କରୋନା କଟକଣାକୁ ଫୁ କରି ଚାଲିଥିଲା ବିବାହ ଭୋଜି : ପୋଲସରାରେ ଶତାଧିକ ଲୋକଙ୍କ ପାଇଁ ହୋଇଥିଲା ଖାଦ୍ୟ ପ୍ରସ୍ତୁତ

ପୋଲିସ ଓ ତହସିଲଦାର ପହଁଚି ବନ୍ଦ କଲେ ଭୋଜି, ଆଦାୟ କଲେ ଜରିମାନା

190

କନକ ବ୍ୟୁରୋ : କରୋନା ସାରାଦେଶରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ମହାମାରୀ କାହାକୁ କେତେବେଳେ ମୃତ୍ୟୁ କୋଳରେ ଶୁଆଇ ଦେଉଛି, ତାହା କଳ୍ପନା କରି ହେଉନାହିଁ । କରୋନା ସଂକ୍ରମଣ ରୋକିବାକୁ ଲଢେଇ ଚାଲିଛି । ଡାକ୍ତରଖାନାରେ ସଂକ୍ରମିତ ଜୀବନ ପାଇଁ ସଂଘର୍ଷ କରୁଛନ୍ତି । ଘରେ ସଂଗରୋଧରେ ରହି ଆକ୍ରାନ୍ତ ସୁସ୍ଥ ହେବାକୁ ଚେଷ୍ଟା ଚଳାଇଛନ୍ତି । ମହାମାରୀର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଡା ପଦକ୍ଷେପ ନେଉଛନ୍ତି, କଟକଣା ଲଗାଉଛନ୍ତି । ହେଲେ କିଛି ଅମାନିଆ ବ୍ୟକ୍ତି ଏହି ସମୟରେ ମଉଜ କରୁଛନ୍ତି ।

ବିବାହ ଭୋଜିରେ ୫୦ ଜଣ ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳିଥିବା ବେଳେ ଶତାଧିକ ଲୋକଙ୍କ ପାଇଁ ଭୋଜିର ଆୟୋଜନ କରୁଛନ୍ତି । ତାଲାବନ୍ଦ ସାଙ୍ଗକୁ କରୋନା କବଳିତ ରାଜ୍ୟରେ ଲୋକେ ଗଣ୍ଡାଏ ଖାଇ ବଂଚିବା ପାଇଁ ସଂଘର୍ଷ କରୁଥିବା ବେଳେ ବିଭିନ୍ନ ପ୍ରକାର ଆଇଟମ୍ କରି ଭୋଜିର ଆୟୋଜନ କରାଯାଉଛି । ଏ ଘଟଣା ହେଉଛି ଗଞ୍ଜାମ ଜିଲ୍ଲା ପୋଲସରାର । ବେଆଇନ୍ ଭାବେ ଆୟୋଜିତ ଦୁଇଟି ବିବାହ ଭୋଜି ବନ୍ଦ କରିଛି ପୋଲସରା ପୁଲିସ । କୋଭିଡ ନିୟମକୁ ଉଲ୍ଲଘଂନ କରି ରୁମାଗଡ ଓ ସ୍ବପ୍ନେଶ୍ୱର ସାହିରେ ବିବାହ ଭୋଜିର ଆସର ଚାଲିଥିଲା । ବିନା ଅନୁମତିରେ ଶତାଧିକ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥିଲା । ଏ କଥା ଜାଣି ଘଟଣାସ୍ଥଳରେ ପହଂଚିଥିଲେ ପୋଲସରା ଥାନା ଅଧିକାରି ଜିତେନ୍ଦ୍ର କୁମାର ମଲ୍ଲିକ ଓ ତହସିଲଦାର ଦିଲ୍ଲିପ କୁମାର ନାୟକ ।

ପ୍ରଶାସନିକ ଅଧିକାରୀ ଭୋଜି ବନ୍ଦ କରିବା ସହ ନିୟମ ଉଲଂଘନ କରିବା ଅଭିଯୋଗରେ ୫ ହଜାର ଟଙ୍କା ଲେଖାଏ ଜରିମାନା ଉଭୟ ସ୍ଥାନରୁ ଆଦାୟ କରିଥିଲେ । ସେହିପରି ଫେରିବା ସମୟରେ କିଛି ଦୋକନୀ କଟକଣା ମାନୁନଥିବାରୁ ସେମାନଙ୍କ ଠାରୁ ୭ ହଜାର ଜରିମାନା ଆଦାୟ କରିଛନ୍ତି । ପ୍ରଶ୍ନ ଉଠୁଛି ଆଉ କେତେ ହେଲେ ଲୋକେ ଚେତିବେ । କେବେ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ହେବ । ଆଉ କେତେ ଦୁଃସମୟ ଦେଖିବାକୁ ଅପେକ୍ଷା କରିଛନ୍ତି ଏଭଳି ଅମାନିଆ ବ୍ୟକ୍ତି ।