ୍ତୁ ବୀରେନ୍ଦ୍ରଙ୍କ ବିରୋଧରେ ଇନଫୋସିଟି ଥାନା ଅଧିକାରୀ ଏତଲା ଗ୍ରହଣ କରିନଥିଲା ।