ଦିଦିଙ୍କ ଉପରେ ବର୍ଷିଲେ ମୋଦି । କହିଲେ ପରିବର୍ତ୍ତନ ପାଇଁ ମମତା ସରକାରଙ୍କୁ ବାଛିଥିଲେ ବଙ୍ଗଳା ଜନତା, ହେଲେ ଲୋକଙ୍କ ସ୍ୱପ୍ନକୁ ଭାଙ୍ଗି ଚୁନା କରିଦେଲେ ଦିଦି ।

162

କନକ ବ୍ୟୁରୋ: କୋଲକାତା ବ୍ରିଗେଡ ଗ୍ରାଉଣ୍ଡର ମହାସମାବେଶକୁ ସମ୍ବୋଧନ କରି ଦିଦିଙ୍କ ଉପରେ ବର୍ଷିଲେ ମୋଦି । ଜନତାଙ୍କୁ ସମ୍ବୋଧିତ କରି କହିଲେ ପରିବର୍ତନ ପାଇଁ ମମତା ସରକାରଙ୍କୁ ବାଛିଥିଲେ ବଙ୍ଗଳା ଜନତା । ହେଲେ ଲୋକଙ୍କ ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେଲେ ଦିଦି । ସେପଟେ ବଙ୍ଗାଲ ଲଢେଇର ସୁପର-ସଣ୍ଡେରେ ବିଜେପିରେ ସାମିଲ ହୋଇଛନ୍ତି ବଲିଉଡ ଷ୍ଟାର ମିଥୁନ ଚକ୍ରବର୍ତ୍ତୀ । କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଂଚିବା ପୂର୍ବରୁ ମଂଚରେ ପହଂଚି ଯାଇଥିଲେ ମିଥୁନ୍ । ବିଜେପିର ବରିଷ୍ଠ ନେତା ମୁକୁଲ ଘୋଷ, କୈଳାସ ବିଜୟବର୍ଗୀୟ ତାଙ୍କୁ ଦଳରେ ସାମିଲ କରିଛନ୍ତି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଥମ ଥର ପାଇଁ କୋଲକାତାର ବ୍ରିଗେଡ୍ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ମୋଦି କରିଛନ୍ତି ବିଶାଳ ଜନ ସମାବେଶ । ଏହି ସମାବେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଶଙ୍ଖନାଦ କରିଛନ୍ତି ପ୍ରଧାନମନ୍ତ୍ରୀ । ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ବିଶାଳ ରାଲି କରି ମମତା ବାନାର୍ଜୀଙ୍କ ବିରୋଧରେ, ବିଜେପି ରଣହୁଙ୍କାର ଦେଇଛି । ମୋଦିଙ୍କ ରାଲିରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ବିଜେପି ପୂବ ର୍ରୁ ଦାବି କରିଥିଲା । ଆଉ ପ୍ରଧାନମନ୍ତ୍ରୀଙ୍କ ରାଲିରେ ମଧ୍ୟ ଜନସମୁଦ୍ର ଦେଖିବାକୁ ମିଳିଛି ।

କୋଲକାତାର ବିଭିନ୍ନ ସ୍ଥାନରୁ ଓ ରାଜ୍ୟର ଦୂରଦୁରାନ୍ତରୁ ସମର୍ଥକ ବସ୍ ଯୋଗେ ବ୍ରିଗେଡ୍ ଗ୍ରାଉଣ୍ଡକୁ ଆସିଛନ୍ତି । ମୋଦିଙ୍କ ସହ ମଂଚରେ ବଲିଉଡ୍ ଆକ୍ଟର ମିଥୁନ ଚକ୍ରବର୍ତି ଉପସ୍ଥିତ ରହଥିଲେ । ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ମିଥୁନ ଭେଟିବା ପରଠାରୁ ଯେଉଁ ଆକଳନ କରାଯାଉଥିଲା ତାହା ଆଜି ବାସ୍ତବ ରୁପ ନେଇଛି । କୁହାଯାଉଛି ମମତାଙ୍କୁ କାଉଂଟର କରିବାକୁ ବିଜେପି ଏକ ବଙ୍ଗୀୟ ଚେହେରା ଖୋଜୁଥିଲା । ଆଉ ମିଥୁନଙ୍କ ଆକାରରେ ଦଳକୁ ତାହା ମିଳିଯାଇଛି ।