ବାତ୍ୟା ‘ଫୋନି’ ପରେ ଏବେ ମହାମାରୀ ଆଶଙ୍କା । ୫ଟି ଜିଲ୍ଲାରେ ହାଇଆଲର୍ଟ ।

220

କନକ ବ୍ୟୁରୋ : ବାତ୍ୟା ପରବର୍ତୀ ସମୟରେ ଯେପରି କୌଣସି ସ୍ଥାନରେ ମହାମାରୀ ନ ବ୍ୟାପେ ସେଥିପାଇଁ ୫ ଜିଲ୍ଲାକୁ ହାଇ ଆଲର୍ଟରେ ରଖିଛି ସ୍ବାସ୍ଥ୍ୟ ବିଭାଗ । ଏସବୁ ଜିଲ୍ଲାର ଡାକ୍ତରଖାନାକୁ ଆସୁଥିବା ଝାଡ଼ାବାନ୍ତି ଆକ୍ରାନ୍ତ କିମ୍ବା ଜ୍ବର ଆଦିର ପୀଡ଼ିତ ରୋଗୀ ଯଦି ଚିକିତ୍ସା ପାଇଁ ଭର୍ତି ହେଉଛନ୍ତି ତେବେ ତାଙ୍କର ନମୁନା ପରୀକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି । ନମୁନାରୁ କୌଣସି ଅଞ୍ଚଳରେ କି ପ୍ରକାର ରୋଗ ଦେଖାଦେଇଛି ତାହା ସହଜରେ ଜଣାପଡ଼ିବା ସହିତ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ।

ଏବେସୁଦ୍ଧା କୌଣସି ସ୍ଥାନରେ ମହାମାରୀର ସୂଚନା ନାହିଁ । କାଁ ଭାଁ ଲୋକ ସାଧାରଣ ଝାଡ଼ାବନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଆସୁଛନ୍ତି । ବାତ୍ୟାରେ ପୁରୀ ଜିଲ୍ଲାର ସର୍ବାଧିକ କ୍ଷତିଗ୍ରସ୍ତ ଗୋପ, ପୁରୀ ସଦର, କଣାସ, ସତ୍ୟବାଦୀ, ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍‌କୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟିସ୍କାନ୍, ଆଇସିୟୁ, ଏସ୍‌ଏନ୍‌ଏସିୟୁ ଓ ଡାଏଲିସିସ୍ ବ୍ୟବସ୍ଥା ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଏହାସହ ଯଥେଷ୍ଟ ପରିମାଣର ଆବଶ୍ୟକ ଔଷଧ, ହାଲୋଜେନ୍ ଓ କ୍ଲୋରିନ୍ ବଟିକା, ସାଲାଇନ୍, ସାପ କାମୁଡ଼ା ଇଞ୍ଜେକସନ୍ ଆଦି ମହଜୁଦ ରହିଛି । ୧୨୦ ଭ୍ରାମ୍ୟମାଣ ସ୍ବାସ୍ଥ୍ୟକେନ୍ଦ୍ର ଏହି ବ୍ଲକ୍‌ଗୁଡ଼ିକରେ ଲୋକଙ୍କ ଘର ନିକଟରେ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି ।

୫ ଜିଲ୍ଲାର ୭୪ ଜଣ ଡାକ୍ତର, ୨୩୪ ଜଣ ପାରାମେଡିକ୍ ମୁତୟନ ହୋଇଥିବା ବେଳେ ପୁରୀ ଓ ଖୋର୍ଧା ଜିଲ୍ଲାରେ ସ୍ବତନ୍ତ୍ର ଭାବେ ୨୦ଜଣ ଡାକ୍ତର ଓ ୨ଶହ ପାରାମେଡିକ୍ ନିୟୋଜିତ ହୋଇଛନ୍ତି । ପୁରୀ ଜିଲ୍ଲାର ୧୫ରୁ ୪୫ବର୍ଷ ବୟସର ବାଳିକା ଓ ମହିଳାମାନଙ୍କୁ ମାଗଣାରେ ସାନିଟାରି ନାପକିନ୍ ଯୋଗାଇ ଦିଆଯାଇଛି । ଆସନ୍ତା ୨ମାସ ପର୍ଯ୍ୟନ୍ତ ସେମାନଙ୍କୁ ଏହା ମାଗଣାରେ ଦିଆଯିବ । ପୁରୀ ଜିଲ୍ଲାର ସମସ୍ତ ଗାଁ କଲ୍ୟାଣ ସମିତିଗୁଡ଼ିକୁ ସେମାନଙ୍କ ଅଞ୍ଚଳକୁ ସଫାସୁତରା ରଖିବା ପାଇଁ ଅଧିକ ୧୦ ହଜାର ଟଙ୍କା ଯୋଗାଇ ଦିଆଯାଇଛି । ବାତ୍ୟାଞ୍ଚଳରେ ଜଳ ଓ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ଲାଗି ଗାଁ କଲ୍ୟାଣ ସମିତି ଜରିଆରେ ଏବେ ସୁଦ୍ଧା ୧୮ହଜାର ୫୩୬ ସଫେଇ କାର୍ଯ୍ୟ ହୋଇଛି । ୬୯ହଜାର ୬୭୨ ମୁକ୍ତ ପାନୀୟଜଳ ଉତ୍ସଗୁଡ଼ିକୁ ବିଶୋଧନ କରାଯାଇଛି । ବି‌ଶୋଧନ ସମୟରେ ପ୍ରାୟ ୧୫ଟି ଜଳଉତ୍ସରେ ମୃତ ପଶୁପକ୍ଷୀ ଭାସୁଥିବା ଦେଖିବାକୁ ମିଳିଥିବା ବେଳେ ଏସବୁବୁକ ବ୍ୟବହାର ନ କରିବା ପାଇଁ ଲୋକଙ୍କୁ କୁହାଯାଇଛି । କୌଣସି ରୋଗର ପୂର୍ବ ସୂଚନା ଜାଣିବା ପାଇଁ କେନ୍ଦ୍ରରୁ ଆସିଥିବା ୧୨ଜଣିଆ ବିଶେଷଜ୍ଞ ଦଳ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୧୦ଜଣିଆ ଦଳ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ସର୍ବେକ୍ଷଣ ଜାରି ରଖିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।