କନକ ବ୍ୟୁରୋ : ଛତିଶଗଡରେ ବଡ ଧରଣର ନକ୍ସଲ ଆକ୍ରମଣ । ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ସହିଦ । ଦାନ୍ତେୱାଡାର ଅରନପୁର ଅଞ୍ଚଳରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଛତିଶଗଡରେ ଏହି ନକ୍ସଲ ଆକ୍ରମଣ ପରେ ଓଡ଼ିଶାରେ ହାଇଆଲର୍ଟ ଜାରି କରାଯାଇଛି । ଓଡ଼ିଶାର ୩ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । କୋରାପୁଟ, ମାଲକାନିଗିରି ଓ ନବରଙ୍ଗପୁରରେ ହାଇ ଆଲର୍ଟ ଜାରି କରାଯାଇଥିବା ନେଇ ରାଜ୍ୟ ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ଏହି ଆକ୍ରମଣ ପରେ ନକ୍ସଲଙ୍କୁ ଚାରି ପଟରୁ ଘେରି ଅପରେସନ ଆରମ୍ଭ ହୋଇଛି । ଉଭୟ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ତେବେ ଏହା ଭିତରେ ପୋଲିସକୁ ସହାୟତା କରିବାକୁ ଅଧିକ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ଏହି ଆକ୍ରମଣକୁ କଡା ନିନ୍ଦା କରିବା ସହ ଛତିଶଗଡ ମୁଖ୍ୟମନ୍ତ୍ରୀ କହିଛନ୍ତି କାହାକୁ ଛଡାଯିବନି । ଯୋଜନାବଦ୍ଧ ଭାବେ ନକ୍ସଲଙ୍କୁ ନିପାତ କରାଯିବ । ଏବେ ଅନ୍ତିମ ଲଢେଇ ଚାଲିଛି, କୌଣସି ରୂପେ ନକ୍ସଲଙ୍କୁ ଛଡାଯିବନି । ଏହାସହ ସହିଦ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଭୂପେଶ ବାଘେଲ । ଅନ୍ୟପଟେ ଏହି ଆକ୍ରମଣ ପରେ ଗୃହମନ୍ତ୍ରୀ ଅମିତ ଶାହା ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି । କେନ୍ଦ୍ର ପକ୍ଷରୁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଶାହା ।
Follow Us