ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ବ୍ରହ୍ମପୁର ସହରରେ ତତ୍ପରତା: ଛକକୁ ଛକ ଜଗିଛି ପୋଲିସ, ଘରକୁ ଘରି ବୁଲି ତଥ୍ୟ ସଂଗ୍ରହ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ

ଏପଟେ ଭୁବନେଶ୍ୱରରେ ରବିବାର ସଟ୍ଡାଉନରେ କଡାକଡି ଯାଂଚ

146

କନକ ବ୍ୟୁରୋ: ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ବ୍ରହ୍ମପୁର ସହରରେ ତତ୍ପରତା । ଚାରି ଦିନିଆ ସଟଡାଉନର ଦ୍ୱିତୀୟ ଦିନରେ ମଧ୍ୟ ବ୍ରହ୍ମପୁର ସହରରେ କଡାକଡି କରାଯାଇଛି କଟକଣା । ଛକକୁ ଛକ ପୋଲିସ ଜଗି ରହି ଯାଂଚ କରୁଥିବା ବଳେ ଘରକୁ ଘରି ବୁଲି ତଥ୍ୟ ସଂଗ୍ରହ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ । ଏପରିକି ଗାଁରେ ରହୁଥିବା ଲୋକେ ବ୍ରହ୍ମପୁର ସହରକୁ ନଆସିବା ପାଇଁ ପ୍ରଶାସନ ପରାମର୍ଶ ଦେଇଛି । ଏପଟେ ଲକଡାଉନ ୧ରେ ଶନିବାର, ରବିବାର ସଟଡାଉନରେ ଆଜି ଭୁବନେଶ୍ୱରରେ କଡାକଡି ଯାଂଚ କରାଯାଉଛି ।

ସେପଟେ ଆଜିଠାରୁ ପାରଳାଖେମୁଣ୍ଡିରେ ତିନି ଦିନିଆ ସଟ୍ଡାଉନ୍ । ପାରଳାଖେମୁଣ୍ଡି ସହର ସମେତ ଗୋଷାଣି ଓ ଗୁମ୍ମା ଦୁଇଟି ବ୍ଲକ୍ ଏବଂ ରାଣିପେଣ୍ଠ ପଂଚାୟତକୁ ସଟ୍ଡାଉନ୍ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏପରି ନିଷ୍ପତି ନେଇଛି ପ୍ରଶାସନ । ଔଷଧ ଓ କ୍ଷୀର ପରି ଅତ୍ୟାବଶ୍ୟକ ଦୋକାନକୁ ବାଦ୍ ଦେଇ ଅନ୍ୟ ସବୁ ଦୋକାନ ବନ୍ଦ ରହିବ । ଅତ୍ୟନ୍ତ ଜରୁରୀ ଆବଶ୍ୟକ ନହେଲେ ଘରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି । ଏହାକୁ କଡାକଡି ଭାବେ ପାଳନ କରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି ।