ସ୍କୁଲ ମିଶ୍ରଣକୁ ନେଇ ସରକାରଙ୍କୁ ବଡ ଝଟକା : ୨୦ରୁ କମ ଉପସ୍ଥାନ ଥିବା ସ୍କୁଲର ମିଶ୍ରଣ ନେଇ ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

Advertisment
ସ୍କୁଲ ମିଶ୍ରଣକୁ ନେଇ ସରକାରଙ୍କୁ ବଡ ଝଟକା : ୨୦ରୁ କମ ଉପସ୍ଥାନ ଥିବା ସ୍କୁଲର ମିଶ୍ରଣ ନେଇ ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

କନକ ବ୍ୟୁରୋ : ରାଜ୍ୟରେ ଶତାଧିକ ସରକାରୀ ସ୍କୁଲକୁ ବନ୍ଦ କରିବା ଓ ଅନ୍ୟ ସ୍କୁଲ ସହିତ ମିଶ୍ରଣ କରିବା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଛନ୍ତି । ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲା ଗୁଡିକର ଏକତ୍ର ଶୁଣାଣି କରି ଆଜି ରାୟ ପ୍ରକାଶ କରିଛନ୍ତି । ସ୍କୁଲ ମିଶ୍ରଣ ସଂପର୍କିତ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି ।

ପ୍ରକାଶ ଯେ ୨୦ରୁ କମ୍ ସଂଖ୍ୟାର ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡ଼ିକୁ ନିକଟବର୍ତ୍ତୀ ପ୍ରମୁଖ ସ୍କୁଲରେ ମିଶ୍ରଣ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ଏ ନେଇ ୨୦୨୦, ମାର୍ଚ୍ଚ ୧୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ବିଭିନ୍ନ ଜିଲ୍ଲାରେ ଏ ନେଇ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏପରି କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡିକୁ ନିକଟସ୍ଥ ସ୍କୁଲରେ ମିଶ୍ରଣ ନେଇ ବିଜ୍ଞପ୍ତି ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ପ୍ରକ୍ରିୟା ଆରମ୍ଭ ପରେ ଏହି ପ୍ରସଂଗ ନେଇ ହାଇକୋର୍ଟରେ ଶତାଧିକ ମାମଲା ଦାୟର ହୋଇଥିଲା ।

ମାମଲା ଗୁଡ଼ିକରେ ମୁଖ୍ୟତଃ ଅଭିଯୋଗ କରାଯାଇଥିଲା ଯେ ଓଡ଼ିଶା ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମାବଳୀର ଉଲ୍ଲଂଘନ କରି ସ୍କୁଲ ମିଶ୍ରଣ ସଂପର୍କିତ ନିଷ୍ପତ୍ତି ନିଆଯାଇଥିଲା । ନିୟମ ଅନୁସାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାମାନଙ୍କ ପାଇଁ ଚାଲିବା ଦୂରତା ୧କି.ମି. ଭିତରେ ସ୍କୁଲ ରହିବା କଥା । କିନ୍ତୁ ଏହି ନିୟମକୁ ଅଣଦେଖା କରାଯାଇ ବହୁ ସ୍କୁଲର ମିଶ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ ହୋଇଥିଲା । ଏପରି ନିଷ୍ପତ୍ତି ଦ୍ବାରା ହଜାର ହଜାର କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଶିକ୍ଷା ଗ୍ରହଣ ବାଧାପ୍ରାପ୍ତ ହେବ । ଭୌଗୋଳିକ ସ୍ଥିତି, ମିଶ୍ରଣ ପରେ ଛାତ୍ରଛାତ୍ରୀଙ୍କ ପାଇଁ ସୃଷ୍ଟି ହେବାକୁ ଥିବା ସମସ୍ୟା ଓ ଅନ୍ୟାନ୍ୟ ପ୍ରସଂଗକୁ ବିଚାରକୁ ନ ନେଇ ମିଶ୍ରଣ ପ୍ରସଂଗରେ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍କୁଲ ମିଶ୍ରଣ ପ୍ରସଂଗରେ ଚୂଡାନ୍ତ ନିଷ୍ପତ୍ତି ପୂର୍ବରୁ ଅଭିଭାବକ, ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଭାବିତ ହେବାକୁ ଥିବା ପକ୍ଷମାନଙ୍କ ମତାମତ ନିଆ ଯିବା କଥା । କିନ୍ତୁ ଏପରି କରାଯାଉ ନାହିଁ ।

ସରକାରୀ ସ୍କୁଲ ବନ୍ଦ ସଂପର୍କିତ ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ ବୋଲି ଏହି ସବୁ ଆବେଦନରେ ଦର୍ଶାଯାଇଥିଲା। ହାଇକୋର୍ଟ ଏ ସଂପର୍କିତ ମାମଲା ଗୁଡିକର ଶୁଣାଣି କରି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସହିତ ଅନ୍ୟପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିବା ସହିତ ସ୍କୁଲ ମିଶ୍ରଣ ପ୍ରସଂଗରେ ସ୍ଥିତାବସ୍ଥା ଜାରି କରିଥିଲେ। ଗତ ମାର୍ଚ୍ଚ ୯ରେ ଗଣଶିକ୍ଷା ବିଭାଗ ପକ୍ଷରୁ ମାମଲା ଗୁଡିକରେ ଜବାବ ଦାଖଲ କରାଯାଇଥିଲା। ଏହାପରେ ସରକାରଙ୍କ ଜବାବ ଉପରେ ଆବେଦନକାରୀଙ୍କ ପକ୍ଷରୁ ପ୍ରତିଜବାବ ମଧ୍ୟ ଦାଖଲ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe