ଫଳାଫଳ ଆସିବା ପୂର୍ବରୁ ହ୍ୱାଇଟ ହାଉସରେ ସେନା ଛାଉଣି, ସରକାରୀ ସଂସ୍ଥା ଗୁଡିକରେ ହାଇ ଆଲର୍ଟ । କିନ୍ତୁ  ଫଳାଫଳ ଆସିବା ପୂର୍ବରୁ ଆମେରିକାରେ କାହିଁକି ଏମିତି ସ୍ଥିତି? 

328

କନକ ବ୍ୟୁରୋ : ୱାସିଂଟନ୍ ସ୍ଥିତ ହ୍ୱାଇଟ ହାଉସ ଓ ଅନ୍ୟ ସରକାରୀ ସଂସ୍ଥାଗୁଡିକୁ ହାଇ ଆଲର୍ଟରେ ରଖାଯାଇଛି । ଏହି ଅଂଚଳରୁ ସେନା ଛାଉଣିରେ ପରିଣତ କରାଯାଇଛି । କାରଣ ରାଷ୍ଟ୍ରପତି ନିର୍ବାଚନର ପରିଣାମକୁ ନେଇ ଆମେରିକାରେ ଏକ ବଡଧରଣ ଅଶାନ୍ତିର ଆଶଙ୍କା କରାଯାଉଛି ।

ୱାସିଂଟନ ଡିସି ସ୍ଥିତ ହ୍ୱାଇଟ୍ ହାଉସ ବାହାରେ ପ୍ରତିବାଦକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିରୋଧ କରି ଏହି ପ୍ରତିବାଦ ରାଲି । ଜର୍ଜ ଫ୍ଲୋଏଡ ଓ ଅନ୍ୟଜଣେ ଆଫ୍ରିକୀୟ ଆମେରିକୀୟଙ୍କୁ ହତ୍ୟା ପରେ ଆମେରିକାରେ ଯେଉଁ ବର୍ଣ୍ଣ ବୈଷମ୍ୟ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା, ତାର ପ୍ରତିଫଳନ ଆଜିଯାଏ ରହିଛି । ଏପରିକି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିରୋଧ କରି ଏମାନେ ପ୍ରତିବାଦକୁ ଆହୁରି ଜୋରଦାର କରିଛନ୍ତି । ଟ୍ରମ୍ପ ପୁଣିଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଆନ୍ଦୋଳନକୁ ତେଜିଆନ କରିବାକୁ ଚେତାବନୀ ଦେଇଛନ୍ତି ।

ବର୍ଣ୍ଣ ବୈଷମ୍ୟ ବିରୋଧୀ ଆନ୍ଦୋଳନ ଓ ହିଂସାକୁ ଦୃଷ୍ଟିରେ ରଖି ଆମେରିକାର ପ୍ରମୁଖ ବ୍ୟବସାୟିକ ଅଞ୍ଚଳରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିିତି ଏଡାଇବାକୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ୱାସିଂଟନ୍ ଡିସି ସ୍ଥିତ ହ୍ୱାଇଟ ହାଉସ ଓ ଅନ୍ୟ ସରକାରୀ ସଂସ୍ଥାଗୁଡିକୁ ହାଇ ଆଲର୍ଟରେ ରଖାଯାଇଛି । ଏହି ଅଂଚଳରୁ ସେନା ଛାଉଣିରେ ପରିଣତ କରାଯାଇଥିବା ହ୍ୱାଇଟ ହାଉସ ସିକ୍ରେଟ ସର୍ଭିସ ସୂଚନା ଦେଇଛି ।

ମତଦାନ ଦିବସ ପୂର୍ବରୁ ପ୍ରେସିଡେନ୍ସିଆଲ କମ୍ପେ୍ଲକ୍ସକୁ ଘେରି ଏକ ଅସ୍ଥାୟୀ ଅଭେଦ୍ୟ ପ୍ରାଚୀର ନିର୍ମାଣ କରାଯାଇଛି । ସାରା ଦେଶରେ ୬ଶହ ନ୍ୟାସନାଲ ଗାର୍ଡ ଟ୍ରୁପଙ୍କୁ ମଧ୍ୟ ମୁତୟନ କରାଯାଇଛି । ଏହାବାଦ ରାଷ୍ଟ୍ରପତି ନିର୍ବାଚନର ପରିଣାମକୁ ନେଇ ଏକ ବଡଧରଣ ଅଶାନ୍ତିର ଆଶଙ୍କା କରାଯାଉଛି । କାରଣ ନିଜକୁ ଆଗୁଆ ବାଜୟୀ ଘୋଷଣା କରିବା ସହିତ ପ୍ରତିପକ୍ଷଙ୍କ ବିରୋଧରେ ଭୋଟ ଜାଲିଆତି ଅଭିଯୋଗ ଆଣି ନ୍ୟାୟିକ ଲଢେଇ ପାଇଁ ଚେତାବନୀ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଯାହା ହେଉ ନା କାହିଁକି ଭାରତ ସହିତ ଆମେରିକାର ସଂପର୍କ ଆହୁରି ମଜବୁତ ହେବ ବୋଲି ଆକଳନ କରାଯାଉଛି । ଉଭୟ ପ୍ରାର୍ଥୀଙ୍କ ନୀତି, ଇସ୍ତାହାର ଓ ପ୍ରଚାର ସମୟରେ ମନ୍ତବ୍ୟରୁ ଏହା ସ୍ପଷ୍ଟ ହେଉଛି । ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପର୍ଯ୍ୟାୟ ରାଷ୍ଟ୍ରପତିତ୍ୱ ସମୟରେ ହ୍ୱାଇଟ ହାଉସରେ ଭାରତ ଶ୍ରେଷ୍ଠ ବନ୍ଧୁର ପରିଚୟ ପାଇଥିଲା । ମୋଦିଙ୍କ ସହ ଟ୍ରମ୍ପଙ୍କ ବନ୍ଧୁତା ଏକ ନୂତର ଶିଖରକୁ ଛୁଇଁଥିଲା ।

ଅନ୍ୟପକ୍ଷରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ୍ ମଧ୍ୟ ସିନେଟର ଥିବା ସମୟରୁ ଭାରତ ସହିତ ଆମେରିକାର ଦୃଢ ସଂପର୍କ ଦାବି କରିଆସିଛନ୍ତି । ଭାରତ-ଆମେରିକା ବେସାମରିକ ଆଣବିକ ଚୁକ୍ତିରୁ ଆରମ୍ଭ କରି ୫ଶହ ବିଲିୟନ ଡଲାର ଦ୍ୱିପାକ୍ଷୀକ ବାଣିଜ୍ୟ ଲକ୍ଷ୍ୟ ଧାର୍ଯ୍ୟ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି । ଗତ ଜୁଲାଇରେ ପାଣ୍ଠି ସଂଗ୍ରହ ବେଳେ ଭାରତ ଓ ଆମେରିକା ସ୍ୱାଭାବିକ ସହଯୋଗୀ ବୋଲି ବାଇଡେନ କହିଥିଲେ । ଅନେକ ଭାରତୀୟ ଆମେରିକୀୟଙ୍କ ସହିତ ମଧ୍ୟ ତାଙ୍କର ଉତମ ସଂପର୍କ ରହିଛି ।

କରୋନା କାଳରେ ଲୋକଙ୍କ ଭିତରେ ଯୋଗାଯୋଗ ସ୍ଥାପନ କିମ୍ବା ସୂଚନା ପହଂଚାଇବାର ପ୍ରମୁଖ ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ । ତେଣୁ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଏଥର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିଭାଇଛି । ହେଲେ ଭୋଟ ଗ୍ରହଣରୁ ଆରମ୍ଭ କରି ଭୋଟ ଗଣତି ଯାଏଁ ଏହି ସୋସିଆଲ ମିଡିଆରେ ମିଛ ଖବର ପ୍ରଚାରର ଭୟ ମଧ୍ୟ ରହିଛି । ତେଣୁ ନିର୍ବାଚନୀ ବାତାବରଣ ନଷ୍ଟ ହେବା କିମ୍ବା ହିଂସା ଉପୁଜିବା ଆଶଙ୍କାରେ ବିଭିନ୍ନ ସୋସିଆଲ ମିଡିଆ ଅଧିକ ସତର୍କ ହୋଇଛନ୍ତି । ମେସେଜିଂ ଆପ, ସର୍ଚ୍ଚ ଇଞ୍ଜିନ କିମ୍ବା ଫେସବୁକ, ଟୁଇଟର ଭଳି ସୋସିଆଲ ମିଡିଆ କେତେକ କଟକଣା ଲଗାଇଛନ୍ତି ।