ବଢ଼ିଲା ତିର୍ତ୍ତୋଲ ବିଧାୟକଙ୍କ ଅଡୁଆ: ଏତଲା ରୁଜୁ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

6,428

କନକ ବ୍ୟୁରୋ: ସୋମାଲିକା ଦାଶଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପୋଲିସ ନିଷ୍କ୍ରିୟତା ଅଭିଯୋଗ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୋମାଲିକା । ଆବେଦନର ଶୁଣାଣି କରି ଜଗତସିଂହପୁର ଥାନା ଆଇଆଇସିଙ୍କୁ ଏତଲା ପଂଜିକରଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସାର୍ଟିଫାଏଡ କପି ସହିତ ଆଇଆଇସିଙ୍କ ନିକଟରେ ସାନି ଅଭିଯୋଗ ଦାଖଲ କରିବେ ଆବେଦନକାରୀ । ତିର୍ତୋଲ ବିଧାୟକ ବିଜୟଶଙ୍କର ଦାସ ବିବାହ ପ୍ରତିଶ୍ରୁତି ଦେଇ ଏଥିରୁ ପରେ ଓହରିଯାଇଥିବା ନେଇ ସୋମାଲିକା ଅଭିଯୋଗ କରିଥିଲେ ।

ଗତବର୍ଷ ମେ’ ମାସରେ ବିଧାୟକଙ୍କ ବିରୋଧରେ ସୋମାଲିକା ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ପୋଲିସ୍ ଏହାକୁ ପଂଜିକରଣ କରିନଥିଲା । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସବରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ ଆବେଦନ କରିଥିଲେ ବିଜୟ ଶଙ୍କର ଓ ସୋମାଲିକା । ହେଲେ ୯୦ ଦିନ ଭିତରେ ଏହି ବିବାହ ହୋଇପାରି ନଥିଲା । ଆଉ ଏଥିପାଇଁ ବିଜୟ ଶଙ୍କରଙ୍କୁ ଦାୟୀ କରିଆସୁଛନ୍ତି ସୋମାଲିକା । ଆହୁରି ମଧ୍ୟ ସେ ଅଭିଯୋଗ କରିଛନ୍ତି, ଅନେକ ଝିଅ ଓ ମହିଳାଙ୍କ ସହ ବିଜୟଶଙ୍କର ସଂପର୍କ ରଖିଛନ୍ତି ।

ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ପ୍ରେମ, ପ୍ରତିଶ୍ରୁତି ଓ ପ୍ରତାରଣାର ଅଭିଯୋଗ ଆଣିଛନ୍ତି ସୋମାଲିକା । ଏହା ମଧ୍ୟ ସେ କହିଛନ୍ତି ତାଙ୍କୁ ଧମକ ଚମକ ଦିଆଯାଉଛି । ବିଧାୟକ ହୋଇଥିବାରୁ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ତେବେ ଏନେଇ ତିର୍ତୋଲ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।