କନକ ବ୍ୟୁରୋ: କୋଲକାତା ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ତେଜିବାରେ ଲାଗିଛି ପ୍ରତିବାଦ। ସାରା ଦେଶରେ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ଡାକ୍ତରଙ୍କ ବିକ୍ଷୋଭ ପ୍ରଦର୍ଶନର ଦୃଶ୍ୟ। ଦିଲ୍ଲୀ, ମୁମ୍ୱାଇ, ଲକ୍ଷ୍ନୌ ଏବଂ ଜୟପୁରରେ ପ୍ରତିବାଦକୁ ଓହ୍ଲାଇଛନ୍ତି ଜୁନିୟର ଡାକ୍ତର। ତେବେ ଲଗାତାର ଦ୍ୱିତୀୟ ଦିନ ପାଇଁ ସାରା ଦେଶରେ ଡାକ୍ତରମାନେ ଧର୍ମଘଟ କରୁଛନ୍ତି। ଆଜି ସମଗ୍ର ଦେଶରେ ଓପିଡି ବନ୍ଦ ରହିଥିବା ସୂଚନା ରହିଛି। ସେପଟେ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହୋଇଥିବା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ଦାବି ହେଉଛି । ଆଉ ଏହାରି ଭିତରେ ମାମଲାରେ ସିବିଆଇ ତଦନ୍ତ ପାଇଁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment
  • କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା
  • ପୋଷ୍ଟମର୍ଟମ ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା

ମହିଳା ପିଜି ଡାକ୍ତରଙ୍କ ଦୁଷ୍କର୍ମ ପରେ ନୃଶଂସ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇଦେଇଛି । ପୁଲିସ ହାଜତରେ ଅପରାଧୀ, ସେପଟେ ଦୋଷୀଙ୍କୁ କଠୋରରୁ କଠୋର ଶାସ୍ତି ଦେବାକୁ ସାରା ଦେଶରେ ଚାଲିଛି ଜୋରଦାର ପ୍ରତିବାଦ, ଧାରଣା । ଏହା ଭିତରେ ସାମ୍ନାକୁ ଆସିଛି ପୋଷ୍ଟମର୍ଟମ ରିପୋର୍ଟ...

  • ଡାକ୍ତରଙ୍କୁ ବିଭତ୍ସ ହତ୍ୟା କରିଥିଲା ଅପରାଧୀ
  • ଭୋର ୩ରୁ ୫ଟାରେ ଆକ୍ରମଣ ଓ ହତ୍ୟା ଘଟିଥିଲା
  • ଅଗଷ୍ଟ ୮ରେ ନାଇଟ ଡ୍ୟୁଟିରେ ଥିଲେ ଡାକ୍ତର
  • ସେମିନାର ହଲରେ ବିଶ୍ରାମ ନେଉଥିବାବେଳେ ଅପରାଧୀ ସେଠାକୁ ଆସିଥିଲା
  • ଜୋରଜବରଦସ୍ତି କରିବାରୁ ଉଭୟଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା
  • ଡାକ୍ତରଙ୍କୁ ନିଧୁର୍ମ ମାଡ଼ ମାରିଥିଲା ଅପରାଧୀ
  • ଡାକ୍ତରଙ୍କ ବେକ ହାଡ଼ ଭାଙ୍ଗିଥିଲା
  • ମୁଣ୍ଡକୁ କାଚ ବୋତଲରେ ପିଟିଥିଲା
  • ଡାକ୍ତରଙ୍କ ଆଖିରେ କାଚଖଣ୍ଡ ପଶିଥିଲା
  • ଦୁଷ୍କର୍ମ ପରେ ପରେ ତଣ୍ଟି ଚିପି ହତ୍ୟା କରିଥିଲା
  • ସକାଳ ୬ରେ ହସ୍ପିଟାଲରୁ ବାହାରି ଘରକୁ ଚାଲିଯାଇଥିଲା

ପୁଲିସର ସୂଚନା ଅନୁସାରେ ଅପରାଧୀ ସଂଜୟ ରୟ ୪ଟି ବିବାହ କରିଛି ଓ ତା ନାଁରେ ଘରୋଇ ହିଂସାରେ ଅନେକ ମାମଲା ରହିଛି । ମୋବାଇଲରୁ ଶହ ଶହ ଅଶ୍ଳୀଳ ଭିଡିଓ ମିଳିଛି । ହିଂସାତ୍ମକ ଭିଡିଓ ଦେଖି ଅପରାଧ ଘଟାଉଥିଲା । ଜଣେ ତାଲିମପ୍ରାପ୍ତ ବକ୍ସର ହେଉଛି ସଂଜୟ ରୟ । ତେବେ ଅପରାଧୀକୁ କଠୋରୁ କଠୋରୁ ଶାସ୍ତି ଦେବାକୁ ସବୁଠି ଚାଲିଛି ପ୍ରତିବାଦ । କେବଳ ପଶ୍ଚିମବଙ୍ଗ ନୁହେଁ ଦେଶର ବିଭିନ୍ନ ସହରରର ଜୁନିୟର ଡାକ୍ତର ଧାରଣା ଦେଇ ନ୍ୟାୟ ଦାବି କରିଛନ୍ତି ।

୩୩ବଷୀୟ ସଂଜୟ ରୟ କୋଲକାତା ପୁଲିସରେ ସିଭିକ ଭଲ୍ୟୁଟାରୀ ଭାବେ କାମ କରିଛି । ପରେ ମେଡିକାଲ କଲେଜରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା । ପୁଲିସ ଏକଥା ମଧ୍ୟ କହିଛି ଯେ ରାଜ୍ୟ ପୁଲିସ ଅନେକ ବରିଷ୍ଠ ଅଧିକାରୀଙ୍କ ନିକଟତର ଥିଲା ଅପରାଧୀ । ସେପଟେ ଡାକ୍ତରଙ୍କ ହତ୍ୟା ମାମଲାକୁ ନେଇ ମମତା ସରକାରଙ୍କ ଉପରେ ଅଭିଯୋଗ ଆଣିବା ସହ ଇସ୍ତଫା ଦାବି କରିଛି ବିଜେପି । ଟିଏମସି ସରକାରଙ୍କ ସମୟରେ ରାଜ୍ୟରେ ଅପରାଧ, ଅରାଜକତା ବଢ଼ୁଛି, ମହିଳା ଅସୁରିକ୍ଷିତ ଥିବା କହିଛି ଦଳ ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଯଦି ରବିବାର ସୁଦ୍ଧା ପୋଲିସ ତଦନ୍ତ ରିପୋର୍ଟ ନଦେବାକୁ ସକ୍ଷମ ନ ହୁଏ, ତାହେଲେ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯିବ।