କରୋନା ମୃତ୍ୟୁର କରୁଣ କାହାଣୀ: ମୃତ୍ୟୁ ସହ ସଂଘର୍ଷ ବେଳେ ବାପାଙ୍କ ଉଦ୍ଦେଶ୍ୟରେ ଜାରି କଲେ ଶେଷ ଭିଡିଓ ବାର୍ତ୍ତା; କହିଲେ, ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ବେଳେ କାଢି ଦେଲେ ଭେଂଟିଲେଟର, ବାଏ ବାଏ ଡାଡି

ଅଭିଯୋଗକୁ ଖଣ୍ଡନ କଲେ ଚେଷ୍ଟ ହସ୍ପିଟାଲର ସୁପରିଟେଣ୍ଡେଂଟ

971

କନକ ବ୍ୟୁରୋ: କରୋନା ମୃତ୍ୟୁର କରୁଣ କାହାଣୀ କେତେ ଦୁଃଖଦ ହୋଇପାରେ ତାହା ଆପଣ ଦେଖିଲେ ହିଁ ଅନୁଭବ କରିପାରିବେ । ହାଇଦ୍ରାବାଦରେ ଜଣେ ୩୫ବର୍ଷିୟ ଯୁବକ ରବି କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ଏହି ଯୁବକ ଜଣଙ୍କ ତାଙ୍କ ଶେଷ ଭିଡିଓ ବାର୍ତାରେ କହିଛନ୍ତି ଯେତେବେଳେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ଠିକ ସେତିକି ବେଳେ ତାଙ୍କ ଠାରୁ ଭେଂଟିଲେଟର କାଢି ନିଆଯାଇଥିଲା । ହାଇଦ୍ରାବାଦର ଚେଷ୍ଟ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ଯୁବକ ଜଣଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ବାପାଙ୍କ ଉଦ୍ଦେଶ୍ୟରେ ମୋବାଇଲ ଫୋନରୁ ଏକ ଭିଡିଓ ମେସେଜ ଦେଇଛନ୍ତି । ଆଉ ଏହି ଭିଡିଓ ମେସେଜରେ ସେ ଯାହା କହିଛନ୍ତି ଶୁଣିଲେ ଆପଣ ତାଜୁବ ହୋଇଯିବେ । ଏହି ମେସେଜଟି ହେଲା, ନିଶ୍ୱାସ ପ୍ରଶ୍ୱାସ ନେଇପାରୁନି, ସେମାନେ ଭେଂଟିଲେଟରଟି କାଢିନେଲେ । ଏହା ଘଟିବାର ୩ଘଂଟା ବିତିଗଲାଣି । ମୁଁ ପଚାରିଲି । ସେମାନେ କହୁଛନ୍ତି ତୁମର ବହୁତ ହୋଇଗଲା । ମୁଁ ଅନୁଭବ କରୁଛି, ମୋ ହାର୍ଟ କାମ କରିବା ବନ୍ଦ କରିଦେଇଛି । ବାଏ ବାଏ ଡାଡି ।

ମୃତ ରବିଙ୍କ ବାପା ଭେଙ୍କଟେଶ କହିଛନ୍ତି ପୁଅକୁ ୧୦୦ ଡିଗ୍ରୀ ଜର ଥିଲା । ଜୁନ ୨୩ ତାରିଖରେ ତାକୁ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ କହିଥିଲେ ପୁଅ ପାଖରେ କରୋନା ଲକ୍ଷଣ ରହିଛି । ପରୀକ୍ଷା କରିବା ଜରୁରୀ । ୧୦ରୁ ୧୨ଟି ହସ୍ପିଟାଲ ବୁଲିବା ପରେ କରୋନା ପରୀକ୍ଷା ହୋଇପାରିନଥିଲା । ଏପରିକି କୌଣସି ହସ୍ପିଟାଲରେ ଭର୍ତି ମଧ୍ୟ ହୋଇପାରିନଥିଲେ । ଶେଷରେ ଚେଷ୍ଟ ହସ୍ପିଟାଲରେ ରବିକୁ ଭର୍ତି କରାଯାଇଥିଲା । ତେବେ ତା ନିକଟରୁ କାହିଁକି ଅକ୍ସିଜେନ ଏବଂ ଭେଂଟିଲେଟର କାଢିନିଆଗଲା ତାହା ବୁଝିହେଉନି ବୋଲି ସେ କହିଛନ୍ତି । ଏସବୁ ଭିତରେ କିନ୍ତୁ କରୋନା ପରୀକ୍ଷା ରିପୋର୍ଟ ଆସିନଥିଲା ।

ଅନ୍ୟପକ୍ଷରେ ଚେଷ୍ଟ ହସ୍ପିଟାଲର ସୁପରିଟେଣ୍ଡଂଟ ମେହେବୁବ ଖାନା ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ରବିଙ୍କ ହାର୍ଟକୁ କରୋନା ସଂକ୍ରମିତ କରିଥିଲା । ତେଣୁ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା । ଏପରିକି ଭେଂଟିଲେଟର ଲାଗିଥିଲେ ମଧ୍ୟ ସେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁନଥିଲେ । ହସ୍ପିଟାଲରେ ବହୁତ ପରିମାଣରେ ଭେଂଟିଲେଟର ରହିଛି ବୋଲି ସେ ସଫେଇ ଦେଇଛନ୍ତି ।