ଜଗତସିଂହପୁର ପରେ ମୟୂରଭଞ୍ଜ ଜିଲ୍ଲାକୁ ଛୁଇଁଲା କରୋନା : ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଅଛନ୍ତି ଆକ୍ରାନ୍ତ

584

କନକ ବ୍ୟୁରୋ :  ଜଗତ୍‌ସିଂହପୁର ପରେ କରୋନା ଭାଇରସ୍ ଭୂତାଣୁ ମୟୂରଭଞ୍ଜ ଜିଲ୍ଲାକୁ ଛୁଇଁଛି । ଜିଲ୍ଲାର ପଡ଼ୋଶୀ କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲା ଅଥବା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଏଠାକୁ କରୋନା ଭାଇରସ୍ ଆସିନାହିଁ ବରଂ ଏହା ଗୁଜୁରାଟର ସୁରତରୁ ଆସିଛି । ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ଥର ପାଇଁ ୩ ଜଣ ପୁରୁଷ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନେ ସୁରତରୁ କପ୍ତିପଦା ବ୍ଲକକୁ ଆସିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି । ନୂତନ ଭାବେ ଚିହ୍ନଟ କରୋନା ଆକ୍ରାନ୍ତଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ମୟୂରଭଞ୍ଜ ଜିଲ୍ଲାରୁ ଆଗାମୀ ଦିନରେ ଆହୁରି କରୋନା ସଂକ୍ରମିତ ଚିହ୍ନଟ ହେବାର ଆଶଙ୍କା ଦେଖାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ୫୦ ହଜାରରୁ ଉର୍ଦ୍ଧ୍ୱ ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି । ଯାଜପୁର ଜିଲ୍ଲାରୁ ସର୍ବାଧିକ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୪୭ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୫ ଜଣ, ଭଦ୍ରକ ଜିଲ୍ଲାରୁ ୨୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଜଣ, ଗଞ୍ଜାମ ଜିଲ୍ଲାରୁ ୨୧ ଜଣ ଓ ଜଗତସିଂହପୁର ଜିଲ୍ଲାରୁ ୪ ଜଣ , କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରୁ ୩-୩ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୪୨ ଜଣ ସକ୍ରିୟ ଆକାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କରୋନା ସଂକ୍ରମଣରେ କେବଳ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛନ୍ତି ।