ପୁଣି ତେଜିଲା ହାଇକୋର୍ଟ ବେଂଚ୍ ଦାବି । ଆସନ୍ତା ୧୭ରୁ ୨୬ ଯାଏଁ ପଶ୍ଚିମ ଓଡ଼ିଶାରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କନକ ବ୍ୟୁରୋ: ଆସନ୍ତା ୧୭ ତାରିଖରୁ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାରେ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ। ଏହା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ପଶ୍ଚିମ ଓଡ଼ିଶା ବାର ସମୂହକୁ ନେଇ ଗଠିତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମଟି(ସିଏସି)ର କୋର କମିଟି ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଗତକାଲି ଡିଆରଡିଏ ସମ୍ମିଳନୀ କକ୍ଷରେ ଏହି ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ, ଆନ୍ଦୋଳନ ସମୟରେ ଆଇନଜୀବୀମାନେ ଜୁଡିସିଆଲ ଏବଂ ରେଭେନ୍ୟୁ କୋର୍ଟ ବର୍ଜନ କରିବେ । ଏଥିସହିତ, ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତବେଳେ ସିଏସିର ଏକ ପ୍ରତିନିଧି ଦଳ ତାଙ୍କୁ ସାକ୍ଷାତ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ‘ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଚିଠି ଲେଖି କେନ୍ଦ୍ରକୁ ଅବଗତ କରାଇଛନ୍ତି।

କିନ୍ତୁ କେନ୍ଦ୍ରସରକାର ନିରବ ରହିଛନ୍ତି। ତେଣୁ କେନ୍ଦ୍ରୀୟ ଅଧ୍ୟାଦେଶ ବଳରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ସିଏସିର ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ’, ବୋଲି ଜଣେ କର୍ମକର୍ତ୍ତା କହିଛନ୍ତି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ସିଏସିର କୋର କମିଟିର ସହ ଆବାହକ ପ୍ରମୋଦ ଦାଶ, ସମ୍ପାଦକ ନିରଞ୍ଜନ ତ୍ରିପାଠୀ, ଝାରସୁଗୁଡ଼ା ବାର ସଭାପତି ରଘୁମଣି ପଟେଲ, ସମ୍ପାଦକ ପଦ୍ମନାଭ ମାଳିଙ୍କ ସମେତ ବିଭିନ୍ନ ବାର ସଭାପତି ଏବଂ ସମ୍ପାଦକ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe