କନକ ବ୍ୟୁରୋ: ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଆନ୍ଦୋଳନକୁ ଆଜି ଶକ୍ତ ଝଟକା ଲାଗିିଛି ।  ମଉଳି ଯାଇଛି ହାଇକୋର୍ଟ ବେଂଚ ଆଶା । ଏଭଳି ବେଂଚ ଦାବିକୁ ସୁପ୍ରିମକୋର୍ଟ ଆଜି ସିଧାସଳଖ ଖାରଜ କରିଦେଇଛନ୍ତି । କେନ୍ଦ୍ରୀୟ କମିଟିର ଆବେଦନକୁ ଖାରଜ କରି ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି ହାଇକୋର୍ଟ ବେଂଚ ସ୍ଥାପନ କରିବାର କୌଣସି ପ୍ରଶ୍ନ ଉଠୁନାହିଁ । ହାଇକୋର୍ଟ ବେଂଚ ପ୍ରତିଷ୍ଠା କିମ୍ବା ସ୍ଥାନାନ୍ତର ଆଇନଜୀବୀଙ୍କ ଆନ୍ଦୋଳନରେ ହୋଇପାରିବ ନାହିଁ । ଏହା ସହ ସୁପ୍ରିମକୋର୍ଟ ପୁଲିସର ପାରିବା ପଣିଆକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

Advertisment

ଆନ୍ଦୋଳନ ସମୟରେ ଅରାଜକତାର ଏହି ସବୁ ଚିତ୍ର, ଏଭଳି ରୂପରେ ସାମ୍ନାକୁ ଆସିଛି, ଯାହା ପ୍ରାୟ ୪୦ ବର୍ଷ ଧରି ଚାଲିଥିବା ଆନ୍ଦୋଳନ ଉପରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି । ହାଇକୋର୍ଟ ବେଂଚ୍ ପ୍ରତିଷ୍ଠା ନେଇ ଯେଉଁ ଅଳ୍ପ କିଛି ଆଶା ଥିଲା, ତାହା ବି ଆଇନଜୀବୀଙ୍କ ଆଚରଣ ଯୋଗୁଁ ମଉଳି ଯାଇଛି । ହାଇକୋର୍ଟ ଦାବି ଏବଂ ଆନ୍ଦୋଳନ ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତି ସମ୍ପର୍କରେ ଶୁଣାଣି କରି ଚରମବାଣୀ ଶୁଣାଇଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ରୀୟ କମିଟିର ଆବେଦନକୁ ଖାରଜ କରିବା ସହ ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି-

- ହାଇକୋର୍ଟ ବେଞ୍ଚ ସ୍ଥାପନ କରିବାର କୌଣସି ପ୍ରଶ୍ନ ଉଠୁନାହିଁ

- ଯାହା କିଛି ଆଶା ଥିଲା ଓକିଲଙ୍କ ଆଚରଣ ଯୋଗୁଁ ଆଶା ମଉଳି ଯାଇଛି

- ସମୟର ଗତି ଓ ଟେକ୍ନୋଲୋଜିର ବ୍ୟବହାର ଦାବିକୁ ପୂରଣା କରିଦେଇଛି

- ଟେକ୍ନୋଲୋଜିର ବ୍ୟବହାର ବ୍ୟାପକ ହୋଇଛି ଓ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ତଦାରଖ କରାଯାଉଛି

- ହାଇକୋର୍ଟ ବେଂଚ ପ୍ରତିଷ୍ଠା କିମ୍ବା ସ୍ଥାନାନ୍ତର ଆଇନଜୀବୀଙ୍କ ଆନ୍ଦୋଳନରେ ହୋଇପାରିବ ନାହିଁ

ମାମଲାର ଶୁଣାଣି କରି ଜଷ୍ଟିସ୍ ଏସକେ କୌଲ୍ ଏବଂ ଅଭୟ ଏସ୍ ଓକା, ପୁଲିସର ପାରିବା ପଣିଆକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଭର୍ଚୁଆଲରେ ହାଜିର ହୋଇଥିବା ଓଡ଼ିଶା ପୁଲିସ ଡିଜି ଓ ଉତରାଂଚଳ ଆଇଜି ମଧ୍ୟ ସୁପ୍ରିମକୋର୍ଟରୁ ବର୍ତି ପାରିନାହାଁନ୍ତି । ସୁପ୍ରିମକୋର୍ଟ କହିଛନ୍ତି-

- ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ସତ୍ତେ୍ୱ କେମିତି ଭଙ୍ଗାରୁଜା ହେଲା?

- ସ୍ଥିତି ନିୟନ୍ତ୍ରଣ କରିବା କ୍ଷେତ୍ରରେ ପୁଲିସର ଅବହେଳା କେମିତି ?

- ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ବିଫଳ ହେଲା କାହିଁକି ?

- କିଛି ସମୟ ପାଇଁ ହେଉ ପଛେ ଆଇନଜୀବୀଙ୍କୁ କଷ୍ଟଡିକୁ ନେବା ଉଚିତ ଥିଲା

ସୁପ୍ରିମକୋର୍ଟଙ୍କ ସ୍ପଷ୍ଟବାଣୀ ପରେ ହାଇକୋର୍ଟ ବେଂଚ୍ ନେଇ ଦାବି ହେଉଥିବା ରାଜ୍ୟର ବିଭିନ୍ନ ବାର ଆସୋସିଆନ୍ ପକ୍ଷରୁ ପ୍ରତିକ୍ରିୟା ଆସୁଛି । ବିଶେଷ କରି ସମ୍ବଲପୁରରେ ଆନ୍ଦୋଳନ କରୁଥିବା କେନ୍ଦ୍ରୀୟ କମିଟି ସୁପ୍ରିମକୋର୍ଟଙ୍କ ଶୁଣାଣିର ଫଳାଫଳକୁ ସ୍ୱାଗତ କରିଥିବା ବେଳେ ଚୁଡାନ୍ତ କପିକୁ ଅପେକ୍ଷା କରାଯାଇଥିବା କୁହାଯାଇଛି । ସେହିପରି ସମ୍ବଲପୁର, ବଲାଙ୍ଗୀର, ଜୟପୁର, ଭୁବନେଶ୍ୱର ଓକିଲ ସଂଘର ପ୍ରତିକ୍ରିୟା ମଧ୍ୟ ଆସିଛି ।

ଏସବୁ ଭିତରେ କୋର୍ଟ କାର୍ଯ୍ୟ କେମିତି ଚାଲିଛି? କର୍ମଚାରୀମାନେ କୋର୍ଟକୁ ଆସିବାରେ କୌଣସି ସମସ୍ୟା ରହିଛି କି ବୋଲି  ପଚାରି ବୁଝିଥିଲେ ସୁପ୍ରିମକୋର୍ଟ । ଏପଟେ ସମ୍ବଲପୁର କୋର୍ଟ ନିକଟରେ ୧୪୪ ଧାରା ବଳବତର ରହିଥିବା ବେଳେ ଗିରଫଦାରୀ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି । ସେହିପରି ଜିଲ୍ଲାପାଳ ଏବଂ ଉତରାଂଚଳ ଆଇଜି ଯାଇ ଜିଲ୍ଲା ଦୌରାଜର୍ଜଙ୍କ ସହ ସୁରକ୍ଷା ସ୍ଥିତି ନେଇ ଆଲୋଚନା କରିଛନ୍ତି । ସୁପ୍ରିମକୋର୍ଟ ଚରମବାଣୀ ପରେ ହାଇକୋର୍ଟ ବେଂଚ୍ ସ୍ଥାପନର କାହାଣୀ ଏଠି ସରୁଛି ନା’ ଆଗକୁ ଆଉ କିଛି ବିକଳ୍ପ ଅଛି, ତା ଉପରେ ସମସ୍ତଙ୍କ ନଜର ରହିଛି ।