ବଢିଲା ଏକାଡେମୀ ପୁରସ୍କାର ରାଶି । ଐତିହ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଓଡିଶୀ ସଙ୍ଗୀତର ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ପଠାଯିବ ପ୍ରସ୍ତାବ ।

348

କନକ ବ୍ୟୁରୋ: ଆଜି ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ଦ୍ୱିତୀୟ ଐତିହ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ୭ଟି ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି। ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଓଡ଼ିଶା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏକ ସଂସ୍କୃତି ସଂପନ୍ନ ରାଜନୈତିକ ଆୟତନ। ଭାରତ ସରକାର ୧୯୬୪ ମସିହାରେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ଓ ୨୦୧୪ ମସିହାରେ ଓଡ଼ିଆ ଭାଷାକୁ ୬ଷ୍ଠତମ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି। ଓଡ଼ିଶାର ଏହି ପରଂପରା, ଶୈଳୀ ପୂରାତନ। ଏହାର ଗାୟନ ପଦ୍ଧତି ଭାରତର ଅନ୍ୟ ଶାସ୍ତ୍ରୀୟ ସଂଗୀତ ଠାରୁ ଭିନ୍ନ। ୨୦୦୮ ମସିହାରେ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି। ତେଣୁ ଓଡ଼ିଶୀ ସଂଗୀତ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପ୍ରେରଣକୁ ଅନୁମୋଦନ କରାଯାଇଛି।

ଓଡ଼ିଶାର ଐତିହ୍ୟ, କୀର୍ତ୍ତିରାଜି, ମନ୍ଦିର, ସ୍ତୁପ, ଭାସ୍କର୍ୟ୍ୟର ରକ୍ଷଣାବେକ୍ଷଣ, ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି କାର୍ଯ୍ୟାବଳୀ ସଂସ୍କୃତି ବିଭାଗର ଜଣେ ନିର୍ଦ୍ଦେଶକଙ୍କ ପରିଚାଳନାରେ ସଂପାଦିତ ହେଉଥିବାରୁ ଅସୁବିଧା ହେଉଛି। ତେଣୁ ଏହାର ସୁପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ପାଇଁ ପ୍ରସ୍ତାବ ଅନୁମୋଦନ କରାଯାଇଛି।

ରାଜ୍ୟର ସଂଗ୍ରହାଳୟ ଗୁଡ଼ିକରେ ଥିବା ପୋଥିଗୁଡ଼ିକର ଡିଜିଟାଇଜେସନ୍ ପାଇଁ କାମ ଚାଲିଛି। ରାଜ୍ୟ ସଂଗ୍ରହାଳୟ ଅଧିନରେ କଟକର ଆନନ୍ଦ ଭବନ, କେନ୍ଦୁବିଲ୍ଵ ଠାରେ ଥିବା ଜୟଦେବ ସଂଗ୍ରହାଳୟ ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦ ସୃଷ୍ଟି ପ୍ରସ୍ତାବ ଅନୁମୋଦନ ହୋଇଛି। ରାଜ୍ୟ ସଂଗ୍ରହାଳୟ ପାଇଁ ନିର୍ଦ୍ଦେଶାଳୟ ଏବଂ ନିର୍ଦ୍ଦେଶକ ପ୍ରସ୍ତାବ ମଂଜୁରୀ ହୋଇଛି। ରାଜ୍ୟ ସଂଗ୍ରହାଳୟ ଏବଂ ଆନନ୍ଦ ଭବନକୁ ଭର୍ଚୁଆଲ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି।

ସଂସ୍କୃତି ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ଏକାଡେମୀ ପୁରସ୍କାର ରାଶି ବୃଦ୍ଧି କରାଯିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ଅତିବଡ଼ୀ, କବି ସମ୍ରାଟ, ଧର୍ମପଦ, ବ୍ୟାସକବି ପୁରସ୍କାର ବାବଦକୁ ୫ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ। ଏକାଡେମୀ ପୁରସ୍କାର ରାଶି ୫୦ ହଜାରରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି ଲାଗି ନିଷ୍ପତ୍ତି ହୋଇଛି। ଏକାଡେମୀ ସଂବର୍ଦ୍ଧନା ପୁରସ୍କାର ରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ବିକାଶ କରାଯିବ। ଏଥି ପାଇଁ ୧୧ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି।