ଦୈନିକ ଟିକାକରଣ ଟାର୍ଗେଟରେ ଢେର ପଛରେ ରହୁଛି ଭାରତ : ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ଟିକାଦାନ ହେବା ନେଇ ବଢିଲା ସନ୍ଦେହ

89

କନକ ବ୍ୟୁରୋ : ବିକଶିତ ରାଷ୍ଟ୍ରରେ ଖୋଲୁଛି ଅର୍ଥନୀତି । ଜୀବିକା ଉପରେ ଗୁରୁତ୍ୱ ଦିଆଯାଉଛି । ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । କରୋନାରୁ ମୁକାବିଲା କରିବାରେ କଟକଣା ସହ ଟିକା ହିଁ ଏକମାତ୍ର ବିକଳ୍ପ ବୋଲି କୁହାଯାଉଛି । କିନ୍ତୁ ଭାରତ ଭଳି ବିକାଶଶୀଳ ଦେଶରେ ଟିକାକରଣ ଅଭିଯାନ ଏକପ୍ରକାର ଦୁର୍ବଳ ଅବସ୍ଥାରେ ଚାଲିଛି ବୋଲି କହିଲେ ଭୁଲ ହେବନାହିଁ । ଚଳିତ ମାସର ଦ୍ୱିତୀୟ ସପ୍ତାହରେ ଟିକାକକରଣ ୪୦ ଲକ୍ଷ ତଳକୁ ହୋଇଥିଲା । ଦେଶରେ ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ଅଛି ବୋଲି କୁହାଯାଉଛି ।

ଅନେକ ସ୍ଥାନରେ ସମାଜିକ ଦୂରତାକୁ ପାଳନ କରାଯାଉନାହିଁ । ତେଣୁ ସମ୍ଭାବ୍ୟ ତୃତୀୟ ଲହରକୁ ରୋକିବାକୁ ହେଲେ ଯୁଦ୍ଧକାଳୀନ ଭିତିରେ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟକୁ ପଦକ୍ଷେପ ନେବାକୁ ପଡିବ ବୋଲି କୁହାଯାଉଛି । ମହାରାଷ୍ଟ୍ର ଓ କେରଳରେ ଆକ୍ଟିଭ ମାମଲା ଲକ୍ଷେ ଉପରେ ରହିଛି । କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଓଡିଶା ଭଳି ରାଜ୍ୟରେ ଆକ୍ଟିଭ ମାମଲା ୧୦ ହଜାର ଉପରେ ରହିଛି । କିନ୍ତୁ ଟିକାକରଣ ଦୁର୍ବଳ ସ୍ଥିତରେ ଅଛି । ଏପ୍ରିଲରେ ଦେଶରେ ୯ କୋଟି ଟିକାକରଣ ହୋଇଥିଲା । ମେ ମାସରେ ଏହା ୬ କୋଟିକୁ ଖସିଆସିଲା । ଜୁନ ମାସରେ ଏହା ବଢି ପୁଣି ୧୨ କୋଟି ହୋଇଛି ।

ଡିସେମ୍ବର ସୁଦ୍ଧା ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ସପ୍ତାହରେ ସବୁ ଦିନରେ ୮୦ ଲକ୍ଷ ଦେଲେ ଡିସେମ୍ବର ସୁଦ୍ଧା ଏହା ଟାର୍ଗେଟ ପୂରଣ ହୋଇପାରିବା । କିନ୍ତୁ ବର୍ତ୍ତମାନ ଯେଉଁଭଳି ଟିକାକରଣ ଚାଲିଛି, ଏହା ସମ୍ଭବ ହେଲା ଭଳି ଲାଗୁନାହିଁ । ସେହିପରି ଓଡିଶାର ୧୧ ଜିଲ୍ଲାରେ ଆଜି ଟିକାକରଣ ବନ୍ଦ ରହିବ । ବାକି ଜିଲ୍ଲାର ୩୯୬ ସେସନ ସାଇଟରେ ଦିଆଯିବ ଟିକା