ରକ୍ତଚାପରେ ଯୁବବର୍ଗ ! ଲକ୍ଷଣ ଓ ଏହାର ପ୍ରତିକାର କ’ଣ ?

254

କନକ ବ୍ୟୁରୋ : ଆଜିକାଲି ବ୍ଲଡପ୍ରେସର ବା ରକ୍ତଚାପ ସାଧାରଣ ହୋଇଗଲାଣି । ପୂର୍ବରୁ ବୟସ୍କ ବ୍ୟକ୍ତିମାନେ ରକ୍ତଚାପର ଶିକାର ହେଉଥିଲେ । କିନ୍ତୁ ଏବେ ସମୟ ବଦଳି ଯାଇଛି । ଏବେ ଯୁବବର୍ଗ ଏହାର ଅଧିକ ଶିକାର ହେଉଛନ୍ତି । ଏବେ ଆମେ କହୁନୁ, ଏମ୍ସର ଅଧ୍ୟୟନରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।

ରିପୋର୍ଟ ଅନୁସାରେ, ଭାରତୀୟ ଯୁବବର୍ଗ ଅଧିକ ରକ୍ତଚାପଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି । ବିଶେଷକରି ସହରାଞ୍ଚଳ ଯୁବବର୍ଗ ଅଧିକ ଆକ୍ରାନ୍ତ ହେଉଛନ୍ତି । ଅତ୍ୟଧିକ ଟେନସନ୍ ଓ କାର୍ଯ୍ୟଭାର ଯୋଗୁଁ ଆଜିକାଲିର ଯୁବବର୍ଗ ଉକ୍ତ ରକ୍ତଚାପର ଶିକାର ହେଉଥିବା ଅଧ୍ୟୟନରେ କୁହାଯାଇଛି । ତେବେ କିଛି ସରଳ ପଦକ୍ଷେପ ନେଲେ, ଏହାର ଉପଚାର ହୋଇପାରିବ । ନହେଲେ ରକ୍ତଚାପ ଜଣେ ବ୍ୟକ୍ତିକୁ ବିଭିନ୍ନ ରୋଗରେ ଆକ୍ରାନ୍ତ କରିପାରେ ।

ରକ୍ତଚାପରେ ଯୁବବର୍ଗ !

– ସାମାନ୍ୟ ରକ୍ତଚାପ ୧୨୦/୮୦ ରହିବା ଦରକାର
– ୧୨୦କୁ ସିଷ୍ଟୋଲିକ୍ ପ୍ରେସର ଓ ୮୦କୁ ଡିଷ୍ଟୋଲିକ୍ ପ୍ରେସର କୁହନ୍ତି
– ସପ୍ତାହରେ ୩ରୁ ୪ଥର ରକ୍ତଚାପ ୧୪୦/୯୦ ରହିଲେ, ଏହାକୁ ଉଚ୍ଚ ରକ୍ତଚାପ କୁହାଯିବ
– ଉଚ୍ଚ ରକ୍ତଚାପ ପୂର୍ବରୁ ପୁରୁଷ, ବୃଦ୍ଧ ଓ ସହରାଞ୍ଚଳରେ ଦେଖିବାକୁ ମିଳୁଥିଲା
– ଏବେ ତାହା ମହିଳା ଓ ଯୁବବର୍ଗଙ୍କ ଭିତରେ ଅଧିକ ଦେଖିବାକୁ ମିଳୁଛି
– ହୃଦଜନିତ ରୋଗ, ବ୍ରେନ୍ ଷ୍ଟ୍ରୋକ୍ ଓ କିଡନୀ ରୋଗର ବଡ଼ ଲକ୍ଷଣ ହେଉଛି ଉଚ୍ଚ ରକ୍ତଚାପ
– ଡବ୍ଲ୍ୟୁଏଚ ରିପୋର୍ଟ ଅନୁସାରେ, ୫୦% ପ୍ରତିଶତରୁ ଅଧିକ ଷ୍ଟ୍ରୋକ୍ ବା ପାରାଲିସିସର କାରଣ ଉଚ୍ଚ ରକ୍ତଚାପ
– ଏହାସହ ୪୫ରୁ ଅଧିକ ପ୍ରତିଶତ ଦୃଦଘାତର କାରଣ ମଧ୍ୟ ଉଚ୍ଚ ରକ୍ତଚାପ
– ଭାରତୀୟ ସହରାଞ୍ଚଳରେ ୨୦% ଓ ଗ୍ରାମାଞ୍ଚଳରେ ୩୦% ଲୋକଙ୍କର ରକ୍ତଚାପ ନିୟନ୍ତ୍ରଣରେ ରହିଛି
– କାର୍ଯ୍ୟାଳୟରେ କାମ ଚାପରେ ଧୁମ୍ରପାନ କରିବା ହୋଇପାରେ ଘାତକ
– ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ସପ୍ତାହରେ ୫ ଦିନ ୩୦ କିଲୋମିଟର ଚାଲିବା ଦରକାର
– ଏହା ବ୍ୟତୀତ ସନ୍ତରଣ କିମ୍ବା ସାଇକ୍ଲିଂ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ
– ଯୋଗ ଦ୍ୱାରା ମଧ୍ୟ ରକ୍ତଚାପ ନିୟନ୍ତ୍ରଣ ହୋଇପାରିବ
– କିନ୍ତୁ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ କିଛି ଆସନ ନିଷିଦ୍ଧ ରହିଛି
– ଉଚ୍ଚ ରକ୍ତଚାପ ଅଧିକ ଥିଲେ ଲୁଣ କମ୍ ଖାଆନ୍ତୁ
– ତାଜା ଫଳ ଓ ପନିପରିବା ଖାଇବା ଦ୍ୱାରା ମଧ୍ୟ ନିୟନ୍ତ୍ରଣ ହୋଇଥାଏ ରକ୍ତଚାପ
– ଥରେ ରକ୍ତଚାପ ଔଷଧ ସେବନ କଲେ, ଏହାକୁ ଛାଡ଼ିବା କଷ୍ଟକର ହୋଇପଡ଼ିଥାଏ ।