ରାତ୍ରୀ ଜଗୁଆଳି ବାଂଟି ପାରିବେ ନାହିଁ ଆୟୁର୍ବେଦିକ ଔଷଧ: ରାଜ୍ୟ ସରକାରଙ୍କ ନିଷ୍ପତିକୁ ବଦଳାଇଲେ କୋର୍ଟ; କହିଲେ ଯୋଗ୍ୟ ଡାକ୍ତର ଓ ସଠିକ ପ୍ରେସକ୍ରିପସନ ଦ୍ୱାରା ଦିଆଯିବ ଔଷଧ

732

କନକ ବ୍ୟୁରୋ: କୌଣସି ସାମୟିକ ନିଯୁକ୍ତି ପାଇଥିବା ଝାଡୁଦାର କି ରାତ୍ରି ଜଗୁଆଳିଙ୍କ ଜରିଆରେ ବଂଟାଯାଇପାରିବ ନାହିଁ ଆୟୁର୍ବେଦିକ ଔଷଧ । ସଠିକ୍ ପ୍ରେସକ୍ରିପସନ୍ ଏବଂ ନିର୍ଦ୍ଦିଷ୍ଟ ଭାବରେ ଯୋଗ୍ୟ ଡାକ୍ତରଙ୍କ ଜରିଆରେ ବଂଟନ ହେବ ଔଷଧ । ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟର ପଡି ରହିଥିବା ୮ କୋଟିର ଔଷଧ ବଂଟନ ନେଇ ହାଇକୋର୍ଟରେ ଦାଏର ରିଟ୍ ପିଟିସନର ଶୁଣାଣି କରି ଏପରି ରାୟ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୩୦ ତାରିଖ ସୁଦ୍ଧା ଏହାକୁ ଲୋକଙ୍କୁ ବଂଟନ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଉଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏପ୍ରିଲ ୬ ତାରିଖରେ ସବୁ ଆୟୁର୍ବେଦିକ ମେଡିକାଲ ଅଫିସରଙ୍କୁ ଔଷଧ ବଂଟନ ପାଇଁ ଦାୟିତ୍ୱ ଦେଇଥିଲେ । ଆୟୁର୍ବେଦିକ ଏମଓ ଏବେ କରୋନା ଦାୟିତ୍ୱରେ ଥିବାରୁ ଆସିଷ୍ଟାଂଟ ଆୟୁର୍ବେଦିକ ଅଫିସର ଓ ପାର୍ଟ ଟାଇମ୍ ସୁଇପର ଜରିଆରେ ଏହାକୁ ବଂଟନ କରିବାକୁ ବ୍ୟବସ୍ଥା କରିଥିଲେ । ତେବେ ସରକାରଙ୍କ ଏପରି ନିଷ୍ପତିକୁ ଓଡିଶା ଷ୍ଟେଟ୍ ଆୟୁର୍ବେଦିକ କଂଗ୍ରେସ ବିରୋଧ କରି ହାଇକୋର୍ଟ ଯାଇଥିଲା ।

ବିନା ଡାକ୍ତରରେ ଓ ସଠିକ୍ ପ୍ରେସକ୍ରିପସନରେ କିପରି ଔଷଧ ବଂଟନ କରାଯିବ ବୋଲି ସେନେଇ ଅଭିଯୋଗ ଆଣି ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଥିଲେ ଓଡିଶା ଷ୍ଟେଟ୍ ଆୟୁର୍ବେଦିକ କଂଗ୍ରେସ ସଭାପତି ଡାକ୍ତର ଉମେଶ ଚନ୍ଦ୍ର ପୃଷ୍ଟି ।  ଏହି ମାମଲାର ବିଚାର କରି ଆସନ୍ତା ୩୦ ତାରିଖ ସୁଦ୍ଧା ଜବାବ ରଖିବାକୁ କୋର୍ଟ କହିଛନ୍ତି । ଏବେ ସମସ୍ତ ଆୟୁର୍ବେଦିକ ଡାକ୍ତର ଅଛନ୍ତି କୋଭିଡ ଡ୍ୟୁଟିରେ । ଫଳରେ ବନ୍ଦ ରହିଛି ଆୟୁର୍ବେଦିକ୍ ଡିସପେନସରୀ । ଆୟୁର୍ବେଦିକ ନିର୍ଦ୍ଦେଶକ ଆୟୁର୍ବେଦିକ୍ ଡିସପେନସରୀ ଖୋଲିବାକୁ ନିର୍ଦ୍ଦେଶ ନଦେଲେ ୮ କୋଟି ୫୬ ଲକ୍ଷ ଟଂକାର ଔଷଧ ବଂଟନ ହୋଇ ନପାରି ଏକ୍ସପାରୀ ହୋଇଯିବା ନେଇ ଆଶଙ୍କା ଦେଖା ଦେଇଛି ।