ପ୍ରଧାନମନ୍ତ୍ରୀଙ୍କ ଆତ୍ମ ନିର୍ଭର ଭାରତ ଅଭିଯାନରେ ସାମିଲ ହେବ ହିରୋ ସାଇକେଲ୍ସ । ପର୍ଯ୍ୟାୟକ୍ରମେ ଚୀନ ସହ ବନ୍ଦ କରିବ ୯ ଶହ କୋଟିର କାରବାର, ଜର୍ମାନୀ କାରଖାନାରେ ନିଜେ ତିଆରି କରିବ ଯନ୍ତ୍ରାଂଶ

428

କନକ ବ୍ୟୁରୋ : ଚୀନ ସହ ୯ ଶହ କୋଟି ଟଙ୍କାର କାରବାରରୁ ଓହରି ଯିବ ହିରୋ ସାଇକେଲ୍ସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମ ନିର୍ଭର ଭାରତ ଅଭିଯାନରେ ସାମିଲ ହୋଇ ଏଭଳି ବଡ ନିଷ୍ପତି କରିଛି ହିରୋ ସାଇକେଲ୍ସ । ଭାରତୀୟ ସାଇକେଲ ବଜାରରେ ଏକ ଲୋକପ୍ରିୟ ବ୍ରାଣ୍ଡ ହିରୋ ସାଇକେଲ । ସମଗ୍ର ସାଇକେଲ ବଜାରରେ କେବଳ ହିରୋ ସାଇକେଲର କାରବାର ୪୪ ପ୍ରତିଶତ ରହିଛି । ତେବେ ଚୀନ ସହ ଭାରତର ତିକ୍ତତା କାରଣରୁ ଏହି ବଡ ଡିଲରୁ ଓହରି ଯିବାକୁ ନିଷ୍ପତି କରିଥିବା କହିଛନ୍ତି ହିରୋ ସାଇକେଲ୍ସର ଅଧ୍ୟକ୍ଷ ପଙ୍କଜ ମୁଂଜଲ । ଭାରତରେ ତିଆରି ହେଉଥିବା ସାଇକେଲ ପାଇଁ ଚୀନ ସମେତ ବିଶ୍ୱର ଅନ୍ୟାନ୍ୟ ଦେଶରୁ ପାର୍ଟ୍ସ ବା ଯନ୍ତ୍ରାଂଶ ଆମଦାନୀ କରିଥାଏ ହିରୋ ସାଇକେଲ୍ସ ।

ହେଲେ ଏବେ ଏଗୁଡିକୁ ଜର୍ମାନୀରେ ଥିବା କମ୍ପାନିର କାରଖାନାରେ ପ୍ରସ୍ତୁତ କରିବା ପାଇଁ ପ୍ରୟାସ ଜାରି ରହଛି । ତେଣୁ ପର୍ଯ୍ୟାୟକ୍ରମେ ଚୀନ କମ୍ପାନି ସହ କାରବାର ବନ୍ଦ କରି ହିରୋ ସାଇକେଲ୍ସ ସଂପୂର୍ଣ୍ଣ ଆତ୍ମ ନିର୍ଭର ହେବାକୁ ଯୋଜନା ରଖିଛିି । କରୋନା କାଳରେ ଲକଡାଉନ ଘୋଷଣା ହେବାପରେ ସାରା ବିଶ୍ୱରେ ସାଇକେଲର ଚାହିଦା ବଢିଛି । ଇଂଲଣ୍ଡ ଓ ଜର୍ମାନୀରେ ଥିବା କମ୍ପାନିର ଶାଖା ରେକର୍ଡ କାରବାର କରିଛନ୍ତି । ଭାରତରେ ମଧ୍ୟ ପ୍ରବାସୀ ଶ୍ରମିକ ଗୋଷ୍ଠୀ ନିଜନିଜ ରାଜ୍ୟକୁ ଫେରିଯିବା ପରେ ସେଠାରେ ସାଇକେଲ କିଣିବାର ସମ୍ଭାବନା କମ୍ପାନି ଦେଖିପାରୁଛି । ଫିଟନେସ ପାଇଁ ହେଉ ଅଥବା ପିଲାମାନଙ୍କ ପାଇଁ ଲୋକେ ସାଇକେଲ ଅଧିକ ଖରିଦ କରୁଛନ୍ତି । ତଥାପି ଚାହିଦା ବଢୁଥିବାବେଳେ ଚୀନ ସହିତ ୯ ଶହ କୋଟିର ବ୍ୟବସାୟିକ କାରବାର ବନ୍ଦ କରିବା ପାଇଁ ବଡ ନିଷ୍ପତି କରିଛି ହିରୋ ସାଇକେଲ୍ସ ।