କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିଯିବା । ଆଚାନକ୍ ନକଲି ଚାବି ଉଦ୍ଧାର ହେବା ଏବଂ ତଦନ୍ତ ପାଇଁ ରଘୁବୀର ଦାସ କମିଶନଙ୍କୁ ଦାୟିତ୍ୱ ଦେବା । ଏହାରି ଭିତରେ ପ୍ରାୟ ୫ବର୍ଷ ବିତିଯାଇଛି । କମିଶନ ୩୨୪ ପୃଷ୍ଠାର ରିପୋର୍ଟ ଦେବା ପରେ ବି, ଏଥିରେ କ’ଣ ରହିଛ, ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ଆଉ ଏହି ଚାବି ହଜିବା ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପୁରୀର ସମାଜସେବୀ ଦିଲ୍ଲୀପ ବରାଳ । ଆବେଦନକୁ ଗ୍ରହଣ କରି ଜବାବ ଦାଖଲ କରିବାକୁ ନୋଟିସ କରିଛନ୍ତି ହାଇକୋର୍ଟ । ମୁଖ୍ୟ ଶାସନ ସଚିବ ଏବଂ ଆଇନ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ଜୁଲାଇ ୧୦ରେ ହେବ ଏହି ମାମଲାର ପରବର୍ତୀ ଶୁଣାଣି ।

Advertisment

ମାନ୍ୟବର କୋର୍ଟ ସାମ୍ନାରେ ଆବେଦନକାରୀ ମୁଖ୍ୟତଃ ତିନୋଟି ପ୍ରାର୍ଥନା କରିଛନ୍ତି-
୧- ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରାଯାଉ
୨- ଇନକ୍ୱାରୀ ଅଫ୍ କମିଶନ ଆକ୍ଟରେ ଥିବା ନିୟମର ଅନୁପାଳନ କରାଯାଉ
୩- ରତ୍ନଭଣ୍ଡାର ମରାମତି ପାଇଁ ପତ୍ନତତ୍ତ୍ୱବିଭାଗକୁ ଦାୟିତ୍ୱ ହସ୍ତାନ୍ତର କରାଯାଉ

ଆବେଦକାରୀ ଏବଂ ତାଙ୍କ ଓକିଲଙ୍କ ଯୁକ୍ତି ଅନୁସାରେ, ରିପୋର୍ଟ ସାର୍ବଜନୀନ ହୋଇପାରୁନଥିବାରୁ । ରତ୍ନଭଣ୍ଡାରର ରତ୍ନ ସୁରକ୍ଷିତ ଅଛି ନା ନାହିଁ? ରତ୍ନଭଣ୍ଡାର ମରାମତିର ଆବଶ୍ୟକତା ରହିଛି ନା ନାହିଁ?ସେ ଦିଗରେ ପଦକ୍ଷେପ ନେବା ସଂଭବ ହେଉନାହିଁ ।

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ୍ ଆସିବା ପରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ରତ୍ନଭଣ୍ଡାରର ସୁରକ୍ଷା ନେଇ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କମିଶନ ୨୦୧୮ ମସିହାରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିଥିଲେ । ତଦନ୍ତ କମିଶନ ନଭେମ୍ବର ୩୦ ତାରିଖରେ ୩୨୪ ପୃଷ୍ଠାର ରିପୋର୍ଟ ଆଇନ ବିଭାଗ ଓ ଗୃହ ବିଭାଗକୁ ରିପୋର୍ଟ ପ୍ରଦାନ କରିଥିଲେ । ତଦନ୍ତ ବାବଦରେ ରାଜ୍ୟ ସରକାରଙ୍କ ରାଜକୋଷରୁ ୨୨ ଲକ୍ଷ ୨୭ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ହେଲେ ରିପୋର୍ଟରେ କ’ଣ ରହିଛି ତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିପାରିନାହିଁ ।