ହାତ ଟେକିଦେଲେ ସରକାର: ଏବେ କମିବନି ତେଲ ଦର । ଜିଏସଟି ପ୍ୟାନେଲ୍ ନେଟୱାର୍କ ମୁଖ୍ୟ କହିଲେ, ଏବେ ଜିଏସଟି ପରିସରକୁ ଆସିବ ନାହିଁ ପେଟ୍ରୋଲ-ଡିଜେଲ

27

କନକ ବ୍ୟୁରୋ: ବର୍ତ୍ତମାନ କମିବ ନାହିଁ ତେଲ ଦର । ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ହେଉଥିବାବେଳେ ବର୍ତ୍ତମାନ ଏଥିରୁ ଆଶ୍ୱସ୍ତି ମିଳିବାର ନାହିଁ । କାରଣ ଜିଏସଟି ପ୍ୟାନେଲ ଟେଟୱର୍କ ମୁଖ୍ୟ ଥିବା ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି କିଛି ଏହିଭଳି ସଂକେତ ଦେଇଛନ୍ତି । ଗୋଟିଏ ପଟେ ସେ କହିଛନ୍ତି ଯେ, ପେଟ୍ରୋଲ ଓ ଡିଜେଲ ଜିଏସଟି ପରିସରକୁ ଆସିଲେ ମଧ୍ୟ ମୂଲ୍ୟରେ ବିଶେଷ ଫରକ ଆସିବ ନାହିଁ ।

Petrol price

ଅନ୍ୟ ପକ୍ଷରେ ବର୍ତ୍ତମାନ ଜିଏସଟି ପରିଧି ଭିତରକୁ ପେଟ୍ରୋଲିୟମ ପଦାର୍ଥ ଆଣିବାର ଯୋଜନା ନାହିଁ ବୋଲି ସେ ସୂଚନା ଦେଇଛନ୍ତି । କାରଣ ଦେଶରେ ଲାଗୁ ହୋଇଥିବା ଏକକ ଟିକସ ଜିଏସଟି ବ୍ୟବସ୍ଥାରେ ଯେପର୍ଯ୍ୟନ୍ତ ସ୍ଥିରତା ନଆସିଛି ସେ ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ଉପରେ ଜିଏସଟି ଲାଗୁ ନକରିବାକୁ ଜିଏସଟି କାଉନସିଲରେ ସ୍ଥିର ହୋଇଥିବା ସେ ସୂଚନା ଦେଇଛନ୍ତି ।

dharmendra pradhan

କିନ୍ତୁ ପେଟ୍ରୋଲିୟମ ବିଭାଗ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର କହିଆସୁଛନ୍ତି ଯେ, ପେଟ୍ରୋଲ ଓ ଡିଜେଲ ଦର ଜିଏସଟି ପରିସରକୁ ଆସିଲେ ମୂଲ୍ୟରେ ହ୍ରାସ ଘଟିବ । ଗତ କିଛିଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ବଢିଚାଲିଥିବା ବେଳେ ଏହାକୁ ନେଇ ଗ୍ରାହକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଆଉ ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତାର ପ୍ରଭାବ ଭାରତୀୟ ବଜାରରେ ପଡୁଥିବା ସେ ସଫେଇ ଦେଇଥିଲେ ।