ଆରୟନଙ୍କୁ ମିଳିବ କି ବେଲ୍ ? ଆଜି ଅପରାହ୍ନ ୨ଟା ୩୦ରେ ପୁଣି ହେବ ଶୁଣାଣି

58

କନକ ବ୍ୟୁରୋ : ଆଜି ପୁଣି ବମ୍ବେ ହାଇକୋର୍ଟରେ ଆରୟାନ ଖାନଙ୍କ ଜାମିନ୍ ଆବେଦନର ଶୁଣାଣି ହେବ । ଅପରାହ୍ନ ୨ଟା ୩୦ରେ ମାମଲାର ଶୁଣାଣି ଆରମ୍ଭ ହେବ । ଗତକାଲି ଉଭୟ ଏନସିବି ଏବଂ ଆରୟନଙ୍କ ଓକିଲ କୋର୍ଟରେ ପକ୍ଷ ରଖିଥିଲେ । ପରେ ଆଜି ଆଉଥରେ ଶୁଣାଣି ହେବ ବୋଲି କୋର୍ଟ କହିଥିଲେ । ୨୦ରୁ ଅଧିକ ଦିନ ହେବ ଆରୟାନ ଡ୍ରଗ୍ସ ମାମଲାରେ ଜେଲରେ ଅଛନ୍ତି । ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ପୁଅର ଜାମିନ୍ ପାଇଁ ବଡ ବଡ ଓକିଲ ନିୟୋଜିତ କରିଛନ୍ତି ।

ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରହତୋଗି ହାଇକୋର୍ଟରେ ଆରୟନଙ୍କ ପାଇଁ ଗତକାଲି ପକ୍ଷ ରଖିଥିଲେ । ରେଡବେଳେ ଆରୟନଙ୍କ ପାଖରୁ ଡ୍ରଗ୍ସ ମିଳିନାହିଁ ତେଣୁ ତାଙ୍କୁ ଜାମିନ ଦିଆଯାଉ ବୋଲି ସେ ଦାବି କରିଛନ୍ତି । ଅନ୍ୟପଟେ ଏନସିବି କହିଛି ଶାହରୁଖ ଖାନଙ୍କ ମ୍ୟାନେଜର ପ୍ରିୟା ଦଦଲାନି ସାକ୍ଷୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ଆରୟନଙ୍କ ସମ୍ପୃକ୍ତି ଅନ୍ତର୍ଜାତୀୟ ଡ୍ରଗ୍ସ ଟ୍ରାଫିକିଂ ସହିତ ରହିଛି । ଯାହା ତାଙ୍କ ହ୍ୱାଟ୍ସଆପ ଚାଟରୁ ଯାହା ସ୍ପଷ୍ଟ ହୋଇଛି । ଅକ୍ଟୋବର ୨୦ରେ ଏନଡିପିଏସ କୋର୍ଟ ଆରୟନଙ୍କ ଜାମିନ ଖାରଜ କରିବା ପରେ ବମ୍ବେ ହାଇକୋର୍ଟର ପହଂଚିଛି ମାମଲା ।

କୋର୍ଟରେ କେଉଁ ପକ୍ଷର ଦଲିଲ କଣ ଥିଲା ?

ବମ୍ବେ ହାଇକୋର୍ଟରେ ଲିଖିତ ଜବାବ ଦାଖଲ କରିଛି ଏନସିବି । କୋର୍ଟରେ ଆରୟନଙ୍କ ଜାମିନ ଆବେଦନ ଉପରେ ନିଜ ପକ୍ଷ ରଖି ଏନସିବି କହିଛି

– ବର୍ତମାନ ସୁଦ୍ଧା ହୋଇଥିବା ଯାଂଚରେ ଆରୟନ ଖାନଙ୍କୁ ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ ସିଣ୍ଡିକେଟର ଲିଙ୍କ ସାମ୍ନାକୁ ଆସିଛି ଯାହାର ତଦନ୍ତ ଚାଲିଛି ।
– ଏହି ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ ଲିଙ୍କର ଖୋଳତାଡ ପାଇଁ ଅଧିକ ସମୟର ଆବଶ୍ୟକତା ରହିଛି ।
– ଆରୟନ ଖାନଙ୍କ ପ୍ରଭାବଶାଳୀ ସ୍ଥିତିକୁ ଦେଖିଲେ ଲାଗୁଛି, ଜାମିନରେ ବାହାରିଲେ ପ୍ରମାଣ ଓ ସାକ୍ଷୀଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଛି ।
– ଏନସିବି ରିୟା ଚକ୍ରବର୍ତିଙ୍କ ମାମଲାରେ କୋର୍ଟଙ୍କ ରାୟର ଉଦାହରଣ ଦେଇ କହିଥିଲେ, ଏନଡିପିଏସ ଅଧିନିୟମ ଅନୁସାରେ ସବୁ ଅପରାଧ ଜାମିନ ବୀହିନ ।

ଏହାପରେ ଆରୟନଙ୍କ ଓକିଲ ମୁକୁଲ ରୋହତଗି ଜାମିନ ପାଇଁ ଦଲିଲ ରଖି କହିଛନ୍ତି : –
– ଆରୟନ ଖାନ କ୍ରୁଜ ପାର୍ଟିର ନିମନ୍ତ୍ରିତ ଅତିଥି ଥିଲେ
– ଆରୟନ ଖାନଙ୍କ ପାଖରୁ ଡ୍ରଗ୍ସ ଜବତ ହୋଇନାହିଁ
– ଡ୍ରଗ୍ସ ନେଇଥିବା ନେଇ ମହକିଲଙ୍କର କୌଣସି ପରୀକ୍ଷା କରାଯାଇନାହିଁ
– ତେଣୁ ଆରୟନଙ୍କ ଗିରଫଦାରି ଏକ ଭୁଲ ବୋଲି କହିଛନ୍ତି ମୁକୁଲ ରୋହତଗୀ
– ବିନା ପ୍ରମାଣରେ ଆରୟନଙ୍କୁ ୨୦ ଦିନ ହେଲା ଜେଲରେ ରଖାଯାଇଛି
– ଏହାଛଡା ଏନସିବି ଯେଉଁ ହ୍ୱାଟସଆପ ଚାଟକୁ ପ୍ରମାଣ ଭାବେ ଦାଖଲ କରୁଛି, ତାହା ୨୦୧୮ ମସିହାର
– କ୍ରୁଜ ପାର୍ଟି ସହ ଯାହାର କୌଣସି ସଂପର୍କ ନାହିଁ, ସେହି ଚାଟ୍ ଆରୟନ ବିଦେଶରେ ଥିବା ସମୟରେ କରିଥିଲେ ବୋଲି କହିଛନ୍ତି ମୁକୁଲ ରୋହତଗି