ନନ୍ଦନକାନନକୁ ଘାରିଛି ହାରପିସ୍ ଭାଇରସର ଆତଙ୍କ । ୨ଟି ହାତୀର ମୃତ୍ୟୁ ପରେ ନନ୍ଦନକାନନରେ ଥିବା ଅନ୍ୟ ୬ଟି ହାତୀକୁ ଅଲଗା ରଖାଗଲା ।

237

କନକ ବ୍ୟୁରୋ : ନନ୍ଦନକାନନକୁ ଘାରିଛି ହାରପିସ୍ ଭାଇରସର ଆତଙ୍କ । ମୁଖ୍ୟତଃ ଜଙ୍ଗଲୀ ହାତୀଙ୍କୁ ସଂକ୍ରମିତ ହେଉଥିବା ହାରପିସ୍ ଭାଇରସ ପ୍ରଥମ ଥର ପାଇଁ ନନ୍ଦନକାନନ ଚିଡିଆଖାନାରେ ଏଣ୍ଟ୍ରି ମାରିଥିବା ଆଶଙ୍କା କରାଯାଉଛି । ଆଉ ସଂକ୍ରମଣ ବିପଦକୁ ଏଡାଇବା ପାଇଁ ଚିଡିଆଖାନା କର୍ତୃପକ୍ଷ ୬ ହାତୀଙ୍କୁ ଅଲଗା ଅଲଗା ରଖିଛନ୍ତି ।

ନନ୍ଦନକାନନରେ ହାତୀଙ୍କୁ ସଂକ୍ରମିତ କରୁଥିବା ହାରପିସ୍ ଭାଇରସର ଆତଙ୍କ । ଆଉ ସଂକ୍ରମଣ ବିପଦ ଏଡାଇବାକୁ ଚିଡିଆଖାନାର ୬ଟି ହାତୀଙ୍କୁ ଅଲଗା ଅଲଗା ରଖାଯାଇଛି । ବଡ ହାତୀ ପ୍ରେମା, ବାସନ୍ତୀ ଓ ହୀରା ହାତୀ ଶାଳରେ ରହିଛନ୍ତି । ଆଉ ହାତୀଶାଳରୁ ଛୋଟ ହାତୀ ଗୌରୀ ଓ କମଳାଙ୍କୁ ନନ୍ଦନକାନନର କଟେଜକୁ ଅଣାଯାଇଛି । ସବୁଠୁ ଛୋଟ ୨ବର୍ଷର ହାତୀ ମାମା ଯେଉଁ ଭେଟନାରୀ ପରିସରରେ ଥିଲା ସେଇଠି ରହିଛି ।

ନନ୍ଦନକାନନରେ ଥିବା ୬ଟି ହାତୀ ଯେପରି ହାରପିସ୍ ଭାଇରସରେ ସଂକ୍ରମିତ ନହୁଅନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି ଚିଡିଆଖାନା କର୍ତୃପକ୍ଷ । ସମସ୍ତ ହାତୀଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଏପରିକି ସଂକ୍ରମଣ ରୋକିବାକୁ ହାତୀଙ୍କ ସେବାରେ ନିୟୋଜିତ କର୍ମଚାରୀଙ୍କୁ ମଧ୍ୟ କେହି କାହା ପାଖକୁ ନଯିବା ପାଇଁ ବାରଣ କରାଯାଇଛି ।

ଅଗଷ୍ଟ ୨୭ରେ ନନ୍ଦନକାନନର ହାତୀ ଜୁଲିର ମୃତ୍ୟୁ ହୋଇଥିବା ବେଳେ ସେପ୍ଟେମ୍ବର ୧୪ ରାତିରେ ଆଖିବୁଜିଥିଲା ଚନ୍ଦନ । ଏହି ଦୁଇ ହାତୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ହାରପିସ ଭାଇରସ ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଆଉ ଏହାର ନମୂନା ଆସାମ ସ୍ଥିତ ସରକାରୀ ଲାବ୍ରୋଟାରୀକୁ ପଠାଯାଇଛି ।