ସିନ୍ଦେ ଗ୍ରୁପକୁ ବମ୍ବେ ହାଇକୋର୍ଟଙ୍କ ଝଟକା , ଉଦ୍ଧବ ଜିତିଲେ ଏହି ମାମଲା

175

କନକ ବ୍ୟୁରୋ : ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ମଧ୍ୟରେ ବିଦ୍ରୋହ ପରେ ପ୍ରଥମଥର ପାଇଁ ସିନ୍ଦେଙ୍କ ଠାରୁ ଗୋଟିଏ ମାମଲାରେ ଉଦ୍ଧବଙ୍କ ବିଜୟ ହୋଇଛି । ବମ୍ବେ ହାଇକୋର୍ଟ ଦଶହରାରେ ଶିବାଜୀ ପାର୍କରୁ ରାଲି ବାହାର କରିବାକୁ ଉଦ୍ଧବ ଠାକରେଙ୍କ ଗ୍ରୁପକୁ ଅନୁମତି ଦେଇଛନ୍ତି । ଏହି କ୍ରମରେ ଉଦ୍ଧବ ଠାକରେଙ୍କ ଗ୍ରୁପ ଅକ୍ଟୋବର ୨ ତାରିଖରୁ ୬ ତାରିଖ ମଧ୍ୟରେ ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ଶିବାଜୀ ପାର୍କରୁ ଦଶହରା ରାଲି ବାହାର କରିପାରିବେ ।

ସୂଚନା ଥାଉକି ଆଜକୁ ୪୦ ବର୍ଷ ହେବ ଶିବସେନା ଗ୍ରୁପ ଏହି ଶିବାଜୀ ପାର୍କରୁ ଦଶହରା ରାଲି ବାହାର କରିଥାଏ । ହେଲେ ଏବେ ଶିବସେନାର ଦୁଇଟି ଗୋଷ୍ଠୀ ହୋଇଛି । ଗୋଟିଏ ଗୋଷ୍ଠୀ ବିଜେପି ସହ ମିଶି ସରକାର ଗଠନ କରିଥିବା ବେଳେ ଅନ୍ୟ ଗୋଷ୍ଠୀ ଏବେ ଉଦ୍ଧବ ଠାକରେଙ୍କ ପାଖରେ ରହିଛି । ଆଗକୁ ଦଶହରା ଆସୁଥିବାରୁ ଉଭୟ ଉଦ୍ଧବ ଗ୍ରୁପ ଓ ବିଦ୍ରୋହୀ ଏକନାଥ ସିନ୍ଦେ ଗ୍ରୁପ ଶିବାଜୀ ପାର୍କରୁ ରାଲି ବାହାର କରିବା ନେଇ ପ୍ରଥମେ ବିଏମସିରେ ଆବେଦନ କରିଥିଲେ । ହେଲେ ବିଏମସି କିଛି ନିଷ୍ପତ୍ତି ନନେଇ ପାରିବାରୁ ଉଭୟ ଗ୍ରୁପ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଆଜି କୋର୍ଟ ଏହି ମାମଲାର ଶୁଣାଣି କରି ଉଦ୍ଧବ ଠାକରେ ଗ୍ରୁପକୁ ଶିବାଜୀ ପାର୍କରୁ ରାଲି ବାହାର କରିବାକୁ ଅନୁମତି ଦେଇଥିବା ବେଳେ ଏକନାଥ ସିନ୍ଦେ ଗ୍ରୁପର ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ଉଦ୍ଧବ ଗ୍ରୁପ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।